ପୁରୀ: ପାଞ୍ଜିକାରମାନେ ପରିଶ୍ରମ ନ କରି କପି କରିବାରେ ଲାଗିଛନ୍ତି। ଯେଉଁଥି ପାଇଁ ପାଞ୍ଜିରେ ଏତେ ବ୍ୟତିକ୍ରମ ଦେଖାଦେଉଛି ବୋଲି କହିଛନ୍ତି ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି, ପାଞ୍ଜିକାରମାନେ ନିଜ ଗଣନା ଅନୁସାରେ ଯଦି ପାଞ୍ଜି ପ୍ରସ୍ତୁତ କରୁଥାନ୍ତେ ତେବେ ଏଭଳି ବ୍ୟତିକ୍ରମ ରହନ୍ତାନି। କିନ୍ତୁ ସେମାନେ ବ୍ରିଟେନ୍, ଆମେରିକା ଭଳି ଦେଶର ଗଣନାକୁ ନକଲ କରୁଛନ୍ତି। ଯାହାର ପରିଣାମରୁ ତିଥି, ନକ୍ଷତ୍ର ଆଦି ମେଳ ଖାଉନି। ସେପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭାର ଗଣନା ଉପରେ ପ୍ରଶ୍ନ ଉଠାଇଛନ୍ତି ପାଞ୍ଜିକାର। ଠିକ୍ ଗଣନା ହେଉ ନଥିବାରୁ ପାଞ୍ଜିରେ ଦ୍ବନ୍ଦ୍ବ ଉପୁଜୁଛି। ତିଥି, ନକ୍ଷତ୍ର ଅମେଳ ରହିବା ସହ ଦୁଇଟି ଦିନରେ ପର୍ବପର୍ବାଣି ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି। ପଠାଣି ସାମନ୍ତଙ୍କ ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ବା ପଞ୍ଜିକା ଆଧାରରେ ଗଣନା ହେଲେ ଏଭଳି ତ୍ରୁଟି ଦେଖାଦେବନି। ଏଣୁ ପଠାଣି ସାମନ୍ତଙ୍କ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଗଣନା କରି ତିଥି, ନକ୍ଷତ୍ର, ପର୍ବପର୍ବାଣୀ ଚୂଡ଼ାନ୍ତ କରୁ ବୋଲି ଦାବି କରିଛନ୍ତି ପାଞ୍ଜିକାର।
ମୁକ୍ତିମଣ୍ଡପ ପଣ୍ଡିତସଭା ଗଣନା ଉପରେ ପ୍ରଶ୍ନ ଉଠାଇଲେ ପାଞ୍ଜିକାର
ପଠାଣି ସାମନ୍ତଙ୍କ ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ଗଣନା ଦାବି
ପାଞ୍ଜି ଗଣନାକୁ ନେଇ ବିବାଦ ଉପୁଜିବା ପରେ ଦ୍ୱନ୍ଦ୍ବରେ ପଡ଼ିଛନ୍ତି ଲୋକେ। ଶ୍ରୀମନ୍ଦିରରେ ପାଳିତ ରୀତିନୀତିରେ ସମନ୍ୱୟ ପାଇଁ ପଞ୍ଜିକାରଙ୍କଠାରୁ ପାଣ୍ଡୁଲିପି ଆହ୍ବାନ କରିଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ପାଣ୍ଡୁଲିପି ଦାଖଲ କରିବାକୁ ପାଞ୍ଜିକାରମାନେ ଆଗ୍ରହ ଦେଖାଉନାହାନ୍ତି। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ଜ୍ୟୋତିର୍ବିଦ ବୈକୁଣ୍ଠନାଥ ନାୟକ କହିଛନ୍ତି, ପଠାଣି ସାମନ୍ତ ଯେବେ ପ୍ରଥମେ ଗଣନା କରିଥିଲେ, ସେତେବେଳେ ସ୍ଥୂଳ ରାଷ୍ଟ୍ରୀୟ ପଞ୍ଚାଙ୍ଗ ବା ପଞ୍ଜିକା ଅନୁସାରେ ଗଣନା ପାଇଁ କହିଥିଲେ। ପରେ ସେ ଅନ୍ୟ ଏକ ଗଣନା କରିଥିଲେ, ଯାହାକୁ ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ବା ପଞ୍ଜିକା ବୋଲି କୁହାଯାଉଛି। ସ୍ଥୂଳ ରାଷ୍ଟ୍ରୀୟ ପଞ୍ଚାଙ୍ଗରେ ଯାହା ତ୍ରୁଟିବିଚ୍ୟୁତି ଥିଲା, ତାର ସଂଶୋଧନ କରି ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ପ୍ରକାଶ କରିଥିଲେ। କିନ୍ତୁ ମୁକ୍ତିମଣ୍ଡପ ପଣ୍ଡିତସଭା ଏବେ ବି ସ୍ଥୂଳ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ଗଣନା କରୁଛନ୍ତି। କିଛି ପାଞ୍ଜିକାର ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ଗଣନା କରି ପାଞ୍ଜି ପ୍ରକାଶ କରୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ସ୍ଥୂଳ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ପାଞ୍ଜି ଗଣନା କରୁଥିବାରୁ ପଞ୍ଜିକାରେ ଦ୍ବନ୍ଦ୍ବ ଆସିବା ସ୍ବାଭାବିକ। କାରଣ ସ୍ଥୂଳ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଓ ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗରେ ତିଥି, ନକ୍ଷତ୍ର ଭିନ୍ନ ଭିନ୍ନ ସମୟରେ ପଡ଼ୁଛି।
ଶ୍ରୀ ନାୟକ ଅଭିଯୋଗ କରିଛନ୍ତି, ସୂକ୍ଷ୍ମ ସିଦ୍ଧାନ୍ତ ଦର୍ପଣ ସାଂପ୍ରତିକ ବିଷୁବରେଖାର ଅବସ୍ଥିତିକୁ ନେଇ ଗଣନା କରି ଆସୁଥିବା ବେଳେ ସ୍ଥୂଳ ସିଦ୍ଧାନ୍ତ ଦର୍ପଣକୁ ମାନି ଆସୁଥିବା ପାଞ୍ଜିକାରମାନେ ପୂର୍ବର ସାରଣୀ ଆପଣାଇ ଆସୁଛନ୍ତି। ଯେଉଁଥିପାଇଁ ମେଳକରେ ପାର୍ଥକ୍ୟ ଦେଖାଯାଉଛି। ପୁଣି ଶ୍ରୀମନ୍ଦିର ପ୍ରଶାସନ ତିଥି, ନକ୍ଷତ୍ର ଆଦି ଚୂଡ଼ାନ୍ତ କରିବାରେ ବିଳମ୍ବ କରୁଛି। ଏହା ପୂର୍ବରୁ ବହୁ ପଞ୍ଜିକା ଛପାଯାଉଛି। ଆମକୁ ବି ବ୍ୟବସାୟକୁ ଦେଖିବାକୁ ପଡ଼ୁଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ପାଣ୍ଡୁଲିପି ମେଳକ କରି ପର୍ବପର୍ବାଣୀ ଚୂଡ଼ାନ୍ତ କରିବାକୁ ସେ ଦାବି କରିଛନ୍ତି।