ପାରାଦୀପର ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ, ଗୁଣିଆକୁ ସାମୁଦ୍ରିକ ଥାନା ପୁଲିସର ପଚରାଉଚରା

ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ଗୁଣିଆ ବାବୁରାମ ପଣ୍ଡାକୁ ଜଟାଧାରୀ ମୂହାଣ ଥାନା ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି । ଏହାକୁ ନେଇ ପାରାଦୀପରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହାସହ ଷଣ୍ଢକୁଦ ବସ୍ତିରେ ଏହାକୁ ନେଇ ଭୟରେ ବାତାବରଣ ଖେଳି ଯାଇଛି ।
ଅଭିଯୋଗ ମୁତାବକ, ଗତ ଶନିବାର ଅପରାହ୍ନରେ ଉକ୍ତ ବସ୍ତିରେ ରହୁଥିବା ସତ୍ୟ ରଂଜନ ମଣ୍ଡଳଙ୍କ ସାତ ବର୍ଷର ପୁଅ ବିଶ୍ୱରଂଜନ ଖେଳୁଥିବା ବେଳେ ତାଙ୍କୁ ଜୁଲି ଗାଏନ, ତାଙ୍କ ସ୍ୱାମୀ ଜିତେନ ଓ ମୀନତି ମାଟିଆ ଓ ତାଙ୍କ ସ୍ୱାମୀ ଶିବ କୌଶଳ କ୍ରମେ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ । ସେଠାରେ ପୂଜା କରି ତାକୁ ରଖିଥିଲେ । ପୁଣି ଥରେ ରାତି ୮ଟା ସମୟରେ ଦେହରୁ ସମସ୍ତ ପୋଷାକ ଖୋଲି ବେକରେ ଫୁଲ ମାଳ ପକାଇ ପୂଜା କରୁଥିବା ବେଳେ ସତ୍ୟ ରଂଜନ ସେଠାରେ ପହଞ୍ଚିଥିଲେ । ସେତେବେଳ ପୂଜା କରୁଥିବା ବାବୁରାମଙ୍କ ସମେତ ଏହି ୪ ଜଣ ପୁରୁଷ ଓ ସ୍ତ୍ରୀ ଲୋକ ସେଠାରେ ଥିଲେ ।

ସତ୍ୟ ରଂଜନ ପୁଅକୁ ଉଦ୍ଧାର କରିବା ସମୟରେ ଓଲଟା ସେମାନେ ପାଟିତୁଣ୍ଡ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏ ନେଇ ସତ୍ୟ ରଂଜନ ବସ୍ତିରେ ଜଣାଇବା ପରେ ମୁରବୀ ଶ୍ରେଣୀର ଲୋକମାନଙ୍କ ଦ୍ୱାରା ହୋଇଥିବା ଆଲୋଚନାକୁ ଏହି ଚାରି ଜଣ ଅସ୍ୱୀକାର କରିଥିଲେ । ପରେ ବାଧ୍ୟ ହୋଇ ସତ୍ୟ ରଂଜନ ଏ ନେଇ ଜଟାଧାରୀ ମୂହାଣ ଥାନା ଅଭିଯୋଗ କରିବା ପରେ ଘଟଣାର ପର୍ଦାଫାଶ ହୋଇଛି ।
ଅନ୍ୟପଟେ ଥାନାରେ ଅଟକ ଥିବା ବାବୁରାମ ବଳି ଘଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିବା ସହ ମିନତି ବିଭିନ୍ନ ସମୟରେ ଅସୁସ୍ଥ ରହୁଥିବା ହେତୁ ଏକ ପୂଜାର ଆୟୋଜନ କରାଯାଇଥିଲା ବୋଲି କହିଥିଲେ । ଏହି ପୂଜାରେ ଏକ ଛୋଟ ପିଲାଟିର ଆବଶ୍ୟକ ପଡ଼ୁଥିବାରୁ ବିଶ୍ୱରଂଜନଙ୍କୁ ଅଣାଯାଇଥିଲା । ଅନ୍ୟପଟେ ବାବୁରାମଙ୍କ ଏହି ସ୍ପଷ୍ଟୀକରଣ ବସ୍ତିବାସିନ୍ଦା ଗ୍ରହଣ କରିବାକୁ ନାରାଜ । ଜୁଲି ନାମକ ଜଣେ ମହିଳା କୁଆଡ଼େ ଏ ସମସ୍ତ ଘଟଣାର ମାଷ୍ଟରମାଇଣ୍ଡ ବୋଲି ଚର୍ଚ୍ଚା ଚାଲିଛି । ଏଣୁ ପୁଲିସ ଠିକ୍ ଭାବେ ତଦନ୍ତ କରି ସମ୍ପୂର୍ଣ୍ଣ ରହସ୍ୟର ପର୍ଦାଫାସ କରୁ ବୋଲି ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର