୩୦୦ କିମି ବିଶିଷ୍ଟ ପାରାଦୀପ-ବଡ଼ବିଲ ରାସ୍ତା ହେବ ୮ ଥାକିଆ

ନୂଆଦିଲ୍ଲୀ/ଭୁବନେଶ୍ୱର: ୩୦୦ କିମି ବିଶିଷ୍ଟ ପାରାଦୀପ-ବଡ଼ବିଲ ରାସ୍ତା ୮ ଥାକିଆ ହେବ। ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର, ରିମୁଳି ଓ ବଡରସାହି ଦେଇ ବଡବିଲରେ ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ପାରାଦୀପ ଠାରୁ ବଡ଼ବିଲ ପର୍ଯ୍ୟନ୍ତ ୩୦୦ କିଲୋମିଟର ରାସ୍ତାକୁ ୮ ଥାକିଆ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ, ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇେଓ୍ୱ ନେଇ ଥିବା ସମସ୍ୟା ତଥା ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରତିଶ୍ରୁତି ଦେଇଛନ୍ତି। କୋଷ୍ଟାଲ ହାଇୱେ ପାଇଁ ଯାହା ସହଯୋଗ ଆବଶ୍ୟକ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ଭୁବନେଶ୍ବର ରିଙ୍ଗ ରୋଡ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କେନ୍ଦମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଓଡିଶାର ବିଭିନ୍ନ ରାଜପଥ ପ୍ରକଳ୍ପକୁ ନେଇ ବିଚାରବିମର୍ଷ ହୋଇଯାଇଥିବା ଏହି ବୈଠକରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ମନ୍ତ୍ରୀ ନିତୀନ ଗଡକରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବିଶେଷ ଭାବରେ ଭାରତମାଳା ପରିଯୋଜନାରେ ଦୀଘାଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପର ବିକାଶର କାମକୁ ତ୍ୱରାନ୍ବିତ କରିବା ଦିଗରେ ଆଲୋଚନା ହୋଇଛି। ହଜାର କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତୀ ଅଂଚଳର ଲାଇଫଲାଇନ୍ ହେବାକୁ ଯାଉଥିବା ଏହି କୋଷ୍ଟାଲ ହାଇେଓ୍ୱର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ସର୍ବବୃହତ ରାଜପଥ ପ୍ରକଳ୍ପ କୋଷ୍ଟାଲ ହାଇେଓ୍ୱ ସମ୍ପୂର୍ଣ୍ଣ ହେଲେ ଏହା ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ବିତ କରିବା ସଙ୍ଗେସଙ୍ଗେ ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକୁ ସୁବିଧା ଦେବା ସହ ପଣ୍ୟାଗାର ପରିବହନରେ ବିଶେଷ ଭାବରେ ସହାୟକ
ହେବ।

ଏହି ବୈଠକରେ ଭୁବନେଶ୍ୱର ରିଙ୍ଗ୍ ରୋଡ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା। ପ୍ରସ୍ତାବିତ ପରାଦୀପବଡ଼ବିଲ ଅର୍ଥନୈତିକ କୋରିଡ଼ର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ଼ କଳିଙ୍ଗନଗର ଇସ୍ପାତ୍ କ୍ଲଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଏହି ରାଜପଥ ଡ଼ୁବୁରି ପାର୍ଶ୍ବବର୍ତୀ ଅଂଚଳ ତଥା ଇସ୍ପାତ୍, କୋଇଲା, ଲୁହା ଆଲୁମିନିୟମ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନାର ସମ୍ଭାର ଆଣିବ। ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ।

ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାରେ ବନ୍ଦର ଆଧାରିତ ଶିଳ୍ପାୟନର ଦ୍ରୁତ ଅର୍ଥନୀତିର ବିକାଶକୁ ପ୍ରାଥମିକତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଧାମରାରେ ବନ୍ଦର ଆଧାରିତ ବିକାଶ କରିବା ନେଇ ଧାମରାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରାଜପଥ ପ୍ରକଳ୍ପ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗୋପାଳପୁର ବନ୍ଦର, ସବର୍ଣ୍ଣରେଖା ପ୍ରସ୍ତାବିତ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି

ସମ୍ବନ୍ଧିତ ଖବର