କାଠଗଡ଼ାରେ ଘରୋଇକରଣ ପ୍ରସଙ୍ଗ : ପାନ୍ଥନିବା‌ସ ଘରୋଇକରଣ ପ୍ରକ୍ରିୟାରେ ରହିତାଦେଶ

ଭୁବନେଶ୍ୱର : ପାନ୍ଥନିବାସର ଘରୋଇକରଣ ପ୍ରସଙ୍ଗ ଏ‌ବେ କାଠଗଡ଼ାକୁ ଯାଇଛି। ପାନ୍ଥନିବାସ କର୍ମଚାରୀମାନେ ଘରୋଇକରଣକୁ ବିରୋଧ କରି କୋର୍ଟର ଆଶ୍ରୟ ନେଇଛନ୍ତି। ଏହି ମାମଲାର ଶୁଣାଣି କରି ଭୁବନେଶ୍ବର ଜିଲ୍ଲା ଜଜ୍‌ ଟେଣ୍ଡର୍‌ ପ୍ରକ୍ରିୟା ଉପରେ ଆଜି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଲାଭରେ ଚାଲୁଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)କୁ ଦେବାଳିଆ କରିବା ପାଇଁ ଖୋଦ୍ ପର୍ଯ୍ୟଟନ ବିଭାଗରେ ହିଁ ଗତ କିଛି ମାସ ହେଲା ଷଡ଼ଯନ୍ତ୍ର ଚାଲିଛି। ବାଲେଶ୍ବର, ଭଦ୍ରକ, ତପ୍ତପାଣି, ଗୋପାଳପୁରରେ ଥିବା ପାନ୍ଥନିବାସ ଓ ଧଉଳିର ପନ୍ଥିକାକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ ଯୋଜନା ‌େହାଇଛି। ଗତ ବର୍ଷ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସନ୍ତୋଷ ପ୍ରକାଶ କରିବା ପରେ ତାହାକୁ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। କିନ୍ତୁ ଗତ ସେପ୍ଟେମ୍ବର ମାସରେ ପୁଣି ପର୍ଯ୍ୟଟନ ବିଭାଗ ଟେଣ୍ଡର୍‌ ଡାକିଛି। ପାନ୍ଥନିବାସ କର୍ମଚାରୀମାନେ ବିଭାଗର ଏହି କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ। ‌ପର୍ଯ୍ୟଟନ ବିଭାଗ କର୍ତ୍ତୃପକ୍ଷ କର୍ମଚାରୀଙ୍କ ବିରୋଧକୁ ଖାତିର୍‌ ନ କରି ନିଜ ଜିଦିରେ ଅଟଳ ରହିଥିଲେ। ଫଳରେ କର୍ମଚାରୀମାନେ ବାଧ୍ୟ ହୋଇ କୋର୍ଟକୁ ଯାଇଥିଲେ।

ଗତ ଅକ୍ଟୋବର ୧୪ ତାରିଖରେ ଏହି ଟେଣ୍ଡର୍‌ ପ୍ରକ୍ରିୟାରେ ଟେକ୍ନିକାଲ୍‌ ବିଡ୍‌ ଖୋଲା ହେବାର ଥିଲା। କିନ୍ତୁ ତାହାକୁ ବିଭିନ୍ନ ପର୍ଯ୍ୟାୟରେ ବିଭାଗ ଘୁଞ୍ଚାଇ ଚାଲିଛି। ଶେଷରେ ଗତ ୧୧ ତାରିଖରେ ଟେକ୍ନିକାଲ୍‌ ବିଡ୍‌ ଖୋଲା ହେବା ପାଇଁ ତାରିଖ ସ୍ଥିର ହୋଇଥିଲା। ଏହି ତାରିଖ ଘୁଞ୍ଚିଥିବା ନେଇ କୌଣସି ସୂଚନା ବିଭାଗ ପକ୍ଷରୁ ୱେବ୍‌ସାଇଟ୍‌ରେ ଦିଆଯାଇ ନ ଥିଲା। ଆଜି କୋର୍ଟରେ ଶୁଣାଣି ସମୟରେ ଟେକ୍ନିକାଲ୍‌ ବିଡ୍‌ ଖୋଲାଯାଇଥିବା ନେଇ କର୍ମଚାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ସୂଚନା ଦେଇଥିଲେ। କିନ୍ତୁ ସରକାରୀ ଓକିଲ ତାହାକୁ ସ୍ବୀକାର କରି ନ ଥିଲେ। ତେବେ ବିଡ୍‌ ଖୋଲିବା ତାରିଖ କେବେ ଘୁଞ୍ଚିଲା, ସେ ସମ୍ପର୍କରେ ସରକାରୀ ଓକିଲ ନିର୍ଦ୍ଦିଷ୍ଟ ଭାବେ କହି ପାରି ନ ଥିଲେ। ଆଜି ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟ୍‌ରେ ଟେକ୍ନିକାଲ୍‌ ବିଡ୍‌ ଖୋଲିବାର ତାରିଖ ୧୧ରୁ ୧୯କୁ ଘୁଞ୍ଚାଯାଇଥିବା ସମ୍ପର୍କରେ ସଂଶୋଧିତ ନୋଟିସ୍‌ ଦିଆଯାଇଛି। କିନ୍ତୁ ଗତକାଲି ବିଡ୍‌ ଖୋଲିବା ତାରିଖ ଥିଲା ବେଳେ ବିନା ନୋଟିସ୍‌ରେ ବିଭାଗୀୟ କର୍ତ୍ତୃପକ୍ଷ କିପରି ବିଡ୍‌ ଖୋଲିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଯଦି ବିଡ୍‌ ଖୋଲିଥିଲେ, ତେବେ ଆଜି ପୁଣି ବିଡ୍‌ ଖୋଲିବା ତାରିଖ ଘୁଞ୍ଚିଥିବା ସମ୍ପର୍କରେ କିପରି ନୋଟିସ୍‌ ଦେଲେ ? ଟେଣ୍ଡର୍‌ ପ୍ରକ୍ରିୟାରେ ଏପରି ଅନିୟମିତତା ନେଇ ବିଭାଗ ସନ୍ଦେହ ଘେରକୁ ଆସିଯାଇଛି।

ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧୀନରେ ୨୦ଟି ପାନ୍ଥନିବାସ ଚାଲୁଛି। ଅଧିକାଂଶ ପାନ୍ଥନିବାସ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରମୁଖ ସ୍ଥାନରେ ରହିଛି। ସେଥିରୁ ୨/୩ଟିକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ଲାଭରେ ଚାଲିଛି। ୨୦୦୩-୦୪ ପରଠାରୁ ଓଟିଡିସି ରାଜ୍ୟ ସରକାରଙ୍କ ଏକ ଲାଭଜନକ ପିଏସ୍‌ୟୁରେ ପରିଣତ ହୋଇଛି। ପ୍ରଥମ ଥର ପାଇଁ ୨୦୧୭-୧୮ରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ମଧ୍ୟ ଓଟିଡିସି ସ‌ାଢ଼େ ତିନି କୋଟି ଟଙ୍କା ଲାଭ କରିଛି। ଲଗାତର ଲାଭ କରୁଥିବା ଏହି ସରକାରୀ ନିଗମକୁ ଖୋଦ୍‌ ପର୍ଯ୍ୟଟନ ବିଭାଗ ବୁଡ଼ାଇଦେବାକୁ ଚକ୍ରାନ୍ତ କରିବା ରାଜ୍ୟର ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି। ପାନ୍ଥନିବା‌ସଗୁଡ଼ିକୁ ଆହୁରି ଅତ୍ୟାଧୁନିକ ଓ ଉନ୍ନତ କରି ଓଡ଼ିଶାର ପରିଚୟ ଭାବେ ଏହାକୁ ସୃଷ୍ଟି କରିବା ପରିବର୍ତ୍ତେ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ ବିଭାଗର ତତ୍ପରତା ଆଶ୍ଚର୍ଯ୍ୟଜନକ। ନିର୍ଦ୍ଦିଷ୍ଟ ଅଣଓଡ଼ିଆ ବ୍ୟବସାୟୀଙ୍କୁ ଆଖି ଆଗରେ ଘରୋଇକରଣ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଆଲୋଚନା ଜୋ‌ର୍‌ ଧରିଛି।

ସମ୍ବନ୍ଧିତ ଖବର