ଦୁଇ ମାସ କଟକଣା ଅବଧି ଶେଷ, ଆଜି ମଧ୍ୟରାତ୍ରରୁ ଖୋଲିବ ପାରାଦୀପ ମାଛଧରା ବନ୍ଦର

ଜଗତସିଂହପୁର : ଦୀର୍ଘ ଦୁଇ ମାସର କଟକଣା ଆସନ୍ତାକାଲି ମଧ୍ୟରାତ୍ରରୁ ଉଠିବ। ସାରା ