ଆଦିବାସୀଙ୍କ ବିକାଶକୁ ପାନପୋଷ ଆଇଟିଡିଏର ଅଣଦେଖା, ବିଭାଗ ପାଖରେ ନାହିଁ ୨୫ କୋଟି ଖର୍ଚ୍ଚର ହିସାବ

ରାଉରକେଲା: ନାନା ଦୁର୍ନୀତିରେ ଡୁବିଛି ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଡିଟିଏ)। ସ୍କୁଲ ଗୃହ ନିର୍ମାଣ, ମରାମତି, ଆଦିବାସୀ ଛାତ୍ରୀନିବାସ ମରାମତି, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ଦକ୍ଷତା ବିକାଶ ତାଲିମ, ଚା‌ଷୀମାନଙ୍କୁ ସ୍ପ୍ରେ ମେସିନ୍‌ ସହ ହଷ୍ଟେଲଗୁଡ଼ିକୁ ସାମଗ୍ରୀ ଯୋଗାଣରେ ବ୍ୟାପକ ଦୁର୍ନୀତିର ଗନ୍ଧ। କେତେ ଟଙ୍କା କେଉଁ ଭାବରେ ଖର୍ଚ୍ଚ ହୋଇଛି, ବିଭାଗ ପାଖରେ ସୂଚନା ନାହିଁ। ଅନ୍ୟ ଅର୍ଥରେ କହିଲେ, କାଗଜପତ୍ରରେ ତା’ର ସୂଚନା ରଖା ଯାଇନାହିଁ। ପୁଣି ଚର୍ଚ୍ଚା ହେଉଛି, ପିସି ନଦେଲେ କୌଣସି ଫାଇଲ୍‌ ଆଗକୁ ବଢ଼ୁନି। ଏପରିକି ଆଗୁଆ ପିସି ଦେଉଥିବା ଠିକାଦାର ଅଗ୍ରାଧିକାର ପାଉଛନ୍ତି। ତେବେ ସବୁକିଛି ଠିକ୍ ଠାକ୍‌ ଚାଲିଥିବା ବିଭାଗ କହୁଛି। ମାତ୍ର ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଓଲଟା ଚିତ୍ର ବୟାନ କରୁଛି। ଏଥିରୁ ଆଦିବାସୀଙ୍କ ବିକାଶ ନାଁରେ ବିଭିନ୍ନ ବିଭାଗରୁ ଆସୁଥିବା କୋଟି କୋଟି ଟଙ୍କା କେମିତି ବାଟ ମାରଣା ହେଉଛି, ତାହା ସ୍ପଷ୍ଟ ବାରି ହୋଇ ପଡୁଛି।

ସୂଚନା କହୁଛି, ୨୦୧୭-୧୮ରୁ ୨୦୨୦-୨୧, ୪ ବର୍ଷ ମଧ୍ୟରେ ବିଭିନ୍ନ ପାଣ୍ଠିରୁ ଆଇଟିଡିଏକୁ ମୋଟ୍‌ ୫୬ କୋଟି ୮୭ ଲକ୍ଷ୯୫ ହଜାର ୮୭୦ ଟଙ୍କା ମିଳିଛି। ଏଥି ମଧ୍ୟରୁ ୩୦ କୋଟି ୭୭ ଲକ୍ଷ ୬୬ ହଜାର ୭୧୮ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ବଳକା ୨୬ କୋଟି ୧ ଲକ୍ଷ ୨୯ ହଜାର ୧୫୨ ଟଙ୍କାର କୌଣସି ହିସାବ ନାହିଁ। ଏହି ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହେଉଛି ବା ହୋଇଛି, ତାହାର କୌଣସି ଉତ୍ତର ବିଭାଗ ପାଖରେ ନାହିଁ। ତଥ୍ୟ ନ ଦେବା ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ରହିଛି, ଏହା ଯେକେହି କହି ପାରିବ। ସବୁଠୁ ଆଶ୍ଚର୍ଯ୍ୟ କଥା, ୨୦୧୭-୧୮ ଆର୍ଥିକ ବର୍ଷରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ) ପାଣ୍ଠିରୁ ୬୫ଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ୪ କୋଟି ୫୫ ଲକ୍ଷ ଟଙ୍କା ଆସିଥିଲା। ୪ ବର୍ଷ ମଧ୍ୟରେ କେତୋଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ‌ହୋଇଛି, ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି- ଏହାର ମଧ୍ୟ କୌଣସି ସୂଚନା ଆଇଟିଡିଏ ପାଖରେ ନାହିଁ। ଅନୁରୂପ ଭାବେ ୨୦୨୦-୨୧ରେ ସ୍ପେଶିଆଲ ଡେ‌ଭେଲପ୍‌ମେଣ୍ଟ କାଉନ୍‌ସିଲ ପାଣ୍ଠିରୁ ୨ କୋଟି, ଜିଲ୍ଲା ଖଣିଜ ପାଣ୍ଠିରୁ ୧ କୋଟି ୫୨ ଲକ୍ଷ ୮୫ ହଜାର ୨୭୫ ଟଙ୍କା ମଞ୍ଜୁରି ହୋଇଛି। ସ୍ପେସିଆଲ ଡେଭେଲ୍‌ପମେଣ୍ଟ କାଉନସିଲ୍‌ ଫାଣ୍ଠିରୁ ମାତ୍ର ୧୬ ଲକ୍ଷ ୩ ହଜାର ୪୪ ଟଙ୍କା ଖର୍ଚ୍ଚ ହୋଇଛି। ଅବଶିଷ୍ଟ ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହେଉଛି ବିଭାଗ ପାଖରେ ସୂଚନା ନାହିଁ। ଅବଶ୍ୟ ଜିଲ୍ଲା ଖଣିଜ ପାଣ୍ଠିରୁ ମିଳିଥିବା ୧ କୋଟି ୫୨ ଲକ୍ଷ ୮୫ ହଜାର ୨୭୫ ଟଙ୍କା ଅଙ୍ଗନବାଡି, କୁଆରମୁଣ୍ଡା ବ୍ଲକର ହଷ୍ଟେଲ ଓ ସ୍କୁଲର ୬ଟି ‌ଶୌଚାଳୟ କମ୍ପ୍ଲେକ୍ସ ନିର୍ମାଣ ବ୍ୟୟ କରାଯାଇଥିବା କୁହା ଯାଉଛି। କିନ୍ତୁ ସେଥିରେ ବ୍ୟାପକ ହରିଲୁଟ୍‌ ହୋଇଥିବା ସ୍ଥାନୀୟ ଲୋକ ଗୁରୁତର ଅଭିଯୋଗ ଆଣିଛନ୍ତି।

