ପୁରୀ : ପଞ୍ଜିକା ଗଣନାକୁ ନେଇ ବିବାଦ ଦେଖାଦେଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭାର ସ୍ୱୀକୃତିପ୍ରାପ୍ତ ପଞ୍ଜିକାରେ ବି ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି। ତିଥି, ନକ୍ଷତ୍ର କୌଣସିଥିରେ ତାଳମେଳ ନାହିଁ। ଏପରିକି ପୁରୀରେ କେଉଁ ସମୟରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ହେବ ତାହା ମଧ୍ୟ ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ଦର୍ଶାଯାଇଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବରିଷ୍ଠ ପଞ୍ଜିକା ସମୀକ୍ଷକ ହରିଶଙ୍କର ମିଶ୍ର ଓ ଜ୍ୟୋତିର୍ବିଦ୍‌ ଦେବୀପ୍ରସାଦ ମିଶ୍ର।

Advertisment

ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଜିକା ସମୀକ୍ଷକ ହରିଶଙ୍କର ମିଶ୍ର ଓ ଜ୍ୟୋତିର୍ବିଦ୍‌ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଦୈନନ୍ଦିନ ଚଳଣି, ଜନ୍ମଜାତକ, ପୁଷ୍କର ଦୋଷ, ଶ୍ରାଦ୍ଧ ବ୍ୟବସ୍ଥା, ଶୁଭ କାଳ ନିର୍ଣ୍ଣୟ ଆଦି ପାଇଁ ଆମେ ପାଞ୍ଜିକୁ ଅନୁସରଣ କରାଯାଇଥାଏ। ପାଞ୍ଜି କିନ୍ତୁ ଏବେ ବ୍ୟବସାୟ କବଳିତ ହୋଇଗଲାଣି। ଯେଉଁଠି ଆଗରୁ ହାତଗଣତି ପଞ୍ଜିକା ପ୍ରକାଶ ପାଉଥିଲା ସେଠି ଏବେ ୨୦ରୁ ଅଧିକ ପଞ୍ଜିକା ପ୍ରକାଶ ପାଉଛି। ପଞ୍ଜିକାର ଅନ୍ୟନାମ ହେଉଛି ପଞ୍ଚାଙ୍ଗ। ତିଥି, ରାଶି, ନକ୍ଷତ୍ର, ଯୋଗ ଓ କରଣର ସଠିକ୍‌ ହିସାବ ଆଧାରରେ ଧାର୍ମିକ ବ୍ୟବସ୍ଥା ଓ ପର୍ବାଦି ନିର୍ଧାରଣ କଲେ ପଞ୍ଜିକା ନିର୍ଭୁଲ୍‌ ହୋଇଥାଏ। ପଠାଣୀ ସାମନ୍ତଙ୍କ ପ୍ରଣିତ ସିଦ୍ଧାନ୍ତ ଦର୍ପଣ, ପ୍ରତି ପୂର୍ବାଗ୍ରହ, ଖଡ଼ୀରତ୍ନଙ୍କ ଦ୍ୱାରା ପ୍ରସ୍ତୁତ ଓ ମୁକ୍ତିମଣ୍ଡପ ସ୍ୱୀକୃତ ପଞ୍ଜିକା ପ୍ରତି ଆମର ବିଶ୍ୱାସ ରହିଥିବାରୁ ଉପକୂଳ ଜିଲ୍ଲାମାନଙ୍କରେ ଖଡ଼ୀରତ୍ନ ପଞ୍ଜିକା, ପୂର୍ବ ଗଡ଼ଜାତ ଅଞ୍ଚଳରେ ପଠାଣୀ ସାମନ୍ତ ପଞ୍ଜିକା, ଯାଜପୁର ଅଞ୍ଚଳରେ ବିରଜା ପଞ୍ଜିକା ଓ ପଶ୍ଚିମାଞ୍ଚଳରେ ସମଲେଶ୍ୱରୀ ପଞ୍ଜିକା ପ୍ରଚଳିତ ରହିଛି। ଏହାର ସୁଯୋଗ ନେଇ ଗଣକ, ପୃଷ୍ଠା, ମୁଦ୍ରଣ ପରିପାଟୀ, ତଥ୍ୟ ସମାନ ଥାଇ ବି କେବଳ ମଲାଟ ବଦଳାଇ ଅନେକ ପଞ୍ଜିକା ପ୍ରକାଶ ପାଉଛି।

ବର୍ତମାନ କିନ୍ତୁ ଦେଖାଯାଉଛି, ପଞ୍ଜିକାମାନଙ୍କରେ ରାହୁ, କେତୁ, ବୃହସ୍ପତି, ଶୁକ୍ର, ବୁଧ ଆଦି ଗ୍ରହ ଚଳଣରେ ଭିନ୍ନ ଭିନ୍ନ ସମୟ ରହିଛି। ପଣ୍ଡିତ ସଭା ସ୍ୱୀକୃତି ପଞ୍ଜିକାରେ ତିଥି ବା ସୂର୍ଯ୍ୟୋଦୟ ସମୟ ଭୁଲ ଥିବାରୁ ଗତ କାମିକା ଏକାଦଶୀ (ଶ୍ରାବଣକୃଷ୍ଣ ଏକାଦଶୀ), ବୈକୁଣ୍ଠ ଚତୁର୍ଦ୍ଦଶୀ ଆଦି ସଠିକ୍‌ ନିର୍ଧାରଣ ହୋଇ ପାରିନାହିଁ। ଅନ୍ୟ ପଞ୍ଜିକାରେ ବି ସମାନ ଅବସ୍ଥା। ଏଭଳି ଗୁରୁତର ତ୍ରୁଟି ଜନଜୀବନକୁ କ୍ଷତି ପହଞ୍ଚାଉଥିବାବେଳେ ଜନ୍ମଜାତ ପଞ୍ଜିକା ବି ତ୍ରୁଟିଯୁକ୍ତ ହେଉଛି। ଏହା ଧାର୍ମିକ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବାରୁ ପଣ୍ଡିତ ସଭା ନିଜସ୍ୱ ପଞ୍ଜିକା ପ୍ରସ୍ତୁତ କରିବା ଅବା ପଞ୍ଜିକା ସ୍ୱୀକୃତିରୁ ଓହରିଯିବା ଠିକ୍‌ ହେବ ବୋଲି ପଞ୍ଜିକା ସମୀକ୍ଷକ ଶ୍ରୀ ମିଶ୍ର ଓ ଜ୍ୟୋତିର୍ବିଦ୍‌ ଶ୍ରୀ ମିଶ୍ର କହିଛନ୍ତି। ଧର୍ମହାନି ରାଜ୍ୟ ଶାସନକୁ ପ୍ରଭାବିତ କରୁଥିବାରୁ ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ଶିବପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।