ପାନପୋଷ ଆଇଟିଡିଏ କେଳେଙ୍କାରୀ: ୮ କୋଟି ସ୍କୁଲ କାମର ଟେଣ୍ଡର ଫିକ୍ସିଂ ଧରାପଡ଼ିଲା

ରାଉରକେଲା : ଦୁର୍ନୀତିର ଗନ୍ତାଘର ପାଲଟିଛି ପାନପୋଷ ଆଇଟିଡିଏ। ପ୍ରତ୍ୟେକ କାମରେ ବାହାରୁଛି ଦୁର୍ନୀତିର ଗନ୍ଧ। ‘ମୋ ସ୍କୁଲ ଅଭିଯାନ’ରେ ଜିଲ୍ଲାରେ ୮୦% ସ୍କୁଲ କାମର ଟେଣ୍ଡର ହୋଇଛି। ପାନପୋଷ ଆଇଟିଡିଏ କିନ୍ତୁ ସରକାରୀ ନିୟମକୁ ଫୁଃ କରି ଦେଇଛି। ନିକଟରେ ବିନା ଟେଣ୍ଡରରେ ୧୦ ଟି ସ୍କୁଲର ଭିତ୍ତିଭୂମିର ବିକାଶ କରାଯାଇଥିଲା। ଯାହାକୁ ନେଇ ‌ସେତେବେଳେ ସୃଷ୍ଟି ହୋଇଥିଲା ବିବାଦ। ଏବେ ପୁଣି ସେହି ସମାନ କାମର ଟେଣ୍ଡର ଫିକ୍ସିଂ ପଦାରେ ପଡ଼ିଛି। ୮ କୋଟି ସ୍କୁଲ ନିର୍ମାଣ କାମର ହେଉଥିବା ଟେଣ୍ଡର ଫିକ୍ସିଂକୁ ଧରିଛନ୍ତି ପାନପୋଷ ଉପଜିଲ୍ଲାପାଳ ତଥା ପାନପୋଷ ଆଇଟିଡିଏର କାର୍ଯ୍ୟବାହୀ ପ୍ରକଳ୍ପ ନିର୍ଦ୍ଦେଶକ ଦୌଲତ ଚନ୍ଦ୍ରାକାର। ପୁନଃ ଲଟେରି ଜରିଆରେ ଯୋଗ୍ୟ ଠିକାସଂସ୍ଥାକୁ ୮ କୋଟିର ସ୍କୁଲ କାମ ହସ୍ତାନ୍ତର କରିଛନ୍ତି। ଏଥିରେ ସନ୍ଦେହ ଘେରରେ ଅଛନ୍ତି ଆଇଟିଡିଏର ଉପନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଚନ୍ଦ୍ରାକାର ତ୍ରୁଟି ହୋଇଥିବା କଥାକୁ ସ୍ବୀକାର କରିଛନ୍ତି। ଶ୍ରୀ ଚନ୍ଦ୍ରାକାର କହିଛନ୍ତି, କାମ ହାତେଇଥିବା ଠିକାସଂସ୍ଥାକୁ ବାତିଲ କରି ପୁନଃ ଲଟେରି ଜରିଆରେ ଏଲ୍‌-୧ ଠିକାସଂସ୍ଥାକୁ କାମ ଦିଆଯାଇଛି। ତେବେ ଏଭଳି ଦୁର୍ନୀତିରେ ସନ୍ଦେହ ‌ଘେରକୁ ଆସିଥିବା ଶ୍ରୀ ବେହେରାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ।

ଝରିପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ପୁନଃ ନିର୍ମାଣ ଓ ଭିତ୍ତିଭୂମିର ବିକାଶ ପାଇଁ ପାନପୋଷ ଆଇଟିଡିଏକୁ ୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଇଟିଡିଏ କାମ ହସ୍ତାନ୍ତର ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ୮ଟି ଠିକାସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଗୋଲକ ପ୍ରସାଦ ମହାପାତ୍ର, ଅକ୍ଷୟ କୁମାର ମହାପାତ୍ର, ମେର୍ସସ ଜେଡ୍‌ଏ କନଷ୍ଟ୍ରକ୍ସନ, ନରୋତ୍ତମ ସାମଲ, ଅରୋଶ୍ରୀ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ୍‌, ପ୍ରନିର ଇନଫ୍ରାକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ବିଜୟ କୁମାର ଅଗ୍ରୱାଲ ଓ ପ୍ରମୋଦ କୁମାର ସାହୁ। ଅକ୍ଷୟ ସାମଲ, ବିଜୟ କୁମାର ଅଗ୍ରୱାଲ, ପ୍ରମୋଦ କୁମାର ସାହୁ -୯.୯୯ କମ୍‌ରେ ଓ ଅରୋଶ୍ରୀ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ -୯.୯୦ କମ୍‌ରେ ଟେଣ୍ଡର ପକାଇଥିଲେ।

ସରକାରଙ୍କ ନିୟମ ଅନୁଯାୟୀ -୯.୯୯ କମ୍‌ରେ ଟେଣ୍ଡର ପକାଇଥିବା ଏଲ୍‌-୧ ଠିକାସଂସ୍ଥାକୁ କାମ ଦେବା କଥା। କିନ୍ତୁ ଉପନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ଏଲ୍‌-୨ ଅର୍ଥାତ୍‌ -୯.୯୦ କମ୍‌ରେ ପକାଇଥିବା ଠିକା ସଂସ୍ଥା ଅରୋଶ୍ରୀ କନଷ୍ଟ୍ରକ୍ସନକୁ କାମ ଟେକି ଦେବାକୁ ଚକ୍ରାନ୍ତ କରିଥିଲେ। ଏଲ-୧ରେ ଥିବା ତିନି ଠିକା ସଂସ୍ଥା ଏ ସଂକ୍ରାନ୍ତରେ ଆଇଟିଡିଏର କାର୍ଯ୍ୟବାହୀ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରାକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ କାଗଜପତ୍ର ଯାଞ୍ଚ କରିବା ପରେ କରିତକର୍ମା ଯନ୍ତ୍ରୀଙ୍କ ଚାଲ୍‌ ଧରାପଡିଥିଲା। ସଙ୍ଗେ ସଙ୍ଗେ ଅରୋଶ୍ରୀ କନ୍‌ଷ୍ଟ୍ରକ୍ସନକୁ ଦିଆଯାଉଥିବା କାମକୁ ବାତିଲ କରା ଯାଇଥିଲା। ଏଲ୍‌-୧ ତାଲିକାରେ ଥିବା ୩ ଠିକା ସଂସ୍ଥା ମଧ୍ୟରୁ ଜଣଙ୍କର କାଗଜପତ୍ର ତ୍ରୁଟି ଥିବାରୁ ବାତିଲ ହୋଇଯାଇଥିଲା। ଅନ୍ୟ ଦୁଇଜଣଙ୍କୁ ପୁନଃ ଲଟେରି ଜରିଆରେ କାମ ହସ୍ତାନ୍ତର କରାଯାଇଥିଲା। ତେବେ ବର୍ଷ ବର୍ଷ ଧରି ସୁନ୍ଦରଗଡ଼ ଓ ପାନପୋଷ ଆଇଟିଡିଏ ଦାୟିତ୍ବରେ ରହିଥିବା ଶ୍ରୀ ବେହେରାଙ୍କର ଗତ ପ୍ରାୟ ୪ ମାସ ତଳେ ଅନ୍ୟତ୍ର ବଦଳି ହୋଇଥିବା ସତ୍ବେ ସେ ଏଠାକାର ଆସନ ଛାଡୁ ନାହାନ୍ତି। ତାଙ୍କ ନାଁରେ ମାଳ ମାଳ ଦୁର୍ନୀତି ଥିବା ସତ୍ବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ। ଏ ମାମଲାକୁ ତଦନ୍ତ ପରିସରଭୁକ୍ତ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର