ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପରିସରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଏ ସମ୍ପର୍କରେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଅଗ୍ନିକାଣ୍ଡକୁ ନେଇ ନିକଟବର୍ତ୍ତୀ ଗାଁରେ ଆତଙ୍କ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ସମୟରେ ତୈଳ ବିଶୋଧନାଗାର ପରିସରରେ ଥିବା ୩୩୬ ସବ୍‌ଷ୍ଟେସନ ୟୁନିଟ୍‌ ଏଫ୍‌ଏଫସି ପାଖରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ୯ଟି ଦମକଳ କେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏଥିସହିତ, ତୈଳ ବିଶୋଧନାଗାରର ନିଜସ୍ୱ ଅଗ୍ନିକାଣ୍ଡ ନିରାପତ୍ତା ବିଭାଗ ମଧ୍ୟ ସଜାଗ ହୋଇ ଉଠିଥିଲା। ଏହି ଦୁଇଟି ଟିମ୍‌ର ମିଳିତ ପ୍ରୟାସରେ ନିଆଁକୁ ଆୟତ୍ତ କରାଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କାରଖାନା ପରିସରରୁ ଧୂଆଁ ବାହାରୁଥିଲା। ଏହି ଧୂଆଁକୁ ଦେଖି ତୈଳ ବିଶୋଧନାଗାର ନିକଟବର୍ତ୍ତୀ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏଠାରେ ସମସ୍ତ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି ବୋଲି ବିଶୋଧନାଗାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର