ଯାଜପୁରସଦର: ଯାଜପୁର‌ ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଦାୟିତ୍ବ ଏବେ ମହିଳାଙ୍କ ହାତ‌ରେ। ଓଡ଼ିଶାର ପ୍ରଥମ ମିସନ ଶକ୍ତି ଭବନ ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହେବା ପରେ ଏହାର ଦାୟିତ୍ବ ଜିଲ୍ଲା ମହିଳା ମହାସଂଘ ହାତରେ ରହିଛି। ଏଠାରେ  ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରି ସହ ସିଲେଇ ଓ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା ରହିଛି। ଏଥିପାଇଁ ୫/୬ ଜଣ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। ସେହିପରି ବିରଜା ମନ୍ଦିର ନିକଟରେ ୪/୫ ବର୍ଷ ହେଲା ନିର୍ମାଣ ହୋଇ ଭୂତକୋଠି ପାଲଟିଥିବା ବିରଜା ପାନ୍ଥନିବାସ ଓ ବିରଜା କଲ୍ୟାଣ ମଣ୍ଡପର ପରିଚାଳନା ଦାୟିତ୍ବ ଜିଲ୍ଲା ମହିଳା ମହାସଂଘକୁ ପ୍ରଦାନ କରାଯାଇଛି। ସେହିପରି ଷଠିପୁରଠାରେ ଥିବା ପଥପ୍ରାନ୍ତ କେନ୍ଦ୍ର ବନ୍ଦ ହୋଇ ପଡ଼ିଥିବା ବେଳେ ମାଳଆନନ୍ଦପୁର ପଞ୍ଚାୟତର ସ୍ବୟଂସହାୟକ ଗୋଷ୍ଠୀକୁ ଏହାକୁ ‌ଖୋଲିବାକୁ ଅନୁମତି ଦିଆଯାଇଛି।

Advertisment

publive-image

ଯାଜପୁର ସହର‌ରେ ବହୁଦିନର ଆବଶ୍ୟକତା ଓ ଦାବି ପରେ ନିର୍ମାଣ ହୋଇଥିବା ଜନତା ଶୌଚାଳୟ ପରିଚାଳନା ଦାୟିତ୍ବ ମଧ୍ୟ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ଦିଆଯାଇଛି। ସେହିପରି ବ୍ୟାସନଗରରେ ଉଦ୍‌ଘାଟନ ଅପେକ୍ଷାରେ ରହିଥିବା ସଂସ୍କୃତି ଭବନ ଦାୟିତ୍ବ ମଧ୍ୟ ମହିଳା ମହାସଂଘକୁ ପ୍ରଦାନ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଜିଲ୍ଲାର ୧୦ ବ୍ଲକ ଓ ୨ ଟି ପୌରାଞ୍ଚଳରୁ ପ୍ରମୁଖ ମହିଳାଙ୍କୁ ନେଇ ଜିଲ୍ଲାସ୍ତରୀୟ ମହିଳା ମହାସଂଘ ଗଠନ କରାଯାଇଛି। ଏଥିରେ ୧୨ ଜଣ ସଦସ୍ୟା ରହିଛନ୍ତି। ଏହି କମିଟିରେ ସୁଜାତା ସାହୁ ସଭାପତି ଥିବାବେଳେ କିଚିନା ମହାପାତ୍ର ଉପସଭାପତି, ସଂପାଦିକା ଭାବେ ମିନତି ସେନାପତି, ସାଧାରଣ ସଂପାଦକ ଭାବେ ଇନ୍ଦିରା ପ୍ରିୟଦର୍ଶିନୀ, ମୀରା ମହାନ୍ତି, କୁସୁମ ଘଡ଼ାଇ, ରେଣୁବାଳା ଶତପଥୀ, ଜ୍ୟୋତ୍ସ୍ନାରାଣୀ ନାଥଶର୍ମା, ସରସ୍ବତୀ ବଳ, ସୌଦାମିନୀ ସାହୁ, ପ୍ରମିଳା ଜେନା ଓ କଳ୍ପନା ନାୟକ ସଦସ୍ୟା  ରହିଛନ୍ତି। ମହିଳାମାନେ ଏହି ପ୍ରକଳ୍ପକୁ ଯତ୍ନର ସହ ଦାୟିତ୍ବ ନେଇ ପରିଚାଳନା କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି। ଏହାଦ୍ବାରା ମହିଳା ସଶକ୍ତୀକରଣ ହେବା ସହ ପ୍ରକଳ୍ପକୁ ବହୁଦିନ ପର୍ଯ୍ୟନ୍ତ ଚଳାଇ ହେବ ବୋଲି ମହାସଂଘର ସଭାପତି ସୁଜାତା ସାହୁ କହିଛନ୍ତି।