ସମାଲୋଚନାର ଶିକାର ହେବା ପରେ କ୍ଷମା ମାଗିଲେ ପପୁ ପମ୍‌ପମ୍‌, ଥାନାରେ ମାମଲା ରୁଜୁ

ଭୁବନେଶ୍ୱର: କଣ୍ଠଶିଳ୍ପୀ ରାନୁ ମଣ୍ଡଳଙ୍କ ସ୍ୱର ନକଲ କରି ଗୀତ ଗାଇ ପ୍ରଶଂସକଙ୍କ ଦ୍ୱାରା ସମାଲୋଚନାର ଶିକାର ହେବା ପରେ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ମଙ୍ଗଳବାର କ୍ଷମା ମାଗିଛନ୍ତି। ପପୁ ପମ୍‌ପମ୍‌ କହିଛନ୍ତି, ରାନୁ ମଣ୍ଡଳଙ୍କୁ ସମାଲୋଚନା କରିବାର ଉଦ୍ଦେଶ୍ୟ ନଥିଲା ବରଂ ତାଙ୍କୁ ଶୁଭେଚ୍ଛା ଜଣାଇବାର ଉଦ୍ଦେଶ୍ୟ ଥିଲା । ପପୁ କହିଛନ୍ତି, ଦୋଷ ବାହାର କରିବାରେ ଲୋକମାନେ ସ୍ୱୟଂ ଭଗବାନଙ୍କୁ ଛାଡ଼ି ନାହାନ୍ତି। ମୁଁ ତ ମଣିଷ ଟିଏ, ମୋତେ ଅବା କେମିତି ଛାଡ଼ିବେ।

ଅନ୍ୟପକ୍ଷରେ ପପୁଙ୍କ ବିରୋଧରେ କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ନିଶ୍ଚିତକୋଇଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚ ତରଫରୁ ଏହି ଏତଲା ଦିଆଯାଇଛି। ରାନୁ ମଣ୍ଡଳଙ୍କୁ ପପୁ ପମ୍‌ପମ୍‌ ଅପମାନିତ କରିଥିବା ଏତଲାରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ସୋସିଆଲ ମିଡିଆରେ ସେନସେସନ୍‌ ପାଲଟିଥିବା ରାନୁ ମଣ୍ଡଳ ବଲିଡଡ୍‌ ସଂଗୀତ ନିର୍ଦେଶକ ହିମେଶ ରେଶମିୟାଁଙ୍କ ସହ ଯେଉଁ ଗୀତ ରେକର୍ଡ କରିଛନ୍ତି, ତାର ଏକ ଛୋଟିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି। ଆଉ ଏହି ଗୀତ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଥିବା ବେଳେ, ଅନେକ ମଧ୍ୟ ଏହି ଭିଡିଓର ନକଲ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଆଉ ଏମାନଙ୍କ ତାଲିକାରେ ପପୁ ପମ୍‌ପମ୍‌ ବି ସାମିଲ ହୋଇ ବିବାଦ ଘେରକୁ ଆସିଛନ୍ତି। ବହୁ ଲୋକ ଏଥିପାଇଁ ପପୁ ପମପମଙ୍କୁ ସମାଲୋଚନା କରିଛନ୍ତି।

ତେବେ ଏହି ଘଟଣାକୁ ନେଇ ପପୁ ମୁହଁ ଖୋଲିଛନ୍ତି। ପପୁ କହିଛନ୍ତି, ‘ମୁଁ ମଧ୍ୟ ରାନୁ ମଣ୍ଡଳଙ୍କୁ ପ୍ରଶଂସା ଓ ସମ୍ମାନ କରେ। ରାନୁଙ୍କ ନକଲ କରି ଅଭିନୟ କରିବା ତାଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ କରାଯାଇନାହିଁ। ଏମିତି ଅନେକ ଲୋକ ତାଙ୍କର ନକଲ କରିଛନ୍ତି। ଟିକଟକ୍‌ରେ ଏମିତି ଅନେକ ଭିଡିଓ ପୋଷ୍ଟ ଓ ସେୟାର ବି ହୋଇଛି। ମୁଁ ରାନୁଙ୍କୁ ଏକା ନକଲି କରି ନାହିଁ, ତାଙ୍କୁ ଅନେକ ନକଲ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।’

ପପୁଙ୍କ ଦ୍ୱାରା ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଯେଉଁ ଭଳିଭାବେ ରାନୁ ମଣ୍ଡଳ ଗୀତ ଗାଉଥିଲେ ଏବଂ ତାଙ୍କ ପାଖରେ ହିମେଶ ରେଶମିୟା ଛିଡା ହୋଇ ତାଙ୍କୁ ଉତ୍ସାହିତ କରୁଥିଲେ। ଠିକ୍‌ ସେହିପରି ପପୁ ଏକ ଶାଢି ପିନ୍ଧି ରାନୁ ମଣ୍ଡଳ ସାଜିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ହିମେଶ ରେଶମିୟାଙ୍କ ଭଳି ତାଙ୍କୁ ଉତ୍ସାହିତ କରୁଛନ୍ତି। ଏଥିରେ ପପୁ ରାନୁଙ୍କ ସ୍ୱରରେ ଗୀତ ଗାଇ ନକଲ କରୁଛନ୍ତି। ତେବେ ପପୁ ଜଣେ ଅଭିନେତା ହୋଇ ମଧ୍ୟ ପ୍ରତିକୂଳ ପରିସ୍ଥିତିରୁ ବାହାରି ଚର୍ଚ୍ଚିତ ହୋଇଥିବା ରାନୁଙ୍କୁ ନକଲ କରିବା ଏବେ ବିବାଦର ବିଷୟ ହୋଇଛି।

ସମ୍ବନ୍ଧିତ ଖବର