ଦୁର୍ନୀତି ଲୁଚାଉଛି ପାନପୋଷ ଆଇଟିଡିଏ

ତଥ୍ୟ ଦେବାକୁ ୧ ଲକ୍ଷ ୭୭ ହଜାର ଟଙ୍କା

ରାଉରକେଲା : ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ରେ ଚାଲିଛି ବ୍ୟାପକ ଅନିୟମିତତା। ପ୍ରତ୍ୟେକ କାମରେ ବାହାରୁଛି ଦୁର୍ନୀତିର ଗନ୍ଧ। ସ୍କୁଲ ଗୃହ ନିର୍ମାଣ, ମରାମତି, ଆଦିବାସୀ ଛାତ୍ରୀ ନିବାସ ମରାମତି, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ଦକ୍ଷତା ବିକାଶ ତାଲିମ, ଚାଷୀଙ୍କୁ ସ୍କ୍ରେ ମେସିନ୍‌ ସହ ହଷ୍ଟେଲଗୁଡ଼ିକୁ ଯୋଗାଣ ହେଉଥିବା ସାମଗ୍ରୀ ଯୋଗାଣରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ତଥ୍ୟ ମାଗିଲେ ଦୁର୍ନୀତି ଲୁଚାଇବାକୁ ବିଭାଗୀୟ ଅଧିକାରୀ ଭିନ୍ନ ପନ୍ଥା ଆପଣଉଛନ୍ତି। ହଜାର କି ଦୁଇ ହଜାର ନୁହେଁ ତଥ୍ୟ ଦେବାକୁ ଜଣେ ସୂଚନା ଅଧିକାରୀଙ୍କୁ ୧ ଲକ୍ଷ ୭୭ ହଜାର ୨୦୦ ଟଙ୍କା ଜମା କରିବାକୁ କହିଛନ୍ତି। ୧୫ ଦିନ ମଧ୍ୟରେ ଟଙ୍କା ଜମା ନ କଲେ ତଥ୍ୟ ପାଇଁ ଦାଖଲ କରିଥିବା ଆବେଦନ ପତ୍ର ବାତିଲ ହୋଇ ଯିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନା ଅଧିକାର କର୍ମୀ ଗତ ୨୦୧୧ରୁ ଫେବ୍ରୁଆରି ୨୦୨୧ ମଧ୍ୟରେ ଆଇଟିଡିଏ ପକ୍ଷରୁ କରାଯାଇଥିବା କାମର ୱାର୍କ ଅର୍ଡର, ସର୍ଭିସ୍‌ ଅର୍ଡର ଆଦିର ବିସ୍ତୃତ ତଥ୍ୟ ଜାଣିବାକୁ ଚାହିଁଥିଲେ। ଦୁର୍ନୀତି ଧରା ପଡିଯିବା ଭୟରେ ବିଭାଗ ସୂଚନା ଅଧିକାର କର୍ମୀଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୮୮ ହଜାର ୬୦୦ କପିର ଆବଶ୍ୟକତା ପଡିବ ବୋଲି ଚିଠିରେ ଦର୍ଶାଇଛନ୍ତି। ପ୍ରତି କପି ବାବଦରେ ୨ ଟଙ୍କା କରି ମୋଟ ୧ ଲକ୍ଷ ୭୭ ହଜାର ୨୦୦ ଟଙ୍କା ଜମା କରିବାକୁ ହେବ ବୋଲି ବିଭାଗ ଚିଠିରେ ଉଲ୍ଲେଖ କରିଛନ୍ତି। କେବଳ ଏ ଗୋଟିଏ ଉଦାହରଣ ନୁହେଁ ନିକଟରେ ଏମିତି ଅନେକ ତଥ୍ୟ ମଗାଯାଇଥିଲା। ବିଭାଗର କିଛି କାମର ସଠିକ୍‌ ଉତ୍ତର ଦେଇଥିଲେ। ଆଉ କିଛିର ତଥ୍ୟ ଦେବାକୁ ପଛଘୁଞ୍ଚା ଦେଇଥିଲେ। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ କୁଆରମୁଣ୍ଡାବ୍ଲକର ଅଙ୍ଗନବାଡି କେନ୍ଦ୍ର ସହ ୬ଟି ‌‌ଶୌଚାଳୟ କମ୍ପ୍ଲେକ୍ସ ଖର୍ଚ୍ଚ ବାବଦରେ ମୋଟ ୩ କୋଟି ୯୬ ଲକ୍ଷ ୧୮ ହଜାର ୮୭୨ ଟଙ୍କା ଆସିଥିଲା। ଅନୁରୂପ ଭାବେ ୨୦୧୮-୧୯ରେ ଅଙ୍ଗନବାଡି କେନ୍ଦ୍ର, ଆଦିବାସୀ ସ୍କୁଲ ଓ ହଷ୍ଟେଲ ନିର୍ମାଣ ପାଇଁ ୩୧ ଲକ୍ଷ ୪୨ ହଜାର ୫୪୦ ଟଙ୍କା ଆସିଥିଲା। ଦୁଇ ବର୍ଷରେ ମାତ୍ର ହାତ ଗଣତି କେତୋଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହୋଇଛି। କିଛି ଅଧପନ୍ତରିଆ ହୋଇ ପଡିଛି। ୭୦% ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇ ନାହିଁ।

