ପାରାସିଟାମଲରେ ହୋଇପାରୁଛି କରୋନା ପ୍ରତିକାର, ସ୍ୱଳ୍ପ ଲକ୍ଷଣ ପାଇଁ ଆବଶ୍ୟକ ନାହିଁ ଆଣ୍ଟିବାୟୋଟିକ

ଭୁବନେଶ୍ବର: କରୋନାର ସ୍ୱଳ୍ପ ଲକ୍ଷଣ ଥିଲେ ଅଯଥାରେ ଅଧିକ ଔଷଧ ଖାଆନ୍ତୁ ନାହିଁ । ରୋଗୀଙ୍କ ପାଇଁ କେବଳ ପାରାସିଟାମଲ୍ ହିଁ ଯଥେଷ୍ଟ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ଏହାସହ ଆଂଟି-ବାୟୋଟିକର ବହୁଳ ବ୍ୟବହାର ନେଇ ଚିନ୍ତା ପ୍ରକଟ କରାଯାଇଛି । ରାଷ୍ଟ୍ରୀୟ କୋଭିଡ୍ ଟାକ୍ସ ଫୋର୍ସର ସଦସ୍ୟ ସଂଜୟ ପୂଜାରୀ କହିଛନ୍ତି, ସ୍ୱଳ୍ପ ଲକ୍ଷଣରୁ ରକ୍ଷା ପାଇଁ ଆଜିଥୋମାଇସିନ୍ ଓ ମଲ୍ନୁ-ପିରାଭିର ବ୍ୟବହାର ପାଇଁ ଅନୁମତି ଦିଆଯାଇନାହିଁ । ଯେଉଁ ରୋଗୀ ଟିକା ନେଇନାହାନ୍ତି, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ସେମାନଙ୍କ ପାଇଁ ଆଂଟିବାୟୋଟିକର ଆବଶ୍ୟକତା ରହିଛି ।

ଅଳ୍ପ ଲକ୍ଷଣ ପାଇଁ ଅନାବଶ୍ୟକ ଆଣ୍ଟି-ବାୟୋଟିକ । ପାରାସିଟାମଲରେ ହୋଇପାରୁଛି ପ୍ରତିକାର । ନିକଟରେ ୩୫ ଜଣ ବିଶିଷ୍ଟ ଡାକ୍ତର ଅତ୍ୟଧିକ ଟେଷ୍ଟିଂ ଓ ଆଣ୍ଟିବାୟୋଟିକ୍, ଆଣ୍ଟିଭାଇରାଲ ଔଷଧ ବ୍ୟବହାର ହେଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଅନାବଶ୍ୟକ ଭାବେ ଏହି ବ୍ୟବହାର ବନ୍ଦ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଖୋଲା ଚିଠି ଲେଖିଥିଲେ ।

ପୂର୍ବ ଲହର ତୁଳନାରେ ତୃତୀୟ ଲହରରେ ଅଧିକାଂଶ ଆକ୍ରାନ୍ତ ଗୁରୁତର ହେଉନାହାନ୍ତି । ରୋଗୀଙ୍କ ଠାରେ ସାମାନ୍ୟ ଲକ୍ଷଣ ରହୁଛି । ସେମାନଙ୍କ ଚିକିତ୍ସା ପାଇଁ ପାରାସିଟାମଲ ଯଥେଷ୍ଟ ବୋଲି କହିଛନ୍ତି କୋଭିଡ ଟାସ୍କଫୋର୍ସର ବିଶେଷଜ୍ଞ । ସାଧାରଣ ଜ୍ୱର ଓ ମାଂସପେଶୀ ଯନ୍ତ୍ରଣା ପାଇଁ ବ୍ୟବହାର ହେଉଥିବା ପାରାସିଟାମଲ ଏବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଭଲ କାମ କରୁଛି । ଓମିକ୍ରନ ପ୍ରଜାତି ଦ୍ରୁତ ସଂକ୍ରମଣ କରୁଥିଲେ ମଧ୍ୟ ଘାତକ ହେଉନଥିବା ନେଇ ବିଶ୍ୱବ୍ୟାପୀ ଅଧ୍ୟୟନରୁ ସୂଚନା ମିଳୁଛି । ତେଣୁ ସାମାନ୍ୟ ଜ୍ୱର କିମ୍ବା ଥଣ୍ଡା କାଶ ହେଲେ ପାରାସିଟାମଲ ଓ ଲିଭୋସେଟିରିଜିନ ଭଳି ଔଷଧ ଯଥେଷ୍ଟ ବୋଲି କହିଛନ୍ତି ବିଶେଷଜ୍ଞ । ଏପରିକି ଜ୍ୱର କିମ୍ବା ଅନ୍ୟ ଯନ୍ତ୍ରଣା ନଥିଲେ ପାରାସିଟାମଲ ଖାଇବା ଆବଶ୍ୟକତା ନାହିଁ ବୋଲି କୁହାଯାଉଛି ।

ଓମିକ୍ରନ ତାର କାୟା ବିସ୍ତାର କରିବା ଆରମ୍ଭ କରିଥିବା ବେଳେ, କେବଳ ଗୁରୁତର ରୋଗୀ, ବୟସ୍କ ଓ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି ବିଶେଷ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ ବା ଅନ୍ୟ ଔଷଧ ସେବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ସ୍ୱଳ୍ପ ଲକ୍ଷଣ ଥିଲେ, ଲକ୍ଷଣ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ହେବେ ବୋଲି ଦାବି କରିଛନ୍ତି ଡାକ୍ତର । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ଭିଟାମିନ ସେବନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଓମିକ୍ରନ ଭୂତାଣୁ କ୍ଷୀପ୍ର ଗତିରେ ସଂକ୍ରମଣ ବଢାଉଥିବାରୁ ପୁଣି ନୂତନ ପ୍ରଜାତି ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ସଂକ୍ରମଣ ରୋକିବାକୁ ଓ ମହାମାରୀରୁ ମୁକ୍ତି ପାଇବା ପାଇଁ କୋଭିଡ ନିୟମ ପାଳନ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ସମ୍ବନ୍ଧିତ ଖବର