ରାଉରକେଲା: ଓଡ଼ିଶାରେ ଗତ କିଛିବର୍ଷ ହେବ ବ‌ାରଂବାର ଓପିଏଲ୍‌ (ଓଡ଼ିଶା ପେପର ଲିକ୍‌) ମାମଲା ସାମ୍ନାକୁ ଆସୁଛି। ଗତ ୧୮ ମାସ ମଧ୍ୟରେ ୧୮ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ପରୀକ୍ଷା (ଆରଆଇ, ଅମୀନ ଓ ଏଏନଏମ୍ ଇତ୍ୟାଦି)ରେ ଅବ୍ୟବସ୍ଥା ଦେଖା ଦେଇଛି। ନିକଟରେ ମାଲକାନଗିରିରେ ଏଏନ୍ଏମ ଓ ଜିଏନ୍ଏମ୍ ପରୀକ୍ଷାର ଆୟୋଜନ କରାଯାଇଥିଲା। ପରୀକ୍ଷାର୍ଥୀ କେନ୍ଦ୍ରରେ ବସିବାର ଠିକ୍‌ ୧୫ ମିନିଟ ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଦର୍ଶାଇ ପରୀକ୍ଷକ ସେମାନଙ୍କଠାରୁ ଖାତା ଛଡ଼ାଇ ନେଇଥିଲେ । ପରୀକ୍ଷାର୍ଥୀମାନେ କାନ୍ଦିକାନ୍ଦି ଘରକୁ ଫେରିଥିଲେ।

Advertisment

ସ୍ବଚ୍ଛ ପରୀକ୍ଷାର ଆୟୋଜନ ପାଇଁ ଗଠନ ହୋଇଥିବା ନିୟନ୍ତ୍ରଣ ବୋର୍ଡ କେତେଦୂର କାର୍ଯ୍ୟକାରୀ

ପରୀକ୍ଷାକୁ ନିୟନ୍ତ୍ରଣ ପାଇଁ ଏକ ବୋର୍ଡ ଗଠନ କରାଯାଇଛି। ଯଦି ଠିକ ଭାବେ ପରୀକ୍ଷା ହୋଇପାରୁ ନାହିଁ । ତେବେ ଏ ବୋର୍ଡର କୌଣସି ଆବଶ୍ୟକ ନାହିଁ। ଯଦି ସରକାର ପିଲାଙ୍କ ପାଇଁ ସ୍ବଚ୍ଛ ପରୀକ୍ଷାର ଆୟୋଜନ କରି ପାରୁନାହାନ୍ତି ତେବେ ଶାସନ ବ୍ୟବସ୍ଥା କେମିତି ଚାଲିଛି ସହଜରେ ଅନୁମେୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଆଣ୍ଟି ପେପର୍ ଲିକ୍ ଆଇନ କେ‌ତେ ଜଣଙ୍କୁ କରିଛି ଦୋଷୀ

ପରୀକ୍ଷା ପରିଚାଳନାରେ ଏଭଳି ଅବ୍ୟବସ୍ଥା ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି। ବର୍ଷବର୍ଷର ପରିଶ୍ରମ ବୃଥା ହେଉଛି। ଛାତ୍ରଛାତ୍ରୀଙ୍କ ଆଶା ମଉଳି ଯାଉଛି। ଏଭଳି ପରିସ୍ଥିତିରେ ପିଲାମାନେ ଅବସାଦ‌ରେ ଶେଷକୁ ପଥଭ୍ରଷ୍ଟ ହେବାର ଯଥେଷ୍ଟ ଆଶଂକା ରହିଛି ବୋଲି ମନୋବିଜ୍ଞାନୀମାନେ କହୁଛନ୍ତି। ପିଲାମାନେ ପାଠପଢ଼ି ଚାକିରି ଖଣ୍ଡେ ପାଇଲେ ପରିବାରର ସ୍ଥିତି ସୁଧୁିରବ ବୋଲି ଗରିବ ବାପା ମା’ ସବୁକିଛି ବାଜି ଲଗାଇ ଦିଅନ୍ତି। ଏପଟେ ବାରଂବାର ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷା ବାତିଲ ହେବା ଦ୍ବାରା ସଂପୃକ୍ତ ଛାତ୍ରଛାତ୍ରୀ ବୟସ ସୀମା ବି ଗଡ଼ିଯିବ। ପେପର୍ ଲିକ୍ ମାମଲାକୁ ହ୍ରାସ କରିବା ପାଇଁ ସରକାର ଏକ ଆଣ୍ଟି ପେପର୍ ଲିକ୍ ଆଇନ ଗଠନ କରିଥିଲେ। ତେବେ ଏହି ଆଇନ କେତେ ଦୂର କାର୍ଯ୍ୟକାରୀ ହୋଇପାରିଛି? ଏହି ଆଇନ କେତେ ଜଣ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଆଣିଛି? କେତେଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି? ପରିଚାଳନାଗତ ବିଭ୍ରାଟ ଯୋଗୁଁ ନଷ୍ଟ ଯେଉଁ ସମୟ ନଷ୍ଟ ହେଉଛି, ପିଲାଙ୍କୁ ତାହା ଫେରାଇ ଦିଆଯାଇପାରିବ କି? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି।

ଅଧିକପଢ଼ନ୍ତୁ:ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ, ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ

ରଜନୀକାନ୍ତ ମିଶ୍ର (ହୃଷୀକେଶ କଲେଜର ଅଧ୍ୟାପକ):

ନିଯୁକ୍ତି ପରୀକ୍ଷା ବାତିଲ ହେବା ଦ୍ବାରା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି। ପୂର୍ବ ସରକାରରେ ମାଫିଆମାନେ ପ୍ରଶ୍ନପତ୍ର ଲିକ କରିବାର ‌ଯେଉଁ କାରବାର କରୁଥିଲେ ସେମାନେ ଏବେ ବି ଉକ୍ତ ଧନ୍ଦାରେ ଲିପ୍ତ ରହିଛନ୍ତି। ଏସବୁ ଅବ୍ୟବସ୍ଥା ମଧ୍ୟରେ ଯଦି ସରକାର ସାମ୍ନାକୁ ଆସି ପିଲାମାନଙ୍କୁ ଦୃଢ଼ତାର ସହ କହିବେ କି , ‘ପରୀକ୍ଷା ବାତିଲ କାରଣରୁ ପରୀକ୍ଷା ଦେବା ପାଇଁ ଯେଉଁପିଲାମାନଙ୍କ ବୟସ ସୀମା ଗଢ଼ି ଯାଉଛି। ସେମାନଙ୍କୁ ବିନା ବାଧାରେ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ।’ ଏହା ଦ୍ବାରା ନିଶ୍ଚିତ ଭାବେ ଅଧିକରୁ ଅଧିକ ପରୀକ୍ଷାର୍ଥୀମାନେ ଉପକୃତ ହେବେ। ବାରମ୍ବାର ପରୀକ୍ଷା ବାତିଲକୁ ନେଇ ଚିନ୍ତିତ ପିଲାମାନେ ଆଶ୍ବସ୍ତି ଅନୁଭବ କରିବେ।

ବୃଷଭ ମହାକୁର (ପରୀକ୍ଷାର୍ଥୀ)