ଏହିପରି ୨୦୧୮-୧୯ରେ ଚାଷୀମାନଙ୍କୁ ବ୍ୟାଟେରି ଚାଳିତ ସ୍ପ୍ରେୟର ମେସିନ୍‌ ବାବଦରେ ୧୬ ଲକ୍ଷ ୧୧ ହଜାର ଟଙ୍କା, ସାଂସଦ ପାଣ୍ଠିରୁ କମ୍ୟୁନିଟି ସେଣ୍ଟର ବାବଦରେ ୪ କୋଟି ୯୪ ଲକ୍ଷ ୫୨ ହଜାର, ୧୩୮ ଟଙ୍କା, ଷ୍ଟେଟ୍‌ ପ୍ଲାନରୁ ଅତିରିକ୍ତ କ୍ଲାସ୍‌ ରୁମ୍‌, କର୍ମଚାରୀ କ୍ବାର୍ଟର୍ସ, ଶୌଚାଳୟ ନିର୍ମାଣ, ପାନୀୟ ଜଳଯୋଗାଣ ବାବଦରେ ୭୪ ଲକ୍ଷ ୮୨ ହଜାର, ୧୫୭ ଟଙ୍କା, ସ୍ବତନ୍ତ୍ର ଉନ୍ନୟନ କାଉନସିଲ୍‌ ପାଣ୍ଠିରୁ ୩ କୋଟି ଟଙ୍କାରେ ଟ୍ରାଇବାଲ୍‌ ହେରିଟେଜ୍‌ ରିସୋର୍ସେସ୍ ସେଣ୍ଟର, ମାର୍କେଟ ସେଡ୍‌, କଲୁରାଲ୍‌ ହବ୍‌ ଆଦି ନିର୍ମାଣ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଆଦିବାସୀ ହିତାଧିକାରୀଙ୍କୁ ବ୍ୟାଟେରି ସ୍ପ୍ରେ ବଣ୍ଟନ ବାବଦରେ ୨୧ ଲକ୍ଷ ୪୮ ହଜାର, ରବି ଋତୁରେ ଜୀବନଜୀବିକା କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ବାବଦରେ ୩୭ ଲକ୍ଷ ୯୧ ହଜାର ୧୯୨ ଟଙ୍କା, କୁଆରମୁଣ୍ଡା ବ୍ଲକର ସାଇନ୍ସ ଲ୍ୟାବ୍‌, ଡାଇନିଂ ହଲ୍‌, ଅତିରକ୍ତ ଶ୍ରେଣୀ ଗୃହ, ପାଠାଗାର ଏବଂ ପାନୀୟ ଜଳଯୋଗାଣ ବାବଦରେ ୩୬ ଲକ୍ଷ ୧୪ ହଜାର ୮୧୧ ଟଙ୍କା ଖର୍ଚ୍ଚ କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ସବୁ ପ୍ରକଳ୍ପର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ପ୍ରତ୍ୟେକ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାହାରୁଛି। ନାଁକୁ ମାତ୍ର ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ ବ୍ୟାପକ ହରିଲୁଟ୍‌ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଆଇଟିଡିଏ ଅଧୀନରେ ପରିଚାଳିତ ଆଦିବାସୀ ସ୍କୁଲ, ଛାତ୍ରାବାସ ବାବଦରେ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ପ୍ରତ୍ୟେକ ଛାତ୍ରାବାସ ବାବଦରେ ବର୍ଷକୁ ‌କେତେ ଟଙ୍କା ଖର୍ଚ୍ଚ ହେଉଛି, ତାହାର ବିସ୍ତୃତ ତଥ୍ୟ ଆଇଟିଡିଏରେ ଉପଲବ୍ଧ ନାହିଁ ବୋଲି ବିଭାଗୀୟ ଅଧିକାରୀ ସଫେଇ ଦେଉଛନ୍ତି। ତେବେ ଏଥିରୁ ଆଇଡିଏ ଚାଲିଥିବା ବିକାଶମୂଳକ କାମ କେମିତି ଚାଲିଛି ସ୍ପଷ୍ଟ ବାରି ହୋଇ ପଡୁଛି। ଅନ୍ୟପଟେ ଆଇଟିଡିଏରେ ଅଧିକାଂଶ ଅଧିକାରୀ ନିଜର ସମ୍ପର୍କୀୟଙ୍କୁ ଲକ୍ଷ ଲକ୍ଷ ଟଙ୍କାର କାମ ଦେଉଛନ୍ତି। କାମରେ ଆବଶ୍ୟକ ପୁଞ୍ଜି ନିଜେ ବହନ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଅନେକ କାମ କିଛି କରିତକର୍ମା ଅଧିକାରୀ ନିଜ ସମ୍ପର୍କୀୟଙ୍କ ଦ୍ବାରା କରାଉଥିବା ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ କିଛି ବିଭାଗର ଅଧିକାରୀମାନେ ୩ ବର୍ଷରୁ ଅଧିକ ସମୟ ରହିଥିଲେ ହେଁ ଅନ୍ୟତ୍ର ବଦଳି ହେଉ ନାହାନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଭିତିରି ସଲାସୁତରା କରି ନିଜ ଆସନକୁ ସୁରକ୍ଷିତ ରଖୁଛନ୍ତି। ଆଇଟିଡିଏରେ ଚାଲିଥିବା ଏଭଳି ଦୁର୍ନୀତିର ତଦନ୍ତ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର