ହାଇକୋର୍ଟରେ କାଗଜମୁକ୍ତ ଅଦାଲତ ବ୍ୟବସ୍ଥା ଉଦ୍‌ଘାଟିତ

ଇ-ଫାଇଲିଂ ଦ୍ବାରା ଲୋକେ ତ୍ବରିତ ନ୍ୟାୟ ପାଇବେ: ଜଷ୍ଟିସ୍‌ ଚନ୍ଦ୍ରଚୂଡ଼

କଟକ : କାଗଜମୁକ୍ତ କୋର୍ଟ ବ୍ୟବସ୍ଥା ଓ ଇ-ଫାଇଲିଂ ଦ୍ବାରା ଲୋକମାନେ ତ୍ବରିତ ନ୍ୟାୟ ପାଇପାରିବେ ବୋଲି ସୁପ୍ରିମ୍‌କୋର୍ଟ ବିଚାରପତି ତଥା ସୁପ୍ରିମ୍‌କୋର୍ଟ ଇ-କମିଟି ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ କହିଛନ୍ତି।

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ଆଇନଜୀବୀଙ୍କ ପାଇଁ ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନ୍, ‌ହାଇକୋର୍ଟ ରେକର୍ଡ ରୁମ୍ ଡିଜିଟାଇଜେସନ୍ ସେଣ୍ଟର, ଓଡ଼ିଶା ହାଇକୋର୍ଟ ପେପରଲେସ୍ ବେଞ୍ଚ୍, ଓଡ଼ିଶା ଜୁଡିସିଆଲ ଏକାଡେମିଠାରେ ଭିଡିଓ କନ୍‌ଫେରନ୍ସିଂ ବ୍ୟବସ୍ଥାରେ କୋର୍ଟ କାର୍ଯ୍ୟ ସଂପର୍କିତ ବିଚାରବିଭାଗୀୟ ଅଧିକାରୀଙ୍କ ପ୍ରଶିକ୍ଷଣ, କଟକ ଜିଲ୍ଲା ବାର୍ ଆସୋସିଏସନ ଆଇନଜୀବୀଙ୍କ ଜିଲ୍ଲା ଅଦାଲତ ଇ-ଫ‌ାଇଲିଂ, ଇ-ପେମେଣ୍ଟ ଓ ଅନ୍ୟାନ୍ୟ ଇ-ସେବା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ଘାଟନ କରି ଜଷ୍ଟିସ୍‌ ଚନ୍ଦ୍ରଚୂଡ କହିଛନ୍ତି ଯେ, ଫିଜିକାଲ କୋର୍ଟ ରେକର୍ଡ ଅପେକ୍ଷା ଡିଜିଟାଲ ରେକର୍ଡ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ କମ୍ ସମୟ ଓ ସମ୍ବଳ ଖର୍ଚ୍ଚ ହୋଇଥାଏ। ସମୟ ସହିତ ବିଚାରବିଭାଗୀୟ କାର୍ଯ୍ୟରେ ଜ୍ଞାନକୌଶଳ ବ୍ୟବହାର କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବିଚାରାଧୀନ ମାମଲା ସବୁଠାରୁ ବଡ଼ ପ୍ରତିବନ୍ଧକ। ବିଭିନ୍ନ ହାଇକୋର୍ଟରେ ପ୍ରାୟ ୫୬ ଲକ୍ଷ ମାମଲା ବିଚାରାଧୀନ ରହିଛି। ଓଡ଼ିଶା ହାଇକୋର୍ଟରେ ଏବେ ୧ ଲକ୍ଷ ୮୨ ହଜାରରୁ ଅଧିକ ବିଚାରାଧୀନ ମାମଲା ମଧ୍ୟରୁ ୮୪୨ଟି ୩୦ ବର୍ଷରୁ ଅଧିକ ପୁରୁଣା ମାମଲା ରହିଛି। ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଓ ପେପରଲେସ୍ କୋର୍ଟ ବ୍ୟବସ୍ଥା ଦ୍ବାରା କୋର୍ଟ କାର୍ଯ୍ୟ ସଂପାଦନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେବ ଏବଂ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ। ପେପରଲେସ୍ କୋର୍ଟ ବ୍ୟବସ୍ଥା ସହଜ ଓ ପରିବେଶ ଅନୁକୂଳ। ଯଦି ପକ୍ଷଙ୍କୁ ଇଲେକ୍ଟ୍ରୋନିକାଲି ମାମଲା ଦାଖଲ ପାଇଁ ସୁଯୋଗ ଦିଆ ନ ଯାଏ ତେବେ ପେପରଲେସ୍ କୋର୍ଟର କିଛି ମାନେ ରହିବ ନାହିଁ। ବିଚାରପତି, ଆଇନଜୀବୀ ଓ ବିଚାରବିଭାଗୀୟ ଅଧିକାରୀ ନିଜ ମନୋଭାବରେ ପରିବର୍ତ୍ତନ ଆଣି କୋର୍ଟ କାର୍ଯ୍ୟ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ ଗୁରୁତ୍ବାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର, ଓଡ଼ିଶା ଜୁଡିସିଆଲ ଏକାଡେମି ଅଧ୍ୟକ୍ଷ ତଥା ବିଚାରପତି ଜଷ୍ଟିସ୍‌ ସଂଜୟ କୁମାର ମିଶ୍ର, ହାଇକୋର୍ଟ ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମିଟି ଅଧ୍ୟକ୍ଷ ତଥା ବିଚାରପତି ଜଷ୍ଟିସ୍‌ ବିଶ୍ବଜିତ୍‌ ମହାନ୍ତି, କମିଟି ସଦସ୍ୟ ତଥା ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଜଷ୍ଟିସ୍‌ ବି.ଆର୍‌. ଷଡଙ୍ଗୀ, ଜଷ୍ଟିସ୍‌ ଦେବବ୍ରତ ଦାଶ, ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ୍ ବିଶ୍ବନାଥ ରଥ, ଜଷ୍ଟିସ୍ କେ.ଆର୍‌. ମହାପାତ୍ର, ଜଷ୍ଟିସ୍ ବି.ପି. ରାଉତରାୟ, ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ୍‌ ସାବିତ୍ରୀ ରଥ, ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଜଗବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର