ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ଆରାଧ୍ୟ ଦେବତା। ଶ୍ରୀମନ୍ଦିର ନୀତିକାନ୍ତି ସର୍ବମାନ୍ୟ। କିନ୍ତୁ କିଛି ପାଞ୍ଜିକାର ଶ୍ରୀମନ୍ଦିର ନୀତିକାନ୍ତିକୁ ମାନୁନାହାନ୍ତି। ବ୍ୟବସାୟିକ ମନୋବୃତ୍ତି ରଖି ନିଜ ଇଚ୍ଛା ଅନୁସାରେ ପାଞ୍ଜି ପ୍ରକାଶ କରି ଲୋକଙ୍କୁ ବିଭ୍ରାନ୍ତିରେ ପକାଉଛନ୍ତି ବୋଲି ଅଭିଯୋଗ କରିଛି ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ। ଏଭଳି ବିଭ୍ରାନ୍ତି ସୃଷ୍ଟି କରୁଥିବା ପାଞ୍ଜିକାରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୂଜାପଣ୍ଡା ନିଯୋଗ ଦାବି କରିଛି। ଏ ସଂପର୍କରେ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜରିଆରେ ଆଇନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପୂଜାପଣ୍ଡା ନିଯୋଗ ସଂପାଦକ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ କହିଛନ୍ତି, ବର୍ତ୍ତମାନ ଆମକୁ ସବୁଆଡ଼ୁ ଫୋନ୍‌ ଆସୁଛି କି ଦୀପାବଳି ଅମାବାସ୍ୟା ଓ ପୟାଶ୍ରାଦ୍ଧ କେବେ ପାଳିତ ହେବ। ଶ୍ରୀମନ୍ଦିରରେ ନଭେମ୍ବର ୧ ତାରିଖରେ ଦୀପାବଳି ଅମାବାସ୍ୟା ଓ ପୟାଶ୍ରାଦ୍ଧ ପାଳନ ହେଉଛି। ଅମାବାସ୍ୟା ଠାକୁର ବି ୧ ତାରିଖରେ ଶ୍ରୀମନ୍ଦିରରୁ ବାହାରିବେ। ପୟାଶ୍ରାଦ୍ଧର ସମୟ ନଭେମ୍ବର ୧ ତାରିଖ ସକାଳୁ ଅପରାହ୍ଣ ପ୍ରାୟ ୫ଟା ପର୍ଯ୍ୟନ୍ତ ରହିଛି। ଯାହା ଅକ୍ଟୋବର ୩୧ରେ ନାହିଁ। କିନ୍ତୁ ପାଞ୍ଜିକାରମାନେ ଅକ୍ଟୋବର ୩୧ରେ ଦୀପାବଳି ଅମାବାସ୍ୟା ପଡ଼ୁଥିବା କହି ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି।

Advertisment

ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି, ୧୨/୧୩ ବର୍ଷ ତଳେ ଏଭଳି ପାଞ୍ଜିର ତିଥି ଓ ନକ୍ଷତ୍ରକୁ ନେଇ ଦ୍ବନ୍ଦ୍ବ ଉପୁଜିବାରୁ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଶଙ୍କରାଚାର୍ଯ୍ୟ ପାଞ୍ଜିରେ ସମନ୍ବୟ ଆଣିବାକୁ ଏକ ପାଞ୍ଜି ସମନ୍ବୟ କମିଠି ଗଠନ ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଏକ ପାଞ୍ଜି ସମନ୍ବୟ କମିଟି ଗଠନ କରିଛି। ଯେଉଁଥିରେ ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ପୂଜାପଣ୍ଡା ନିଯୋଗ, ମୁକ୍ତିମଣ୍ଡପ, ଦେଉଳକରଣ, ତଢ଼ାଉକରଣ, ଦଇତାପତି ନିଯୋଗ, ପାଞ୍ଜି ପ୍ରକାଶନ ମଣ୍ଡଳୀ ରହିଛନ୍ତି। ଯାହା ବି ପର୍ବପର୍ବାଣୀ ପାଳନ ହେଉଛି, ତାହା ଗୋଟିଏ ଦିନରେ ପାଳନ ହେବା କମିଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସମନ୍ବୟ ବୈଠକ ସଂପର୍କରେ ଏହି କମିଟି ପାଞ୍ଜିକାରମାନଙ୍କୁ ଚିଠି କରୁଥିଲା।

କାର୍ଯ୍ୟାନୁଷ୍ଠାନ ଦାବି କଲା ପୂଜାପଣ୍ଡା ନିଯୋଗ
ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ମାନୁନାହାନ୍ତି 

ସେହି ଅନୁସାରେ ପାଞ୍ଜିକାରମାନେ ଆସି ନିଜର ପାଣ୍ଡୁଲିପି ପ୍ରଦାନ କରିବା ସହ ଗାଣିତିକ ତଥ୍ୟ ଉପସ୍ଥାପନ କରୁଥିଲେ। ପରେ ମେଳକ କରାଯାଇ, ପର୍ବପର୍ବାଣୀର ତିଥି ନକ୍ଷତ୍ର, ନୀତିକାନ୍ତି ଆଦି ଚୂଡ଼ାନ୍ତ ହେଉଥିଲା। କିନ୍ତୁ ବିଗତ କିଛିବର୍ଷ ହେବ ପାଞ୍ଜିକାରମାନେ ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ବି ସମନ୍ବୟ ବୈଠକକୁ ଆସୁନାହାନ୍ତି। ପାଞ୍ଜି ମୁଖ୍ୟତଃ ଅକ୍ଟୋବରରୁ ନଭେମ୍ବର ଭିତରେ ସଂଶୋଧନ ହେବା ପରେ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଲାଗି ହୋଇ ମହାବିଷୁବ ସଂକ୍ରାନ୍ତିରେ ନୂଆ ପାଞ୍ଜି ପ୍ରଚଳନର ବିଧି ରହିଛି। କିନ୍ତୁ କିଛି ପାଞ୍ଜିକାରମାନେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତିକୁ ଉଲ୍ଲଂଘନ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ଜାନୁଆରି ମାସରୁ ପାଞ୍ଜି ପ୍ରକାଶ କରି ବିକ୍ରି କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ଏଣୁ ପୂଜାପଣ୍ଡା ନିଯୋଗ ଦାବି କରିଛି, ଆଗକୁ ସବୁ ପାଞ୍ଜିକାର ଓ ପାଞ୍ଜି ପ୍ରକାଶକମାନଙ୍କୁ ପାଞ୍ଜି ସମନ୍ବୟ ବୈଠକକୁ ଆସିବାକୁ ବାଧ୍ୟତାମୂଳକ କରାଯାଉ। ଯେଉଁମାନେ ଏହି ବୈଠକକୁ ନ ଆସି ନିଜ ଇଚ୍ଛା ଅନୁସାରେ ପାଞ୍ଜି ପ୍ରକାଶ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଯେଉଁ ପ୍ରଚାର ଓ ପ୍ରସାର କମିଟି ରହିଛି, ତାହା ଜରିଆରେ ଶ୍ରୀମନ୍ଦିର ପର୍ବପର୍ବାଣୀ, ତିଥି, ନକ୍ଷତ୍ର ଆଦି ଉପରେ ଜନସଚେତନତା ସୃଷ୍ଟି କରାଯାଉ ବୋଲି ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି। ନିଯୋଗ ସଭାପତି ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ସଂପାଦକ ଶ୍ରୀ ପୂଜାପଣ୍ଡା ସାମନ୍ତ ପ୍ରମୁଖ ଆଜି ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତିରେ ନୀତି ପ୍ରଶାସକଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।