ରହସ୍ୟରେ ପାନ୍ଥନିବାସ ଘରୋଇକରଣ, ଅଣଓଡ଼ିଆଙ୍କୁ ଟେକିଦେବା ଲାଗି ଫନ୍ଦି

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇଛି
ସରକାରଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣୁଛନ୍ତି ବାବୁ
ମନ୍ତ୍ରୀ ନିରବ, ଆଶଙ୍କାରେ କର୍ମଚାରୀ

ଭୁବନେଶ୍ୱର : ୨୦୧୯ ମସିହାରେ ଠିକ୍ ନିର୍ବାଚନ ଆଗରୁ ପାନ୍ଥନିବାସର ଘରୋଇକରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଜାଣିବା ପରେ ଫାଇଲ୍‌ ଆଗକୁ ନ ନେବା ପାଇଁ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଫାଇଲ୍‌ ଅଧାରୁ ଅଟକିଗଲା। କିନ୍ତୁ ବର୍ଷକ ପରେ କ’ଣ ଏମିତି ବଦଳିଗଲା ଯେ ଘରୋଇକରଣ ପ୍ରସ୍ତାବ ଟେଣ୍ଡର ପର୍ଯ୍ୟନ୍ତ ଚାଲିଗଲାଣି। ଏବେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଅନ୍ଧାରରେ ରଖାଯାଇଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କରୋନା ସମୟରେ ଏପରି କାରବାର ସରକାରଙ୍କ ଭାବମୂର୍ତ୍ତିରେ ଆଞ୍ଚ୍ ଆଣୁଥିବାରୁ ଏହାକୁ ତୃତୀୟ ମହଲା ଗୁରୁତର ସହ ନେଇଛି। ଖୋଳତାଡ଼ ଆରମ୍ଭ ହୋଇଛି। ଲାଭରେ ଚାଲୁଥିବା ଓଟିଡିସିକୁ ଦେବାଳିଆ କରିବା ଲାଗି କିଛି ଅଧିକାରୀଙ୍କ ଏଭଳି ଷଡ଼ଯନ୍ତ୍ର ଚଳାଇଛନ୍ତି। କେବଳ ସେତିକି ନୁହେଁ, ଅଣ ଓଡ଼ିଆଙ୍କ ହାତରେ ଏସବୁ ପ୍ରକଳ୍ପକୁ ଟେକିଦେବା ଲାଗି ଯୋଜନା ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ନିରେଖି ଦେଖିଲେ ସଙ୍କେତ ମିଳୁଛି।

କିଛି ଅଧିକାରୀଙ୍କର ମୁଣ୍ଡରେ ସବାର ହୋଇଥିବା ଘରୋଇକରଣ ଭୂତ ଏବେ ପର୍ଯ୍ୟଟନ ବିଭାଗକୁ କାଠଗଡ଼ାକୁ ଟାଣି ଦେଇଛି। ଘରୋଇକରଣକୁ କର୍ମଚାରୀମାନେ ବିରୋଧ କରିଥିଲେ ବି କର୍ତ୍ତୃପକ୍ଷ ତାହାକୁ ଖାତିର କଲେ ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେଇଛନ୍ତି। କୋର୍ଟ କିଛି ରାୟ ଶୁଣାଇବା ଆଗରୁ ଘରୋଇକରଣ ପ୍ରକ୍ରିୟାକୁ ବାତିଲ୍‌ କରିବାକୁ ଉପର ସ୍ତରରେ ବିଚାର ବିମର୍ଶ ଚାଲିଛି।

ଘରୋଇକରଣ ପ୍ରକ୍ରିୟା ଏବେ ଗଦା ଗଦା ପ୍ରଶ୍ନ ସୃଷ୍ଟି କରିଛି। ପାନ୍ଥନିବାସର? ଲାଭ ବଢ଼ାଇବା ପରିବର୍ତ୍ତେ ତ‌ା‌ହାକୁ ଘରୋଇକରଣ କରିବାକୁ ପର୍ଯ୍ୟଟନ ବିଭାଗ ଏତେ ବ୍ୟଗ୍ର କାହିଁକି? ବିଭାଗରେ କିଏ କଳାପାହାଡ଼ ସାଜି ନିଜ ସମ୍ପତ୍ତିକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବସିଛି? ଯେଉଁମାନେ ପାନ୍ଥନିବାସର ଘରୋଇକରଣ କରିବାକୁ ଏତେ ବ୍ୟସ୍ତ, ସେମାନେ ଏହି ସଂସ୍ଥାକୁ ଲାଭଜନକ କରିବା ପାଇଁ କି ପଦକ୍ଷେପ ନେଇଛନ୍ତି? ଘରୋଇକରଣ ହେବାକୁ ଥିବା ଗୋଟିଏ ପ୍ରକଳ୍ପ ଅର୍ଥାତ୍ ପାନ୍ଥନିବାସର ନବୀକରଣ ପାଇଁ ୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା ବେଳେ ଏବେ ତାହାକୁୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାର ଉଦ୍ଦେଶ୍ୟ କ’ଣ?

