ଜୟପୁର: ୪ମାସର ଅଗ୍ରୀମ ଦରମା ଏକାସହ ପୈଠ କରିବା ସହ ୨୦୧୨-୧୫ ତ୍ରିପାକ୍ଷୀକ ଚୁକ୍ତିନାମା ତୁରନ୍ତ ଲାଗୁ କରାଯାଉ। ଏହା ନ ହେବା ପର୍ଯ୍ୟନ୍ତ ଆମେ କାର୍ଯ୍ୟରେ ଯୋଗ ଦେବୁ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସରୋଜ ସୁଆର, ପ୍ରଦୀପ ପାଞ୍ଜିଆ, ବଂଶୀଧର ମହାଙ୍କୁଡ, କେଦାର ଆଚାର୍ଯ୍ୟ, ବନମାଳି ପାତ୍ରଙ୍କ ସହ ଅବସରପ୍ରାପ୍ତ ଶ୍ରମିକ ସଂଘର ନେତା ପ୍ରମ‌ୋଦ ମହାନ୍ତି ଚେତାବନୀ ଦେଇଛନ୍ତି। ଜୁଲାଇ ୧୬ରୁ ବନ୍ଦ ପଡ଼ିଥିବା କାଗଜକଳ କଂଚାମାଲ ପାଇଁ ବନ୍ଦ ଥିଲା। କଂଚାମାଲ ଜମା ହେବା ପରେ ବି ମିଲ୍ ଚାଳିପାରିନି। ମିଲକୁ ତୁରନ୍ତ ଖୋଲିବା ପାଇଁ୨ଟି ଶ୍ରମିକ ସଂଘ କହୁଥିବା ବେଳେ ଆଉ ୨ଟି ସଂଘ ଗତ ୪ତାରିଖରେ ଦେଇଥିବା ଦାବି ପୁରଣ ନହେବା ଯାଏଁ ମିଲ୍ ଚାଳିବାକୁ ଦିଆଯିବ ନି ବୋଲି ଜିଦ୍ ରେ ଅଟଳ ରହିଛନ୍ତି।

Advertisment

କଂଚାମାଲ କିଣିବାକୁ କଂପାନି ନିକଟରେ କୋଟି କୋଟି ଟଙ୍କା ରହିଛି। କିନ୍ତୁ ଶ୍ରମିକଙ୍କର ଦରମା ଦେବାକୁ ନାହିଁକି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। କଂପାନିର କାର୍ଯ୍ୟକଳାପ ସଂଦେହାଜନକ ତେଣୁ ଆମେ ବିଶ୍ବାସକୁ ନେଇ ପାରୁନୁ ବୋଲି ଏମାନେ କହିଛନ୍ତି। ୨୦୧୬ମସିହାରେ ବିଲଟ୍ ଏଭଳି ସମସ୍ୟା ଉପଜାଇବା ପରେ ୧୭ମାସର ଦରମା ବକେୟା ରଖିଥିଲା। ଏହା ପରେ ଆସିଥିବା ଜ୍ୟୋତି ପାୱାର ବି ସେଭଳି ୫ମାସର ଦରମା ‌ବକେୟା ରଖିଥିଲା ବୋଲି ଏମାନେ କହିଛନ୍ତି। ସେଭଳି କଂପାନି ନଭେମ୍ବର ୨୦୨୧ମସିହାରୁ ଆଜି ଯାଏଁ ଜଣେ ଶ୍ରମିକଙ୍କର ବି ଦରମା ଦେଇ ନାହାନ୍ତି। ଯାହା ଦେଉଛନ୍ତି ତାହା ଆଗ୍ରୀମ ଦରମା। ତାହା ପୁଣି ଦେବା‌ରେ ଟାଳଟୁଳ କରୁଛନ୍ତି।

୨୦୧୭ମସିହାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଓ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ଅନୁରୋଧକ୍ରମେ କର୍ମଚାରୀମାନେ କରୁଥିବା ଆନ୍ଦୋଳନକୁ ପ୍ରତ୍ୟହାର କରି ୪ହଜାର କମ୍ ଦରମାରେ କାର୍ଯ୍ୟରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ କଂପାନି ଗୁଡିକ ଏହି ଦରମାର ଅସଙ୍ଗତି ଦୂର କରିବେ ବୋଲି ଚିନ୍ତା କରାଯାଇଥିଲା। ତେବେ କର୍ମଚାରୀ ସଂଘ କିମ୍ବା କେହି ଜାଣିବା ପୂର୍ବରୁ ହିଁ ଜ୍ୟୋତି ପାୱାର କେତେବେଳେ ମଦରଏର୍ଥ ରିସୋର୍ସସ୍ କୁ ବିକ୍ରି କରିବା ସହ ବ୍ୟାଙ୍କରୁ ଋଣ ଆଣି ମୂଳ ମାଲିକଙ୍କୁ ଦେଲା ତାହା କେହି ଜାଣିବି ପାରି ନଥିଲେ। ଏପରିକି ନୂଆ ପରିଚାଳନା ସଂସ୍ଥା ଏଯାଏଁ ୪ଟି ଯାକ କର୍ମଚାରୀ ସଂଘ କିମ୍ବା ସମନ୍ବୟ ସମିତି ସହ ଯେଭଳି ନିୟମ ଅନୁଯାୟୀ ଚୁକ୍ତି କରିବା କଥା କରିନାହିଁ ବୋଲି ଏମାନେ କହିଛନ୍ତି। ଆଜି ୧ଓ୨ଟି ନମ୍ବର ଶ୍ରମିକ ସଂଘର ସଭ୍ୟମାନଙ୍କୁ ନେଇ ସାଧାରଣ ପରିଷଦ ବୈଠକ କରାଯାଇ ନିଷ୍ପତ୍ତି ହୋଇଛି ୪ମାସର ଅଗ୍ରୀମ ଦରମା ଏକା ସହ ଦେବା ସହ ତ୍ରିପାକ୍ଷୀକ ଚୁକ୍ତିକୁ ତୁରନ୍ତ  ଲାଗୁ ନ କରିବା ଯାଏଁ କେହି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଏମାନେ କହିଛନ୍ତି। ଗତ ୧୪ତାରିଖରେ ପ୍ରକାଶ କରିଥିବା ପରିଚାଳନା କର୍ତ୍ତୃପକ୍ଷ ବିଞପ୍ତିକୁ ବିରୋଧ ପରେ ପ୍ରତ୍ୟାହାର କରି ପରବର୍ତ୍ତୀ ସମୟରେ ତାକୁ ହିଁ ୧୬ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ପରିଚାଳନା କର୍ତ୍ତୃପକ୍ଷ ଦାଖଲ କରିବା କେତେ ଦୁର ଯୁକ୍ତିସଂଗତ ବୋଲି ଶ୍ରୀ ସୁଆର ପ୍ରଶ୍ନ କରିଛନ୍ତି।