ପାନପୋଷ ହକି ଛକ-ହନୁମାନ ବାଟିକା ସ୍ମାର୍ଟ ରାସ୍ତା; ନିର୍ମାଣ ସରିନି ଦବିଲାଣି ରାସ୍ତା

ରାଉରକେଲା : ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ ସମସ୍ତ ପ୍ରକଳ୍ପ ସାରିବାକୁ ପୁରାଦମ୍‌ ଲଗାଇ ଦେଇଛି ପ୍ରଶାସନ। କିନ୍ତୁ ଠିକାସଂସ୍ଥାଗୁଡ଼ିକ ପକ୍ଷରୁ କାମ ଠିକ୍‌ ହେଉଛି କି ନାହିଁ, ଠିକ୍‌ ଭାବେ ତଦାରଖ କରାଯାଉନି। ନିକଟରେ ପାନପୋଷ-ଉଦିତନଗର ମୁଖ୍ୟ ରାସ୍ତାରେ ସମାନ ସ୍ଥିତି ଉପୁଜିଥିଲା। ଠିକାସଂସ୍ଥା ବ୍ରାହ୍ମଣୀ ଇଞ୍ଜିକନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏବେ ରାଉରକେଲା ବାଇପାସ୍‌ ‌ରୋଡରେ ଚାଲିଥିବା କାମରେ ସମାନ ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ଉପରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଚକା ଦବି ଯାଉଛି। ଗୁରୁବାର ଦିନ ହକି ଛକରୁ ରାଉରକେଲା ଆଡକୁ ଆସୁଥିବା ଚିପ୍‌ସ ବୋଝେଇ ଟ୍ରକ୍‌ର ଚକ୍କା ରାସ୍ତା ଭିତରେ ପଶିଯାଇଥିଲା। ସୌଭାଗ୍ୟବଶତଃ ଗାଡିଟି ବଡଧରଣୁ ଦୁର୍ଘଟଣାଗ୍ରସ୍ତରୁ ବର୍ତ୍ତି ଯାଇଛି। ତେବେ ଏଭଳି ନିମ୍ନମାନର କାମ କରୁଥିବା ଠିକା ସଂସ୍ଥା ବିରୋଧରେ ପୂର୍ବ ଠିକାସଂସ୍ଥା ପରି କାର୍ଯ୍ୟାନୁଷ୍ଠାନ ହେବ ନା ଛାଡି ଦିଆଯିବ, ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।‌ ସେପଟେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଠିକା ସଂସ୍ଥାଗୁଡ଼ିକ ମନମର୍ଜି କାମ କରୁଛନ୍ତି। କେବଳ ଏହି ଦୁଇଟି ରାସ୍ତା ନୁହେଁ ସ୍ମାର୍ଟସିଟି ପକ୍ଷରୁ ତରବରିଆ ଭାବେ ଚାଲିଥିବା କିଛି ପ୍ରକଳ୍ପର ସେହି ସମାନସ୍ଥିତି।

ଉଲ୍ଲେଖଯୋଗ୍ୟ, ୧୦୪.୨୪ କୋଟି ବ୍ୟୟରେ ସ୍ମାର୍ଟସିଟି ରୋଡ (ଫେଜ୍‌-୨) ଗତ ୨୦୨୦ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା। ଠିକା ସଂସ୍ଥା ପକ୍ଷରୁ ଚାଲିଥିବା କାମ ମଧ୍ୟ ଏଯାଏଁ ସରିନି। ୧୪୬.୫୫ କୋଟି ଚାଲିଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ ପୁନରୁଦ୍ଧାର କାର୍ଯ୍ୟରେ ବି ସେହି ସମାନ ସ୍ଥିତି। ୧୧.୯୯ କୋଟି ଟଙ୍କା ବ୍ୟୟରେ ବାସନ୍ତୀ କଲୋନି ଡିଏଭି ପୋଖରୀର ସୌନ୍ଦର୍ଯ୍ୟକରଣ ସହ ନୌକାବିହାର କାମ ଗତ ୨୦୨୦ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା। ଗତ ୨୦୨୨ ଜୁନ୍‌ ‌ସୁଦ୍ଧା ସରିବା କଥା। ଏବେ ଅଧାରୁ ଅଧିକ କାମ ବାକି ରହିଛି। ହନୁମାନବାଟିକା ଛକରୁ ଟ୍ରାଫିକ ଛକ୍‌ ପର୍ଯ୍ୟନ୍ତ ୧୭.୯୩ କୋଟି ଟଙ୍କା ବ୍ୟୟରେ ରାସ୍ତା ସୌନ୍ଦର୍ଯ୍ୟକରଣ କାମ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)କୁ ଦିଆଯାଇଛି। ଓଏଫ୍‌ଡିସି ଅନ୍ୟ ଏକ ଠିକାସଂସ୍ଥାକୁ କାମ କରିବାକୁ ଦେଇଛନ୍ତି। ଗତ ୨୦୨୦ ସେପ୍ଟେମ୍ବରୁ ଆରମ୍ଭ ହୋଇଥିବା କାମ ୨୦୨୨ ଜୁନ୍‌ ୧୫ ସୁଦ୍ଧା ଶେଷ ହେବା କଥା। କିଛି କାମ ୬୫% ଓ ଅନ୍ୟ କିଛି କାମ ମାତ୍ର ୪୦% ସରିଛି। ଅବଶିଷ୍ଟ କାମ ଆସନ୍ତା ୬ ମାସ ମଧ୍ୟରେ ସରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସେମିତି ପ୍ରସିଦ୍ଧ ଶୈବପୀଠରେ ୧୬.୦୭ କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଗତ ୨୦୨୦ ଅକ୍ଟୋବର ଆରମ୍ଭ ହୋଇଥିବା କାମ ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବା କଥା। ଦୁଇ ବର୍ଷ ମଧ୍ୟରେ ମାତ୍ର ୬୦% କାମ ସରିଛି। ଅବଶିଷ୍ଟ ୪୦ % କାମ ୬ ମାସ ଭିତରେ ସରିବ ତ? ୯.୯୮ କୋଟି ଟଙ୍କାରେ ଛେଣ୍ଡ କଲୋନି କନକ ମଞ୍ଜରି ଛକରୁ ରାଉରକେଲା ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାମ ଚାଲିଛି। ୨୦୨୧ ନଭେମ୍ବର ମାସରେ କାମ ଆରମ୍ଭ ହୋଇ ୨୦୨୨ ଅକ୍ଟୋବର ସୁଦ୍ଧା ସରିବାର ଥିଲା। ବିଶ୍ବ ହକି ପାଇଁ ଏହି ରାସ୍ତା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ବର୍ଷ ପରେ ମଧ୍ୟ ଅଧା କାମ ସରିନି। ଅନୁରୂପ ଭାବେ ୯.୪୯ କ‌ୋଟି ବ୍ୟୟରେ କଳିଙ୍ଗ ବିହାର ଛକରୁ ପ୍ରଧାନପାଲୀ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ସମ୍ପ୍ରସାରଣ କାମରେ ବି ସେହି ସମାନ ସ୍ଥିତି ଉପୁଜିଛି। ଏମିତି ଆହୁରି ଅନେକ ଛୋଟ ବଡ କାମ ଚାଲିଛି।

ସମ୍ବନ୍ଧିତ ଖବର