ନିର୍ଦ୍ଦିଷ୍ଟ ଅଣଓଡ଼ିଆ ବ୍ୟବସାୟୀଙ୍କୁ ଆଖି ଆଗରେ ଘରୋଇକରଣ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଆଲୋଚନା ଜୋ‌ର୍‌ ଧରିଛି। ବିଶେଷ କରି ଗୋପାଳପୁର, ତପ୍ତପାଣି ପରି ସ୍ଥାନରେ ଥିବା ପାନ୍ଥନିବାସକୁ ଅଣଓଡ଼ିଆ ବ୍ୟବସାୟୀ ହାତେଇବା ପାଇଁ ଆରମ୍ଭରୁ କସରତ୍‌ ଜାରି ରଖିଛନ୍ତି। ଏହି ଦୁଇଟି ପାନ୍ଥନିବାସ ଲଗାତର ଭାବେ ଲାଭରେ ଚାଲିଛି ଓ ଏହାର ନବୀକରଣ ପାଇଁ ଯଥେଷ୍ଟ ଅର୍ଥ ବି ଖର୍ଚ୍ଚ କରାଯାଇଛି। ପୂର୍ବରୁ ମଧ୍ୟ ପର୍ଯ୍ୟଟନ ବିଭାଗର କିଛି ସମ୍ପତ୍ତିକୁ କ୍ଷତି ଦର୍ଶାଇ ଏମିତି ଅଣଓଡ଼ିଆ ବ୍ୟବସାୟୀଙ୍କୁ ଟେକି ‌ଦିଆଯାଇଥିଲା। ସେଥିରୁ ଓଟିଡିସି କ୍ଷତି କରୁଥିଲା ବେଳେ ଏବେ ସେହି ଘରୋଇ ସଂସ୍ଥା ବେଶ୍‌ ଲାଭ ଉଠାଉଛି। ଏପରିକି କିଛି ସ୍ଥାନରେ ପାନ୍ଥନିବାସର ନାଁ ବି ବଦଳିଯାଇଛି। ଲିଜ୍‌ରେ ନେଇଥିବା ଘରୋଇ ସଂସ୍ଥା ପାନ୍ଥନିବାସର ଚିହ୍ନବର୍ଣ୍ଣ ସେଠି ରଖି ନାହାନ୍ତି। ଏବେ ସେହି ସମାନ କୌଶଳ ପ୍ର‌ୟୋଗ କରି ପାନ୍ଥନିବାସର ମୂଲ୍ୟବାନ ଜମିକୁ ଦୀର୍ଘ ବର୍ଷ ଲିଜ୍‌ରେ ଦେବାକୁ ଷଡ଼ଯନ୍ତ୍ର କରାଯାଇଛି।

ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧୀନରେ ୨୦ଟି ପାନ୍ଥନିବାସ ଚାଲୁଛି। ଅଧିକାଂଶ ପାନ୍ଥନିବାସ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରମୁଖ ସ୍ଥାନରେ ରହିଛି। ସେଥିରୁ ୨/୩ଟିକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ଲାଭରେ ଚାଲିଛି। ରାଜ୍ୟ ବାହାରର ପର୍ଯ୍ୟଟକମାନେ ନିରାପତ୍ତା ଓ ଗୁଣାତ୍ମକ ସେବା ପାଇଁ ଏଠାରେ ରହିବାକୁ ପସନ୍ଦ କରୁଛନ୍ତି। ୨୦୦୩-୦୪ ପରଠାରୁ ଓଟିଡିସି ରାଜ୍ୟ ସରକାରଙ୍କ ଏକ ଲାଭଜନକ ପିଏସ୍‌ୟୁରେ ପରିଣତ ହୋଇଛି। ପ୍ରଥମ ଥର ପାଇଁ ୨୦୧୭-୧୮ରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିଲା। ଓଟିଡିସିକୁ ଅଧିକ ଆଗକୁ ନେବା ପରିବର୍ତ୍ତେ ଏହାକୁ ବୁଡ଼ାଇ ଦେବା ପାଇଁ ଖୋଦ୍‌ ପର୍ଯ୍ୟଟନ ବିଭାଗ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛି। ବାଲେଶ୍ବର, ଭଦ୍ରକ, ତପ୍ତପାଣି, ଗୋପାଳପୁରରେ ଥିବା ପାନ୍ଥନିବାସ ଓ ଧଉଳିର ପନ୍ଥିକାକୁ ଘରୋଇକରଣ କରିବାକୁ ଟେଣ୍ଡର୍‌ ଡକାଯାଇଛି। କରୋନା ମାଡ଼ରେ ପର୍ଯ୍ୟଟନ ଭିତ୍ତିଭୂମି ଦୋହଲିଯାଇଥିଲା ବେଳେ ଏହାକୁ ଏକ ସୁଯୋଗ ଭାବି ଦେଇଛି ପର୍ଯ୍ୟଟନ ବିଭାଗ।

