ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଏମ୍ସ ଆଇସିୟୁରେ ଚାଲିଛି ଚିକିତ୍ସା : ସୋସିଆଲ ମିଡିଆରେ ଚାଲିଛି ଅପପ୍ରଚାର

ଭୁବନେଶ୍ୱର: ପାନ୍‌କ୍ରିୟାସ୍‌ ରୋଗରେ ପୀଡିତ ଥିବା ଓଡ଼ିଶା ସିନେ ଜଗତର  ହାସ୍ୟ ଅଭିନେତା ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ତେବେ ପପୁଙ୍କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଖବରକୁ ମିଥ୍ୟା ଓ ଅପପ୍ରଚାର ବୋଲି କହିଛନ୍ତି ତାଙ୍କ  ପରିବାରବର୍ଗ।

ସୋସିଆଲ ମିଡିଆରେ ଏଭଳି ଅପପ୍ରଚାର ବନ୍ଦ କରି ପପୁ କିପରି ସୁସ୍ଥ ହୋଇ ଘରକୁ ଫେରନ୍ତୁ ସେ ନେଇ ତାଙ୍କ ସମ୍ପର୍କୀୟ ଅଭିଷେକ ଦାସ ଅନୁରୋଧ କରିଛନ୍ତି। ପପୁ ଏବେ ଏମ୍ସରେ  ଏ ବି ୮ ଆଇସିୟୁ ନମ୍ବର ୪ରେ ଚିକିତ୍ସିତ ହେଉଛନ୍ତି। ଗ୍ୟାଷ୍ଟ୍ରୋଲୋଜି ବିଭାଗର ପ୍ରଫେସର ଅନୁପ ସାରାୟଙ୍କ ନେତୃତ୍ୱରେ ଗଠିତ ୬ଜଣିଆ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ପପୁଙ୍କ ନାକ ବାଟେ ତରଳ ଖାଦ୍ୟ ଦିଆଯାଉଥିବା ନେଇ ଅଭିଷେକ କହିଛନ୍ତି। ଦିନେ କିମ୍ବା ଦୁଇଦିନ ମଧ୍ୟରେ ସେ ସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି।

ଗତ ବୁଧବାର ତାଙ୍କର ରକ୍ତ ପରୀକ୍ଷା କରାଯାଇଛି, ଯାହାର ଗୁରୁବାର ରିପୋର୍ଟ ଆସିବାର ଅଛି। ଏହା ସହିତ ଆଜି ପପୁଙ୍କ ସ୍ୱାସ୍ଥ୍ୟାର ଅନ୍ୟାନ୍ୟ ପରୀକ୍ଷା ହେବାର ମଧ୍ୟ ରହିଛି। ଆଗାମୀ ୩ରୁ ୪ଦିନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ  ଉନ୍ନତି ଆସିପାରେ ବୋଲି ଡାକ୍ତର କହିଛନ୍ତି। ଏମ୍ସରେ ପପୁଙ୍କ ନିକଟରେ ସ୍ତ୍ରୀ ସଙ୍ଗୀତା ଶତପଥୀ, ମହାଦେବ ସିନେମାର ପ୍ରଯୋଜକ ପ୍ରଦୀପ୍ତ କୁମାର ସ୍ୱାଇଁ ଓ ଅନ୍ୟଜଣେ ସମ୍ପର୍କୀୟ ରଞ୍ଜନ ଦାଶ ଉପସ୍ଥିତ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ତିନି ଦିନ ତଳେ ସୁଟିଂ ସେଟରୁ ଘରକୁ ଫେରିବା ସମୟରେ ପପୁଙ୍କ ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ଅଧିକ ଚିକିତ୍ସା ଦରକାର ପଡ଼ିବାରୁ ଦିଲ୍ଲୀ ଏମସ୍‌କୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର