ଘରକୁ ଫେରିଲେ ପପୁ

ଭୁବନେଶ୍ୱର: ଅଗ୍ନାଶୟ ଜନିତ ସଂକ୍ରମଣରେ ପୀଡ଼ିତ ହୋଇ ୨ମାସ ହେଲା ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଓଲିଉଡ୍‌ର ବିଶିଷ୍ଟ ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ ଘରକୁ ଫେରିଛନ୍ତି। ତାଙ୍କୁ ଏମ୍‌ସରୁ ଡିସଚାର୍ଜ କରାଯିବା ପରେ ସୋମବାର ରାତି ପ୍ରାୟ ସାଢ଼େ ୧ଟାରେ ପପୁ, ତାଙ୍କ ପତ୍ନୀ, ବ୍ୟକ୍ତିଗତ ଡାକ୍ତର ସୌମ୍ୟରଂଜନ ଓ ବନ୍ଧୁ ଗିଟୁ ସ୍ୱାଇଁ ସ୍ୱତନ୍ତ୍ର ଏୟାର୍‌ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଅପେକ୍ଷାରତ ଅଭିନେତା ସବ୍ୟସାଚୀ ତାଙ୍କୁ ପାଛୋଟି ଆଣିଥିଲେ। ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ପୂରା ଠିକ୍‌ ହୋଇ ନଥିବାରୁ ତାଙ୍କୁ ଲୋକଗହଳିଠାରୁ ଦୂରେଇ ରଖିବା ପାଇଁ ଏ ସଂପର୍କରେ କାହାରିକୁ ଆଗୁଆ ଖବର ଦିଆଯାଇ ନ ଥିଲା। ପପୁଙ୍କ ପରିବାର, ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟତୀତ ଆଉ କେହି ଏ ଖବର ଜାଣି ନଥିଲେ। ତେବେ ଆଜି ପପୁଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ରାଜ୍ୟବାସୀ ଏ ସଂପର୍କରେ ଜାଣିବାକୁ ପାଇଥିଲେ।

ଏମ୍‌ସରୁ ଡିସ୍‌ଚାର୍ଜ ହୋଇଥିଲେ ହେଁ ପପୁ ଏପର୍ଯ୍ୟନ୍ତ ପୂରାପୂରି ସୁସ୍ଥ ହୋଇ ନଥିବା ଜଣାଯାଇଛି। ଡାକ୍ତରଙ୍କ ମତ ଅନୁଯାୟୀ, ପପୁ ଅସାଧ୍ୟ ରୋଗକୁ ଜୟ କରି ଫେରିଛନ୍ତି। ଏଥିପାଇଁ ଆଗାମୀ ଦିନରେ ତାଙ୍କୁ ଯଥେଷ୍ଟ ବିଶ୍ରାମ ନେବାର ଆବଶ୍ୟକତା ରହିଛି। ଅଧିକ କଥା ନ କହିବା ଏବଂ ଭିଡ଼ ଓ ଜନଗହଳିଠାର ଦୂରେଇ ରହିବା ତାଙ୍କ ପାଇଁ ଭଲ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ତେବେ ଧୀରେଧୀରେ ସେ ପୂର୍ବପରି ସବୁ କାମଦାମ କରିପାରିବେ। ସୂଚନା ଅନୁଯାୟୀ ପପୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର ଅର୍ଥରାଶି ସହାୟତା ଦେଇଥିବା ବେଳେ ତାଙ୍କ ଚିକିତ୍ସାରେ ସର୍ବମୋଟ ୪୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ମଧ୍ୟ ଆଉ କିଛି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ପପୁଙ୍କ ଫେରିବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ବାର୍ତା ଆସୁଛି। ମନ୍ତ୍ରୀ ପ୍ରତାପ ଜେନା, ଚଳଚ୍ଚିତ୍ର ନିଗମ ଓ ଓଲିଉଡ୍‌ କଳାକାର ଆସୋସିସନ୍‌ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। କିଛି ସମର୍ଥକ ତାଙ୍କୁ ଦେଖା କରିବା ପାଇଁ ଆଜି ଖଣ୍ଡଗିରିସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ପପୁ ଆଜି ଦିନତମାମ କାହାକୁ ଦେଖାକରି ନଥିଲେ।

ଅପରପକ୍ଷେ ଚିକିତ୍ସିତ ହୋଇ ଫେରିବା ପରେ ପପୁଙ୍କ ପୂର୍ବ ଚେହେରା ଓ ବର୍ତମାନ ଚେହେରା ଭିତରେ ଫରକ୍‌ ଦେଖାଯାଇଛି। ଗଣମାଧ୍ୟମରେ ଭାଇରାଲ ହୋଇଥିବା ତାଙ୍କ ଭିଡିଓରେ ରାଜ୍ୟବାସୀ ଏହା ଦେଖିବାକୁ ପାଇଛନ୍ତି। ଉକ୍ତ ଭିଡିଓରେ ସେ କହିଛନ୍ତି, ‘ନମସ୍କାର, ମୁଁ ପପୁ ପମ୍‌ ପମ୍‌। ଭାରି ଅସୁସ୍ଥ ଥିଲି। ଦିଲ୍ଲୀ ଏମସ୍‌ରେ ଚିକିତ୍ସା ହେଉଥିଲି। ଦୀର୍ଘ ଦୁଇ ମାସ ଏମସ୍‌ରେ ଚିକିତ୍ସା ହେବା ପରେ ଗତକାଲି ଘରକୁ ଫେରିଛି। ଏସବୁ କେବଳ ପ୍ରଭୁ ଜଗନ୍ନାଥ ଓ ଦର୍ଶକଙ୍କ ଆଶୀର୍ବାଦ ଓ ଭଲପାଇବା ପାଇଁ ସମ୍ଭବ ହୋଇପାରିଛି। ଡାକ୍ତର କହୁଥିଲେ ବହୁତ ଅସୁବିଧା ଭିତରେ ଅଛି, ମୋର ଦେହ ସୁସ୍ଥ ହେବା ସମ୍ଭବ ନୁହେଁ। ହେଲେ ସୁସ୍ଥ ହୋଇ ଫେରିଛି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ମୋତେ ଫେରାଇ ଆଣିଛି’। ଅଭିନେତା ସବ୍ୟସାଚୀ ମିଶ୍ର ଏହି ଭିଡିଓ ଉତ୍ତୋଳନ କରିଥିବା ବେଳେ ଆଜି ଏହାକୁ କିଛି ଗଣମାଧ୍ୟମ ପ୍ରତିନିଧି ଓ ଚଳଚ୍ଚିତ୍ର ତାରକାଙ୍କୁ ପଠାଇଥିଲେ। ପରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।

ସମ୍ବନ୍ଧିତ ଖବର