ବାରମ୍ବାର ପରୀକ୍ଷା ବାତିଲ ହେବା ଫଳରେ ଏକାସାଙ୍ଗରେ ପିଲାଙ୍କ ବୟସ, ସମୟ ଓ ଟଙ୍କା ସବୁକିଛି ନଷ୍ଟ ହେଉଛି। ବାତିଲ ପରେ ପୁଣି ଯେବେ ପରୀକ୍ଷା ହେବାକୁ ନିଶ୍ଚିତ ହେଉଛି ସେ ସମୟରେ ପରୀକ୍ଷାର୍ଥୀର ଯଦି କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି ସେ ପରୀକ୍ଷା ଦେଇ ନପାରି ଭାଙ୍ଗିପଡ଼ୁଛି। ପ୍ରତିବର୍ଷ ନିଶ୍ଚିତ ହୋଇଥିବା ସିଡ୍ୟୁଲ ଅନୁଯାୟୀ ପରୀକ୍ଷା ହେବା ଆବଶ୍ୟକ। ପରୀକ୍ଷା ପାଇଁ ଏମିତି କେନ୍ଦ୍ରକୁ ଚିୟନ କରାଯିବା ଉଚିତ । ଯେଉଁଠାରେ ସାମାନ୍ୟ କିଛି ବିଭ୍ରାଟ ହେଲେ ସଙ୍ଗେସଙ୍ଗେ ଲୋକଙ୍କ ନଜରରେ ପଡ଼ିବ। ସମୟସ ମୟରେ ପରୀକ୍ଷାକେନ୍ଦ୍ରଗୁଡ଼ିକ ଏମିତି କିଛି ଉପାନ୍ତଅଞ୍ଚଳରେ ରହିଥାଏ ଯେଉଁଠାରେ ଯୋଗଯୋଗ ସୁବିଧା ବି ନଥାଏ।

ସୌରଭ ଗୁପ୍ତା (ପ୍ରତିଷ୍ଠାତା, କୌଶଲ ଆଇଏଏସ)

ବାରମ୍ବାର ବାତିଲ ହେଉଛି ପରୀକ୍ଷା। ପିଲାଙ୍କ କ୍ୟାରିୟର ସହ ଖେଳାଯାଉଛି। ତେବେ ଏହାର ଦାୟିତ୍ବ କିଏ ନେବା ଉଚିତ ତାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଲାଙ୍କୁ ସରକାର ଟଙ୍କା ଫେରସ୍ତ କରି ପାରିବେ। କିନ୍ତୁ ବିତି ଯାଇଥିବା ସମୟକୁ ଫେରାଇ ପାରିବ କି? ସରକାରଙ୍କ ଉପରେ ପିଲାଙ୍କ ଭରସା ଉଠିଗଲାଣି। ପ୍ରଶ୍ନପତ୍ରରେ ବିଭ୍ରାଟ ପରେ ବିଭ୍ରାଟ ହେତୁ ପିଲାମାନେ ଭାଙ୍ଗି ପଡ଼ି ସମୟ ସମୟରେ ଜୀବନହାରିବା ଭଳି ପଦ‌ାକ୍ଷେପ ନେବାକୁ ଉଦ୍ୟମ କରୁଛନ୍ତି।

ଧରିତ୍ରୀ ବାରିକ (ପରୀକ୍ଷାର୍ଥୀ)

 ଯେକୌଣସି ପରୀକ୍ଷା ହେଉ ପିଲାମାନେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଆନ୍ତି। ଯଦି ‌ଶେଷ ମୂହୁର୍ତ୍ତରେ ପରୀକ୍ଷା ବାତିଲ ହୋଇଯାଏ ପିଲାଙ୍କୁ ଶକ୍ତଧକ୍କା ଲାଗିଥାଏ। ଝିଅପିଲାଙ୍କ କ୍ଷେତ୍ରରେ ପରୀକ୍ଷା ବାତିଲ ବଡ଼ ପ୍ରଭାବ ପକାଇଥାାଏ । ଯଦି ଠିକ୍‌ ସମୟରେ ଛାତ୍ରୀଜଣକ ପରୀକ୍ଷା ଦେଇ ପାରିଲା ନାହିଁ। ପରିବାରଲୋକ ପରୀକ୍ଷାକୁ ନେଇ ଚାପ ପକାଇବା ସହିତ ବିବାହ କରାଇ ଦେଇଥାଆନ୍ତି। ଯାହାଫଳରେ ଛାତ୍ରୀଜଣକ ତାର କ୍ୟାରିୟରକୁ ନେଇ ଦେଖିଥିବା ସବୁ ସ୍ବପ୍ନ ମଉଳି ଯାଇଥାଏ।

ଅଧିକପଢ଼ନ୍ତୁ:ଟ୍ରେନ୍ ଉପରେ ଦେଖିବାକୁ ମିଳିଲା ଫିଲ୍ମି ଦୃଶ୍ୟ, ଭିଡିଓରେ ଦେଖନ୍ତୁ ପୁରା ଘଟଣା