ଭୁବନେଶ୍ବର: ସାରା ରାଜ୍ୟରେ ଏବେ ତାତି ଉପରମୁହାଁ। ଉପାନ୍ତରୁ ଉପକୂଳ ହେଉ ଅଥବା ପଶ୍ଚିମରୁ ଦକ୍ଷିଣ, କେଉଁଠି ବି ତାତିରୁ ନିସ୍ତାର ମିଳୁନି। ବୌଦ୍ଧ ସହର ତ ଆଜି ସବୁ ରେକର୍ଡ ଭାଙ୍ଗି ଚଳିତବର୍ଷର ଉତ୍ତପ୍ତ ସହର ପାଲଟିଛି। ଅପରାହ୍ଣରେ ଏଠାକାର ତାପମାତ୍ରା ୪୦.୫ ଡିଗ୍ରିରେ ପହଞ୍ଚିଥିଲା। ଏଥିସହ ୧୨ଟି ସହରର ପାରଦ ୩୮ ଡିଗ୍ରି ଅତିକ୍ରମ କରିଛି। ପ୍ରଥମ ଥର ପାଇଁ ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଅତିକ୍ରମ କରିଥିବା ବେଳେ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ବର ତାପମାତ୍ରା ଯଥାକ୍ରମେ ୩୭ ଡିଗ୍ରି ଓ ୩୬.୬ ଡିଗ୍ରି ରହିଥିଲା। ଆଗାମୀ ୪ ଦିନ ମଧ୍ୟରେ ଦିନରେ ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି।
ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ଏଥିସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍) ପରିସ୍ଥିତି ଉପୁଜିବ। ତାହାକୁ ନଜରରେ ରଖି ୧୬ ତାରିଖ ପର୍ଯ୍ୟନ୍ତ ଆଇଏମ୍ଡି ପକ୍ଷରୁ ହିଟ୍ୱେଭ୍ ସହ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୩ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୪ ତାରିଖ ଅର୍ଥାତ୍ ଦୋଳ ପୂର୍ଣ୍ଣିମାରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧରେ ହିଟ୍ୱେଭ୍ ସହ ପ୍ରଚଣ୍ଡ ଗରମ ଅନୁଭୂତ ହେବ। ସ୍ଥାନେ ସ୍ଥାନେ ତାପମାତ୍ରା ୪୩ ଡିଗ୍ରିରେ ପହଞ୍ଚିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହର ମୁକାବିଲା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ଅନୁଗୁଳ, ସୁବର୍ଣ୍ଣପୁର, ବରଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଦିନ ବେଳେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ବରଗଡ଼ରେ ଉଷ୍ମ ରାତି ରହିବ। ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନୁରୂପ ଭାବେ ୧୫ ତାରିଖ ଅର୍ଥାତ୍ ହୋଲି ଦିନ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର କେତେକ ଅଞ୍ଚଳ ତତଲା ତାଉଆରେ ଭାଜି ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଦିନ ବରଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଦିନରେ ଗ୍ରୀଷ୍ମପ୍ରବାହ ଏବଂ ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରାତି ଉଷ୍ମ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୧୫ ତାରିଖ ଭଳି ୧୬ ତାରିଖରେ ମଧ୍ୟ କେତେକ ଜିଲ୍ଲାରେ ପାରଦ ୪୧ ଡିଗ୍ରି ଉପରେ ରହିବ। ଓଡ଼ିଶାର ଅଧା ଜିଲ୍ଲା ପ୍ରଭାବିତ ହେବାକୁ ଥିବାରୁ ଲୋକେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଏସ୍ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ପାଇଁ ସହନଶୀଳ ହୋଇଥିବା ବେଳେ ଛୋଟପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥଙ୍କ ପାଇଁ ହାନିକାରକ। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ନ ରହିବା, ହାଲୁକା ପୋଷାକ ପରିଧାନ କରିବା, ପିକ୍ ସମୟ ଅର୍ଥାତ୍ ୧୧ଟାରୁ ସାଢ଼େ ୩ଟା ମଧ୍ୟରେ ବାହାରକୁ ଯିବା ସମୟରେ ଓଦା କପଡ଼ା, ଟୋପି, ଛତା ମାଧ୍ୟମରେ ମୁଣ୍ଡକୁ ଘୋଡ଼ାଇବା, ପର୍ଯ୍ୟାପ୍ତ ପରିମାଣର ପାଣି ସମେତ ଓଆର୍ଏସ୍, ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ଆଦି ପିଇବା ଆବଶ୍ୟକ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଥଣ୍ଡା ସ୍ଥାନରେ ରଖିବା ସହ ପାନୀୟ ଜଳ ସୁବିଧା ଉପଲବ୍ଧ କରିବା ଏବଂ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଆଜି ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ବଲାଙ୍ଗୀରରେ ୩୯.୯, ଟିଟିଲାଗଡ଼ରେ ୩୯.୫, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୩୯.୪, ସମ୍ବଲପୁରରେ ୩୯.୩, ବାରିପଦାରେ ୩୯, ସୋନପୁରରେ ୩୮.୯, ଭଦ୍ରକରେ ୩୮.୮, ହୀରାକୁଦରେ ୩୮.୭, ରାଉରକେଲା ଓ ଭବାନୀପାଟଣାରେ ୩୮.୪ ଡିଗ୍ରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/04/jQUenJQzBvbMIvoIyoHg.jpg)