୨୦୧୯-୨୦ ରେ ଏସ୍‌ଟି ଆଣ୍ଡ୍‌ ଏସ୍‌ସି ଉନ୍ନୟନ ବିଭାଗରୁ ଆମ୍‌କୋ ସିମ୍‌କୋ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୨ କୋଟି ମଞ୍ଜୁର ହୋଇଥିଲା। କିନ୍ତୁ ସେହି ଟଙ୍କା ଖର୍ଚ୍ଚ ହୋଇଛି କି ନାହିଁ ତା’ର କୌଣସି ସୂଚନା ଆଇଟିଡିଏରେ ନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ସାଂସଦଙ୍କ ପାଣ୍ଠିରୁ ୮ କୋଟି ୫୧ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁରି ହୋଇଥିଲା। କମ୍ୟୁନିଟି ସେଣ୍ଟର ବାବଦରେ ଖର୍ଚ୍ଚ ହୋଇଛି ୬ କୋଟି ୩୭ଲକ୍ଷ ୬୪ ହଜାର ୮୩୯ ଟଙ୍କା। ଅବଶିଷ୍ଟ ୨ କୋଟିରୁ ଅଧିକ ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହୋଇଛି ସୂଚନା ନାହିଁ। ୨୦୧୯-୨୦ ଖୁଣ୍ଟଗାଁରେ ମାର୍କେଟ ସେଡ୍‌ ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁରି ହୋଇଛି। କିନ୍ତୁ ମାର୍କେଟ ସେଡ୍‌ ନିର୍ମାଣର ସ୍ଥିତି ବାବଦରେ ସୂଚନା ନାହିଁ।‌ ଏମିତି ମାଳ ମାଳ ଉଦାହରଣ ରହିଛି। ତେଣୁ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ଭୂମିକାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୁଆରମୁଣ୍ଡା, ନୂଆଗାଁ,ବିଶ୍ରା ଓ ଲାଠିକଟା ବ୍ଲକରେ ୭ଟି ସେବାଶ୍ରମ, ୨୧ଟି ଆବାସିକ ଆଦିବାସୀ ସ୍କୁଲ ରହିଛି। ପୁଣି ୧୫ଟି ଛାତ୍ରନିବାସ ଓ ୭୦ଟି ଛାତ୍ରୀ ନିବାସ ରହିଛି। ଏସବୁ ସ୍କୁଲରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ସ୍କୁଲଗୁଡ଼ିକୁ ଆଇଟିଡିଏ ପକ୍ଷରୁ ବେଡ୍‌ସିଟ୍‌, ବେଡ୍‌, ଗଦି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। କିନ୍ତୁ ସେଥିରେ କେତେ ଟଙ୍କା କେଉଁ ଭାବରେ ଖର୍ଚ୍ଚ ହେଉଛି, ବିଭାଗ ପାଖରେ ସୂଚନା ନାହିଁ। ଉଲ୍ଲେଖନୀୟ ଯେ ସୁନ୍ଦରଗଡ ଆଇଟିଡିଏରେ ଦୁର୍ନୀତି ମାମଲା ଲୋକାୟୁକ୍ତଙ୍କ ନିକଟରେ ପହଞ୍ଚିଛି। ଅନୁରୂପ ଭାବେ ପାନପୋଷ ଆଇଟିଡିଏର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଅନେକ ଦୁର୍ନୀତି ଉପରୁ ପରଦା ହଟି ଯାଆନ୍ତା। କିନ୍ତୁ ଚର୍ଚ୍ଚା ,ହେଉଛି ଯେ ଉଭୟ ସୁନ୍ଦରଗଡ଼ ଓ ପାନପୋଷ ଆଇଟିଡିଏ ବିରୋଧରେ ଅସଂଖ୍ୟ ଅଭିଯୋଗ, ଏପରିକି ଅଭିଯୋଗର ପ୍ରମାଣ ଥିଲେ ମଧ୍ୟ ଉଚ୍ଚ ପ୍ରଶାସନ ପକ୍ଷରୁ ଦୋଷୀଙ୍କୁ ଦଣ୍ଡ ଦେବାଲାଗି ଆଦୌ ଆଗ୍ରହ ଦେଖା ଯାଉନାହିଁ। ତେଣୁ ଏହି ଦୁର୍ନୀତିର ଚେର ଖୁବ୍ ଗଭୀରକୁ ଯାଇଛି ବୋଲି ସନ୍ଦେହ କରା ଯାଉଛି।

ସମ୍ବନ୍ଧିତ ଖବର