ପୁରୀ : କାଗଜ ମୁଖାକୁ ମିଳିବ ଜିଆଇ ମାନ୍ୟତା। ଶ୍ରୀକ୍ଷେତ୍ରର ସାହିଯାତ ସଂସ୍କୃତିରେ ଯୋଡ଼ି ହୋଇ ରହିଥିବା ମୁଖା କାରିଗରୀକୁ ଭୌଗଳିକ ପରିଚୟ ଦେବାକୁ ଅଣ୍ଟା ଭିଡ଼ିବ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ। ସେହିପରି ନାୟକପାଟଣାର ତାଳପତ୍ର ପୋଥିଚିତ୍ରକୁ ମଧ୍ୟ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବ। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସଙ୍କେତ ଦିଆଯାଇଛି। ଏ ସଂକ୍ରାନ୍ତରେ ନିର୍ଦ୍ଦେଶାଳୟ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି କରାଯାଇ ସୂଚନା ଦିଆଯିବା ସହ ଏ ସମ୍ପର୍କିତ କାର୍ଯ୍ୟାନ୍ବୟନ ପାଇଁ କୁହାଯାଇଛି।
ପୂର୍ବରୁ ପିପିଲି ଚାନ୍ଦୁଆ, କୋଣାର୍କର ପ୍ରସ୍ତର ସ୍ଥାପତ୍ୟ କାରିଗରୀ ଓ ରଘୁରାଜପୁରର ପଟ୍ଟଚିତ୍ରକୁ ଜିଆଇ ମାନ୍ୟତା ମିଳିସାରିଥିବା ବେଳେ କଳା ସଂସ୍କୃତିର ମାଟି ପୁରୀର ଆଉ ଦୁଇଟି ପାରମ୍ପରିକ କଳାକୁ ମାନ୍ୟତା ମିଳିବା ନେଇ ପ୍ରୟାସ ଆରମ୍ଭ ହୋଇଛି। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୭ଟି ପାରମ୍ପରିକ କଳା ପାଇଁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହା ମଧ୍ୟରେ ପୁରୀର କାଗଜ ମୁଖାକୁ ମାନ୍ୟତା ପାଇଁ ଆବେଦନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଟେକ୍ସଟାଇଲ୍ କମିଟିର ପାଣ୍ଠି ସହାୟତାରେ ତାଳପତ୍ର ପୋଥିଚିତ୍ରକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି।
କାଗଜ ମୁଖା ପାଇଁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆବେଦନ କରିବ
ଟେକ୍ସଟାଇଲ୍ ପାଣ୍ଠି ସହାୟତାରେ ପୋଥିଚିତ୍ରକୁ ଜିଆଇ ପାଇଁ ଆବେଦନ କରାଯିବ
ବୟୋଜ୍ୟେଷ୍ଠ ମୁଖା କାରିଗର କ୍ଷେତ୍ର ମହାରଣାଙ୍କ କହିବା ମୁତାବକ, କାଗଜ ମୁଖା ପୂର୍ବରୁ କେବଳ ଶ୍ରୀକ୍ଷେତ୍ରର ସାହିଯାତରେ ନୃତ୍ୟ ପାଇଁ ପ୍ରସ୍ତୁତ କରାଯାଉଥିଲା। ମାତ୍ର ଏବେ ଅନେକ ନିଜ ଘରେ, କାର୍ଯ୍ୟାଳୟରେ ଓ ହୋଟେଲ୍କୁ କାଗଜ ମୁଖାରେ ସଜାଉଛନ୍ତି। ଯଦିଓ ଓଡ଼ିଶାର ଅଠର ଗଡ଼ଜାତରେ ଏହି କାଗଜ ମୁଖା ଅଳ୍ପ ବହୁତେ ତିଆରି କରାଯାଏ, କିନ୍ତୁ ଏହାର ମୂଳ ମାଟି ହେଉଛି ଶ୍ରୀକ୍ଷେତ୍ର। ସାହିଯାତରେ ରାବଣ, ହନୁମାନ, ଗଣେଶ, ଦୁର୍ଗା ମେଢ଼ ସମେତ ବାଘ, ହାତୀ, କଇଁଛ, କୁମ୍ଭୀର ଆଦି ମୁଖା ପ୍ରସ୍ତୁତ କରାଯାଏ। ପୂରା ପରିବାର ନିୟୋଜିତ ହେଲେ ମଧ୍ୟ ପାରିଶ୍ରମିକ ମିଳେନାହିଁ। ମାତ୍ର ଏହା ଆମଭଳି କାରିଗରଙ୍କ ପେଟ ଚାଖଣ୍ଡକ ପୂରାଇବାରେ ସହାୟ ହୋଇଛି। କାଗଜ, କାଗଜ ପେଟି, ତେନ୍ତୁଳି ମଣ୍ଡ ଅଠାରେ ଏହାକୁ ପ୍ରସ୍ତୁତ କରାଯାଏ। ପୂର୍ବରୁ ପ୍ରାକୃତିକ ରଙ୍ଗ ହେଙ୍ଗୁଳ, ହରିତାଳ, ସଫେଦ, ପିହୁଳୀ, ଖଣ୍ଡନୀଳ, ସିନ୍ଦୂର, ଡିବି କଳା ବ୍ୟବହୃତ ହେଉଥିଲେ ହେଁ ଏବେ ରସାୟନିକ ରଙ୍ଗରେ ତେନ୍ତୁଳି ଅଠା ଦେଇ ଏହାକୁ ପ୍ରସ୍ତୁତ କରାଯାଉଛି। ଏହାର ଆକାର ପ୍ରାୟ ୩ଇଞ୍ଚରୁ ଆରମ୍ଭ ହୋଇ ୧୮ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ। ୩ଶହ ଟଙ୍କାରୁ ନେଇ ୧୫୦୦ ଟଙ୍କାରେ ଏହାକୁ ବିକ୍ରି କରାଯାଏ। ଅନ୍ତତଃ ଭୌଗଳିକ ମାନ୍ୟତା ମିଳିଲେ, ଏହି କଳା ବ୍ୟାପକ ହେବ। ପ୍ରଚାର ପ୍ରସାର ଅଧିକ ହେଲେ ନିଶ୍ଚୟ କାରିଗରମାନେ ରୋଜଗାରକ୍ଷମ ହେବେ। ଯଦିଓ ପୂର୍ବରୁ ବହୁ କଳାକାର ଏଥିରେ ନିୟୋଜିତ ଥିଲେ, ମାତ୍ର ଏବେ ହାତ ଗଣତି କାରିଗର ଏହି କଳା ସହ ସମ୍ପୃକ୍ତ ଅଛନ୍ତି ବୋଲି ସେ କହିଛନ୍ତି।
ସେହିପରି ତାଳପତ୍ର ପୋଥିଚିତ୍ରକୁ ମଧ୍ୟ ଜିଆଇ ମାନ୍ୟତା ପାଇଁ ବାଟ ଫିଟିଛି। କେବଳ ପୁରୀ ଜିଲ୍ଲାରେ ୨ ହଜାରରୁ ଊର୍ଦ୍ଧ୍ବ ତାଳପତ୍ର ପୋଥିଚିତ୍ର ଶିଳ୍ପୀ ରହିଥିବା ବେଳେ ଚନ୍ଦନପୁରସ୍ଥିତ ନାୟକପାଟଣାର ୧୧୦ ପରିବାରର ୪ଶହରୁ ଅଧିକ ଶିଳ୍ପୀ ଏହି କଳାକୁ ଆପଣାଇଛନ୍ତି। ଏହାବ୍ୟତୀତ ରଘୁରାଜପୁର, ନିମାପଡ଼ାର ଗୁହାଳପଡ଼ା, ଅନ୍ଧିଆସାହି, ସତ୍ୟବାଦୀର ରାୟଚକ୍ରଧରପୁର ସମେତ ଖୋର୍ଦ୍ଧାର କାକରୁଦ୍ରପୁର, ଖମାଙ୍ଗ, କାଜିପୁର, ଭିଙ୍ଗାରପୁର ଓ ଜଗନ୍ନାଥପୁରର ମଧ୍ୟ କିଛି ଶିଳ୍ପୀ ତାଳପତ୍ର ପୋଥିଚିତ୍ର କାରିଗରୀ ସହ ଜଡ଼ିତ ଅଛନ୍ତି। ଏନେଇ କଳାକୃତି ବିକାଶ କେନ୍ଦ୍ର ପକ୍ଷରୁ ୨୦୨୦ ମସିହା ଫେବ୍ରୁଆରିରୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି କେନ୍ଦ୍ରର ସମ୍ପାଦକ ପ୍ରସନ୍ନ ନାୟକ କହିଛନ୍ତି। ଶ୍ରୀ ନାୟକଙ୍କ କହିବା ମୁତାବକ, ଜିଆଇ ମାନ୍ୟତା ମିଳିଲେ କାରିଗରମାନେ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। କଳାର ପ୍ରକୃତ ମୂଲ୍ୟ ପାଇବେ। ପାରିଶ୍ରମିକ ବୃଦ୍ଧି ପାଇଲେ ଆହୁରି ଯୁବ କାରିଗରମାନେ ଯୋଡ଼ିହେବେ। ଦେଶ ବିଦେଶରେ ଏହାର ଚାହିଦା ବୃଦ୍ଧି ପାଇବ।