୨୦୧୯ ନିର୍ବାଚନ ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ କୌଣସି ଆଖିଦୃଶିଆ ପ୍ରକଳ୍ପ ହାତକୁ ନିଆଯାଇ ନାହିଁ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପର୍ଯ୍ୟଟନ ବିଭାଗର କୋଠା ଭୂତକୋଠି ପାଲଟିଲାଣି। ନବକଳେବର ସମୟରେ ପିପିଲି ନିକଟରେ ହେଇଥିବା କ୍ରାଫ୍ଟ ବଜାର ପ୍ରକଳ୍ପ କିପରି କାର୍ଯ୍ୟକ୍ଷମ ହେବ, ସେଥି ପାଇଁ ବିଭାଗ ଏ ଯାଏ ଠୋସ୍ ପଦକ୍ଷେପ ନେଇପାରିଲା ନାହିଁ। କେବଳ ଇକୋ ରିଟ୍ରିଟ୍‌ ଓ କିଛି ଚିରାଚରିତ ଉତ୍ସବ ବ୍ୟତୀତ ପର୍ଯ୍ୟଟନ ବିଭାଗ ରାଜ୍ୟ ପର୍ଯ୍ୟଟନର ବିକାଶ ପାଇଁ କ’ଣ କରୁଛି, ତାହା କେହି ଜାଣି ପାରୁ ନାହାନ୍ତି। ଭଲ କାମ ପାଇଁ ସମୟ ପାଉ ନ ଥିବା ଏହି ବିଭାଗ ନିଜ ସମ୍ପତ୍ତିକୁ ବିକି ଭାଙ୍ଗି ଖାଇବାକୁ ବହୁତ ତତ୍ପର।

ଏହି ପ୍ରକ୍ରିୟାରେ ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ନିରବତା ଆହୁରି ରହସ୍ୟଜନକ ହୋଇପଡ଼ିଛି। ମନ୍ତ୍ରୀଙ୍କ ନିଜ ଜିଲ୍ଲା ଭଦ୍ରକ ଓ ପଡ଼ୋଶୀ ଜିଲ୍ଲା ବାଲେଶ୍ବରର ପାନ୍ଥନିବାସ ମଧ୍ୟ ଏହି ଘରୋଇକରଣ ତାଲିକାରେ ଅଛି। ଭଦ୍ରକ ପାନ୍ଥନିବାସ ନୂଆ କରି ନିର୍ମାଣ ହୋଇଛି ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୧୧ ଲକ୍ଷରୁ ଅଧିକ ଟଙ୍କା ଲାଭ ବି କରିଛି। ମନ୍ତ୍ରୀ ଦାୟିତ୍ବ ନେଲା ପରେ ଉଭୟ ପାନ୍ଥନିବାସକୁ ଅଧିକ ଲାଭଜନକ କରିବା ପାଇଁ କି ପଦ‌େକ୍ଷପ ନେଇଛନ୍ତି, ତାହା ତ ଜଣାପଡ଼ିଲାନି। କିନ୍ତୁ ଘରୋଇକରଣ କରି ମନ୍ତ୍ରୀ ନିଜର କି ପାରିବାର ପଣିଆ ଦେଖାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି।

ସରକାର ତୁରନ୍ତ ଏହି ଘରୋଇକରଣ ଉପରେ ରୋକ୍ ଲଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। ସରକାର ଏ ଦିଗରେ କଠୋର ନ ହେଲେ ଆଗାମୀ ଦିନରେ ଲାଭରେ ଚାଲୁଥିବା ଆଉ କିଛି ପାନ୍ଥନିବାସକୁ ଘରୋଇ ସଂସ୍ଥାକୁ ଟେକି ଦେବା ପାଇଁ ଷଡ଼ଯନ୍ତ୍ରକାରୀ କେବଳ ସାହସ ପାଇବେ ତା ନୁହେଁ, ନିଜ ପ୍ରକଳ୍ପକୁ ଗୋଟାକ ପରେ ଘରୋଇ ସଂସ୍ଥା ହାତରେ ଟେକିଦେବାର କଳଙ୍କ ସବୁଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଯିବ।

ସମ୍ବନ୍ଧିତ ଖବର