ଜୟପୁର ମିଲ୍‌ରୁ ଆରମ୍ଭ ହେଲା କାଗଜ ଉତ୍ପାଦନ, ୩ ବର୍ଷ ଧରି ବନ୍ଦ ରହିଥିଲା

ଜୟପୁର : ବହୁଦିନର ଅପେକ୍ଷା ସହ ବାଦ ତଥା ବିବାଦ ପରେ ଜୟପୁର ପେପର ମିଲ୍‌ରୁ କାଗଜ ଉତ୍ପାଦନ ଆରମ୍ଭ ହୋଇଛି। ଦୀର୍ଘ ତିନିବର୍ଷ ପରେ ବିଲ୍ଟ ପେପର ମିଲ୍‌ରୁ ପରୀକ୍ଷାମୂଳକ ଭାବେ କାଗଜ ବାହାରଥିବା ବ‌େଳେ କର୍ମଚାରୀଙ୍କ ମନରେ ନୂଆ ଆଶା ସଂଚାର ହୋଇଛି। ପ୍ରଥମଦିନ ପାଖାପାଖି ଦେଢ଼ ଟନ୍ କାଗଜ ବାହାରିଥିବା ବ‌େଳେ ଆସନ୍ତାକିଛି ଦିନରେ ବିକ୍ରି ପାଇଁ କାଗଜ ଉତ୍ପାଦନ ହେବ ବୋଲି ଜଣାପଡ଼ିଛି।

ଜୟପୁର ବ୍ଲକ୍‌ ଗାଗାନାପୁରସ୍ଥିତ ପେପର ମିଲ୍‌ ୩ବର୍ଷ ଧରି ବନ୍ଦ ରହିଥିଲା। ଯାହାଫଳରେ କର୍ମଚାରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କରୋନା ମହାମାରୀ ସମୟରେ କର୍ମଚାରୀ ସଂପୂର୍ଣ୍ଣ ରୋଜଗାର ହରାଇଥିଲେ। ତଥାପି କେଉଁଦିନ ପେପର ମିଲ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ସେହିଦିନର ଅପେକ୍ଷାରେ ରହିଥିଲେ। ବହୁ ପର୍ଯ୍ୟାୟ ଆଲୋଚନା ଓ ଆନ୍ଦୋଳନ ପରେ ପେପର ମିଲ୍ ଉତ୍ପାଦନ ଆରମ୍ଭ କରି କର୍ମଚାରୀଙ୍କ ମଧ୍ୟରେ ଦମ୍ଭ ଭରିଛି। ପରୀକ୍ଷାମୂଳକ ଭାବେ ବାହାରିଥିବା କାଗଜକୁ ଦେଖିଲେ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ସ୍ବାଭାବିକ ଭା‌ବେ କାଗଜ ଉତ୍ପାଦନ ହେବ ବୋଲି କୁହାଯାଉଛି। ତେବେ, ଉତ୍ପାଦନ ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ପ୍ରଚୁର ପରିମାଣରେ କଞ୍ଚାମାଲ ସହ ଯନ୍ତ୍ରପାତି ମରାମତିର ଆବଶ୍ୟକତା ରହିଛି।

୨୦୧୬ ମସିହା ଏପ୍ରିଲ ମାସରେ ଆର୍ଥିକ ସଙ୍କଟ ଦେଖାଦେବାରୁ ପେପର ମିଲ୍ ବନ୍ଦ ହୋଇଯାଇଥିଲା। ପୁଣି ଆରମ୍ଭ କରିବାକୁ ଦାବି ହୋଇ ଆନ୍ଦୋଳନ ଆରମ୍ଭ ହୋଇଥି‌ଲା। ଏହାପରେ ୨୦୧୮ ମସିହା ଜାନୁଆରି ମାସରେ କାଗଜ ଉତ୍ପାଦନ ହୋଇଥିଲା। କିନ୍ତୁ ମେ ମାସରେ ହିଁ ପୁଣି କିଛି କର୍ମଚାରୀଙ୍କ ଧାରଣା, ଆମରଣ ଅନଶନ ଓ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଯାହାଫଳରେ ୨୦୧୮ ମସିହା ଜୁଲାଇ ମାସରୁ କାଗଜ ଉତ୍ପାଦନ ବନ୍ଦ ହୋଇଯାଥିଲା। ଏହାପରେ ପୁଣି କର୍ମଚାରୀ ଓ କମ୍ପାନି କର୍ତ୍ତୃପକ୍ଷ ଆଲୋଚନା କରି ୨୦୧୮ ମସିହା ନଭେମ୍ବରରୁ କାଗଜ ଉତ୍ପାଦନ ଆରମ୍ଭ ହୋଇଥିଲା। ୨୦୧୯ ମସିହା ଏପ୍ରିଲ ମାସରୁ ଉତ୍ପାଦନ ବନ୍ଦ ହୋଇ ପୁନଃକାର୍ଯ୍ୟକ୍ଷମ ହୋଇପାରି ନଥିଲା। ୨୦୨୦ ମସିହାରେ ବିଜିପିପିଏଲ୍ ପେପର ମିଲ୍‌କୁ ଏମ୍‌ଇଆରପିଏଲ୍‌କୁ ବିକ୍ରି କରିଦେଇଥିଲା। ନୂଆ କର୍ତ୍ତୃପକ୍ଷ ୧୫୦କୋଟି ଟଙ୍କା ଋଣ ଆଣି ସେଥିରୁ ୧୦୦ କୋଟି ବିଜିପିପିଏଲ୍‌କୁ ପ୍ରଦାନ କରିଥିଲେ। ବଳକା ଟଙ୍କା ବିନିଯୋଗ କରି କାଗଜ ଉତ୍ପାଦନ ହେଲେ ଅଳ୍ପ ଅଳ୍ପ କରି କର୍ମଚାରୀଙ୍କ ସମସ୍ୟାର ସମାଧାନ ହେବ ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ସହମତି ଭିତ୍ତିରେ ଉତ୍ପାଦନ ଆରମ୍ଭ ହୋଇଛି। କ‌ାଗଜ ଉତ୍ପାଦନ ପ୍ରକ୍ରିୟା ଜାରି ରହିଲେ ସମସ୍ୟାର ସମାଧାନ ହୋଇଯିବ ବୋଲି କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର