ଫେବ୍ରୁଆରି ୧ରୁ ନଥିବିହୀନ ହେବ ଡ୍ରାଇଭିଂ ଲାଇସେନ୍ସ ଆବେଦନ

ଭୁବନେଶ୍ୱର: ଲର୍ଣ୍ଣର୍ସ ଲାଇସେନ୍ସ ଓ ଗାଡ଼ି ଚାଳନା ଲାଇସେନ୍ସ ଆବେଦନ ଏବେ ଆହୁରି ସହଜ ହେବ। ଫେବ୍ରୁଆରି ୧ ତାରିଖରୁ ଏହି ସୁବିଧା ଉପଲବ୍ଧ ହେବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ସ୍ପଷ୍ଟ କରିଛନ୍ତି। ଆବେଦନପତ୍ର, ଘୋଷଣାପତ୍ର, ସ୍ଲଟ୍‌ ବୁକିଂ ସ୍ଲିପ୍‌, ଦେୟ ଜମା ରସିଦ୍‌, ପରିଚୟପତ୍ର, ଆବାସିକ ପ୍ରମାଣପତ୍ର, ବୟସ ପ୍ରମାଣପତ୍ର, ରକ୍ତଗ୍ରୁପ୍‌ର ପ୍ରମାଣପତ୍ର, ଏ ସବୁର ଅବିକଳ ନକଲ କିମ୍ବା ମୂଳ ପ୍ରମାଣପତ୍ରର ଆଉ ଆବଶ୍ୟକତା ନାହିଁ। ସବୁ ଅନ୍‌ଲାଇନ୍‌ରେ ହେବ। ଗୋଟିଏ ପଟେ ଏହି କମ୍‌ ସମୟରେ ହେବ ଏବଂ ଆବେଦନାକରୀ କାଗଜପତ୍ର ଧରି ଏଣେ ତେଣେ ଦଉଡ଼ିବାକୁ ପଡ଼ିବ ନାହିଁ ବୋଲି ଏସ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆବେଦନ ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ଘରେ ବସି ଅପ୍‌ଲୋଡ୍‌ କରି ହେବ। ସମସ୍ତ କାଗଜପତ୍ର ଅପ୍‌ଲୋଡ୍‌ ହୋଇଯିବା ପରେ ଆବେଦନ କଲେ ଆଉ ସମସ୍ୟା ରହିବ ନାହିଁ।

ଆବେଦନକାରୀ ଅନ୍‌ଲାଇନ୍‌ ଆବେଦନପତ୍ରରେ କେବଳ ରକ୍ତଗ୍ରୁପ୍‌ ଲେଖିବ। ଏଥିପାଇଁ କୌଣସି ପ୍ରମାଣପତ୍ର ଅପ୍‌ଲୋଡ୍‌ କରିବାକୁ ପଡ଼ିବ ନାହିଁ। ସେହିଭଳି ଆବେଦନକାରୀ ଘୋଷଣାପତ୍ର ଡାଉନଲୋଡ୍‌ କରି ପୂରଣ କରିବା ପରେ ପୁଣି ଫଟୋ ଉଠାଇ ଅପ୍‌ଲୋଡ୍‌ କରିଦେବ। ସ୍ଲଟ୍‌ ମିଳିଥିବା ସମୟର ୪୫ ମିନିଟ୍‌ ପୁର୍ବରୁ ଫଟୋ ଉଠାଇବା ଓ କାଗଜପତ୍ର ଯାଞ୍ଚ କରିବା ପାଇଁ ଆବେଦଦନକାରୀ ପହଞ୍ଚିବ। ୬୦ ମିନିଟ୍‌ ପୂର୍ବରୁ ଆବେଦଦନକାରୀକୁ ଭିତରେ ପଶିବାକୁ ଦିଆଯିବ ନାହିଁ। କିନ୍ତୁ ଭେରିଫିକେସନ ସମୟରେ ଅର୍ଥାତ୍‌ ଗୋଟିଏ ଥର ସମସ୍ତ ମୂଳ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ ପଡ଼ିବ। କାଗଜରେ ଆବେଦନପତ୍ର କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ମୋବାଇଲ୍‌ରେ ଅପ୍‌ଲୋଡ୍‌ ହୋଇଥିବା ସମସ୍ତ କାଗଜପତ୍ର ଦେଖା‌ଇଲେ ତାହା ଗ୍ରହଣୀୟ ହେବ। ଉଭୟ ଲର୍ଣ୍ଣର୍ସ ଲାଇସେନ୍ସ ଓ ଚାଳନା ଲାଇସେନ୍ସ ଆବେଦନ ପାଇଁ ପ୍ରକ୍ରିୟା ସମାନ ରହିବ।

ସମ୍ବନ୍ଧିତ ଖବର