ଘରୋଇ ସଂସ୍ଥାକୁ ୫ ପାନ୍ଥନିବାସ ଟେକିଦେବା ପ୍ରସଙ୍ଗ : ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ, ନଚେତ ଆତ୍ମାହୁତି ଦେବେ କର୍ମଚାରୀ

ଭୁବନେଶ୍ୱର : କୋଣାର୍କର ଉଡେନ୍‌ ରେସ୍ତୋରାଁ ପରେ ସରକାରୀ ମାଲିକାନାରେ ଚାଲିଥିବା ୫ ପାନ୍ଥନିବାସକୁ ଘରୋଇ ସଂସ୍ଥାକୁ ଟେକିଦେବା ନେଇ ଚାଲିଥିବା ଚକ୍ରାନ୍ତ ବିରୋଧରେ ସ୍ବର ଉଠାଇଛି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ। ଦୁଇଦିନ ତଳେ ଓଟିଡିସିର ପ୍ରତିଷ୍ଠା ଦିବସରେ ପାନ୍ଥନିବାସକୁ ଲାଭଦାୟୀ ସଂସ୍ଥା କହି ପ୍ରଶଂସା କରୁଥିବା ବେଳେ ୪୮ ଘଣ୍ଟା ପରେ ଏଭଳି ଆଭିମୁଖ୍ୟକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି।

୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ପାନ୍ଥନିବାସ ୨ କୋଟି ଟଙ୍କାର ଲାଭ ଦେଇଛି। ପାନ୍ଥନିବାସକୁ ରୌପ୍ୟବର୍ଗର ଉଦ୍ୟୋଗ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସତ୍ତ୍ବେ କରୋନା ମହାମାରୀ ସମୟରେ ପାନ୍ଥନିବାସକୁ ବିପର୍ଯ୍ୟୟରୁ ମୁକୁଳାଇବା ପରିବର୍ତେ ଘରୋଇ ସଂସ୍ଥାକୁ ଟେକି‌ ଦେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଉତ୍କଳ ପର୍ଯ୍ୟଟନ ଉନ୍ନୟନ ନିଗମ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର।

ବାଲେଶ୍ବର, ଭଦ୍ରକ, ଗୋପାଳପୁର, ତପ୍ତପାଣି, ଧଉଳି ପାନ୍ଥିକାକୁ ୩୦ ବର୍ଷିଆ ଲିଜ୍‌ରେ ଦେବା ପାଇଁ ସରକାରୀ ବିଜ୍ଞପ୍ତି ଜାରି ହୋଇଛି। ଲିଜ୍‌ ନେବା ପରେ ତା’ର ଉନ୍ନତୀକରଣ କରି କେତେ ସମୟ ମଧ୍ୟରେ ତାହା କାର୍ଯ୍ୟକାରୀ ହେବ ସେନେଇ ମଧ୍ୟ ନିର୍ଧାରିତ ସମୟ ସ୍ଥିର କରାଯାଇସାରିଛି। ଭଦ୍ରକ ପାନ୍ଥନିବାସକୁ ଚୁକ୍ତିର ୩ ମାସ ମଧ୍ୟରେ, ବାଲେଶ୍ବର, ତପ୍ତପାଣି ପାନ୍ଥନିବାସକୁ ଚୁକ୍ତିର ୬ ମାସ ମଧ୍ୟରେ, ଧଉଳି ପାନ୍ଥିକାକୁ ୧ ବର୍ଷ ମଧ୍ୟରେ ଏବଂ ଗୋପାଳପୁର ପାନ୍ଥନିବାସକୁ ୨ ବର୍ଷ ମଧ୍ୟରେ ଉନ୍ନତୀକରଣ କାମ ସାରି କାର୍ଯ୍ୟକାରୀ କରିବାକୁ ସମୟ ଦିଆଯାଇଛି।

ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ସଭାପତି ଶିବାନନ୍ଦ ରାୟ କହିଛନ୍ତି, କିଛିଦିନ ପୂର୍ବରୁ ଏଭଳି ଚକ୍ରାନ୍ତ ଆରମ୍ଭ ହୋଇଯାଇଥିବାର ଆଭାସ ମିଳୁଥିଲେ ହେଁ କିଛି ସ୍ପଷ୍ଟ ଜଣା ପଡ଼ିନଥିଲା। ୨ମାସ ତଳେ ଧଉଳି, ତପ୍ତପାଣି, ବାଲେଶ୍ବର ଓ ଭଦ୍ରକ ପାନ୍ଥନିବାସରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟ ପାନ୍ଥନିବାସକୁ ବଦଳି କରି ଦିଆଯାଇଥିଲା। ତେବେ ସରକାର ଯେ ଏହାକୁ ଘରୋଇ ସଂସ୍ଥା ହାତରେ ଟେକି ଦେବେ ସେ ବିଶ୍ବାସ ନଥିଲା। ସଂପ୍ରତି ରାଜ୍ୟରେ ୨୧ଟି ପାନ୍ଥନିବାସରେ ୭୦୦ ନିୟମିତ ଓ ଠିକା କର୍ମଚାରୀ କାମ କରୁଛନ୍ତି। ଅଧିକାଂଶ ପାନ୍ଥନିବାସ ସମୟକ୍ରମେ ଲାଭଦାୟୀ ସାବ୍ୟସ୍ତ ହୋଇ ଆସିଛି। ଏହା ସତ୍ତ୍ବେ ଘରୋଇକରଣର ମୋହ କର୍ମଚାରୀଙ୍କ ପେଟକୁ ନାତ ସଦୃଶ ହୋଇଛି।

ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ପାତ୍ର କହିଛନ୍ତି, କେବଳ ଏହି ୫ଟି ପାନ୍ଥନିବାସ ନୁହେଁ ବରଂ ଆଉ କିଛି ପାନ୍ଥନିବାସକୁ ମଧ୍ୟ ଲିଜ୍‌ ସୂତ୍ରରେ ଦେବା ପାଇଁ ହୀନ ଚକ୍ରାନ୍ତ ଚାଲିଥିବା ଖବର ହସ୍ତଗତ ହୋଇଛି। ମହାମାରୀ ବେଳେ ସରକାରଙ୍କର ଏଭଳି ଆଭିମୁଖ୍ୟ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ପର୍ଯ୍ୟଟନ ସଚିବ, ନିର୍ଦେଶକ, ଓଟିଡିସି ଅଧ୍ୟକ୍ଷା ଏ ବାବଦରେ ପୁନର୍ବିଚାର କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଉଛି। ଯଦି ସରକାର ପୁନର୍ବିଚାର ନ କରନ୍ତି ତେବେ ପାନ୍ଥନିବାସ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର