ଫିସ୍‌ଫେଡ୍ ଅଧୀନକୁ ଗଲା ପାରାଦୀପ ମାଛଧରା ବନ୍ଦର

୨୪ରୁ ଦାୟିତ୍ବ ହସ୍ତାନ୍ତର ସରିଲାଣି, ନୂତନ କମିଟି ଗ୍ରହଣୀୟ ନ ହେଲେ ବିରୋଧ: ଓମ୍ଫା

ଜଗତସିଂହପୁର : ସାରା ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାରାଦୀପ ମାଛଧରା ବନ୍ଦରକୁ ନେଇ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ଏଣିକି ମାଛ ଧରା ବନ୍ଦର ଆଉ ‘ହାର୍ବର ମ୍ୟାନେଜମେଣ୍ଟ ସୋସାଇଟି’ ଅଧୀନରେ ରହିବ ନାହିଁ। ନୂଆ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ମତ୍ସ୍ୟ ସମବାୟ ସମିତି(ଫିସ୍‌ଫେଡ୍) ଏଣିକି ମାଛଧରା ବନ୍ଦର ଦାୟିତ୍ବରେ ରହିବ। ଗତ ୨୪ ତାରିଖରେ ଫିସ୍‌ଫେଡକୁ ମ୍ୟାନେଜମେଣ୍ଟ ସୋସାଇଟି ଦାୟିତ୍ବ ହସ୍ତାନ୍ତର କରିଛି। ଫଳରେ ଖୁବଶୀଘ୍ର ଫିସଫେଡ୍ ଏ ନେଇ ଖସଡ଼ା ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ନୂତନ କମିଟି ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ସୁହାଇବା ଭଳି ପଦକ୍ଷେପ ନ ନେଲେ ଏହାକୁ ନିଶ୍ଚିତ ବିରୋଧ କରାଯିବ ବୋଲି ଓଡ଼ିଶା ମତ୍ସ୍ୟ ଉତ୍ପାଦନକାରୀ ସଂଘ(ଓମ୍ଫା) ସଭାପତି ଚେତାଇ ଦେଇଛନ୍ତି।

୧୯୯୬ରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗ ପକ୍ଷରୁ ୩୮.୦୭ କୋଟି ଟଙ୍କା ବ୍ୟୟ ଅଟକଳରେ ପାରାଦୀପର ଏହି ମାଛଧରା ବନ୍ଦର ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ରାଜ୍ୟର ଏହା ସବୁଠାରୁ ବଡ଼ ମାଛଧରା ବନ୍ଦର ହୋଇଥିବାବେଳେ ସାରା ଦେଶକୁ ଏଠାରୁ ମାଛ ରପ୍ତାନି କରାଯାଉଛି। ୧୯୯୮ରୁ ଟ୍ରଲର ଓ ଡଙ୍ଗା ଯୋଗେ ଏହି ମାଛଧରା ବନ୍ଦରରେ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରଥମେ ଏହା ପାରାଦୀପ ବନ୍ଦର ନ୍ୟାସ ନିୟନ୍ତ୍ରଣରେ ରହିଥିଲା। ପରେ ଏହା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ଆସିଥିଲା। ବିଭାଗ ପକ୍ଷରୁ ଏହି ବନ୍ଦର ସୁପରିଚାଳନା ପାଇଁ ୨୦୦୯ ମସିହା ୨୧ ଫେବୃଆରିରେ ‘ହାର୍ବର ମ୍ୟାନେଜମେଣ୍ଟ ସୋସାଇଟି’ ଗଠନ କରାଯାଇଥିଲା। ଏହି କମିଟିରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବଙ୍କୁ ଅଧ୍ୟକ୍ଷ ରଖାଯାଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଉପାଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ ପାରାଦୀପଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ମୁଖ୍ୟ, କୁଜଙ୍ଗର ଦୁଇ ମତ୍ସ୍ୟ ଅଧିକାରୀଙ୍କୁ ସମ୍ପାଦକ ଓ ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାସହ ଜିଲ୍ଲା ପ୍ରଶାସନ, ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀଙ୍କ ସମେତ ‘ଓମ୍ଫା’ର କିଛି ସଦସ୍ୟଙ୍କୁ ମଧ୍ୟ ଏହି କମିଟିରେ ରଖାଯାଇଥିଲା। ଇତିମଧ୍ୟରେ ପାରାଦୀପ ମାଛ ଧରା ବନ୍ଦରକୁ ଦେଶ ବାହାରକୁ ସିଧାସଳଖ ମାଛ ରପ୍ତାନି କରିବା ପାଇଁ ଏକ୍ସପୋର୍ଟ ଇନ୍ସପେକ୍ସନ ଏଜେନ୍ସି (ଇଆଇଏ) ମାନ୍ୟତା ମିଳି ସାରିଥିବା ବେଳେ ୟୁରୋପିଆନ ୟୁନିଅନ(ଇୟୁ) ଟିମ୍ ମଧ୍ୟ ପରିଦର୍ଶନ କରି ସାରିଛି। ସବୁକିଛି ସୁରୁଖୁରୁରେ ଚାଲିଥିବା ବେଳେ ହଠାତ୍ ରାଜ୍ୟ ସରକାର ଏହାକୁ ଫିସ୍‌ଫେଡ୍ ଅଧୀନକୁ ନେଇଯିବା ଘଟଣା ଏହି ବ୍ୟବସାୟରେ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଡ଼ୁଆରେ ପକାଇଛି। ଏଣୁ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଏ ନେଇ ଓମ୍ଫା ସଭାପତି ସୁମନ୍ତ ବିଶ୍ବାଳ କହିଛନ୍ତି ଯେ ଏ ସମ୍ପର୍କରେ ସରକାରୀ ଭାବେ କୌଣସି ଲିଖିତ ଆକାରରେ ସଂଘକୁ ଅବଗତ କରାଯାଇ ନାହିଁ। ଏହି ମାଛ ଧରା ବନ୍ଦର ସହ ପ୍ରାୟ ୫୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୋଡ଼ି ହୋଇ ରହିଛନ୍ତି। ଏଣୁ ଏହି ନୂତନ ସମିତି ଏହି ମତ୍ସ୍ୟଜୀବୀମାନଙ୍କ ସ୍ବାର୍ଥ ହାନି ହେବା ଭଳି କୌଣସି ପଦକ୍ଷେପ ନେଲେ ଏହାକୁ ନିଶ୍ଚିତ ବିରୋଧ କରାଯିବ।

ସମ୍ବନ୍ଧିତ ଖବର