ପାରାଦୀପ ବାଲିଯାତ୍ରା କାର୍ଯ୍ୟକ୍ରମ ସରଗରମ : ଦାମଙ୍କ କଟାକ୍ଷ… ମିଳିତ ଜବାବ

ଜଗତସି˚ହପୁର : ଗୋଟିଏ ମଞ୍ଚରେ ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ଏବଂ ବିଜେଡ଼ିର ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ଉପସ୍ଥିତିକୁ ନେଇ ଦର୍ଶକ ମହଲରେ ଯେଉଁ ଅନୁମାନ କରାଯାଉଥିଲା, ତାହା ସତରେ ପରିଣତ ହୋଇଛି। ଦାମଙ୍କ କଟାକ୍ଷ ଏବଂ ତାଙ୍କୁ ଏକପ୍ରକାର ମିଳିତ ଆକ୍ରମଣ ସଭାମଞ୍ଚକୁ ସରଗରମ କରିଦେଇଛି। ପାରାଦୀପଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା-୨୦୧୮ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଜି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ବହିଷ୍କାର ହେବା ପରେ ଡା. ରାଉତଙ୍କୁ ପ୍ରଥମ ଥର ପାଇଁ ବିଜେଡି ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ଦେଖିବାକୁ ମିଳିଥିଲା। ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କ ମଧୢରୁ ପ୍ରଥମେ ଦାମଙ୍କୁ କହିବାକୁ ସୁଯୋଗ ଦିଆଯାଇଥିଲା। ଦାମ ପ୍ରଥମେ ବାଲିଯାତ୍ରାର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ ସତ। ମାତ୍ର ଧୀରେ ଧୀରେ ତାଙ୍କର ବକ୍ତବ୍ୟ ରାଜନୀତି ଆଡ଼କୁ ଢଳିଥିଲା। ତାଙ୍କ ସମାଲୋଚନାରୁ ଦୁଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା, ପ୍ରତାପ ଜେନା, ସା˚ସଦ ଡାକ୍ତର କୁଳମଣି ସାମଲ, ବିଧାୟକ ପ୍ରଶାନ୍ତ ମୁଦୁଲି କେହି ବି ବାଦ୍‌ ପଡ଼ିନଥିଲେ।

ଦାମଙ୍କ ବକ୍ତବ୍ୟ ପରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର ପାଳି ପଡ଼ିଥିଲା। ଅତନୁ ସିଧାସଳଖ ଦାମଙ୍କୁ ସମାଲୋଚନା କରିନଥିଲେ। ମାତ୍ର, ଲକ୍ଷ୍ମଣରେଖା ମଧୢମରେ ରହି ସମସ୍ତେ ବକ୍ତବ୍ୟ ଦେବା ଉଚିତ୍‌ ବୋଲି କହିଥିଲେ।

ଏହାପରେ ବକ୍ତବ୍ୟ ରଖିବା ପାଇଁ ଆସିଥିବା ବିଧାୟକ ପ୍ରଶାନ୍ତ ମୁଦୁଲି ଦାମଙ୍କୁ ତାତ୍ସଲ୍ୟ କରି କହିଥିଲେ ଯେ, ଆତ୍ମ ଗର୍ବ ପରିତ୍ୟାଗ କରି ପ୍ରତ୍ୟେକ ବ୍ୟକ୍ତି ନିଜେ ଆତ୍ମସମୀକ୍ଷା କରିବା ଉଚିତ୍‌। ସବୁବେଳେ ବିଜୁ ବାବୁଙ୍କୁ ସାମ୍ନାରେ ରଖି ମିଛ ବାହାସ୍ଫୋଟ ମାରିବା ଛାଡ଼ନ୍ତୁ ବୋଲି ସେ ପରୋକ୍ଷରେ ଦାମଙ୍କୁ ଇଙ୍ଗିତ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଯୋଗ ଦେଇଥିବା ମନ୍ତ୍ରୀ ଅଶୋକ ପଣ୍ତା ମଧୢ ଦାମଙ୍କୁ ସମାଲୋଚନା କରିଥିଲେ। ଶ୍ରୀ ପଣ୍ତା କହିଥିଲେ ଯେ, ପାରାଦୀପର ଉନ୍ନତି ପାଇଁ ଏଠାକାର ନେତା କେବେ ବି କୌଣସି ପ୍ରକାର ଆଲୋଚନା କରିନାହାନ୍ତି। ଶେଷରେ, ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ବିଜୁ ବାବୁ୍ୁ‌ଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଧରିନେଇଥିବା ନେତାମାନେ ବଡ଼ ଭୁଲ କରୁଛନ୍ତି। କାରଣ ବିଜୁ ବାବୁ ସମସ୍ତ ଓଡ଼ିଆଙ୍କର ସମ୍ପତ୍ତି ବୋଲି ଏହି ନେତା ଜଣକ ଭୁଲି ଯାଆନ୍ତୁ ନାହିଁ ବୋଲି ପରୋକ୍ଷରେ ଦାମଙ୍କୁ ଇଙ୍ଗିତ କରି ଶ୍ରୀ ଜେନା କହିଥିଲେ। ଦାମଙ୍କ ମନ୍ତବ୍ୟ ଓ ପରେପରେ ବିଜେଡି ନେତାଙ୍କ ପ୍ରତି ଜବାବ ବାଲିଯାତ୍ରା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ସରଗରମ କରି ରଖିଥିଲା।

ସମ୍ବନ୍ଧିତ ଖବର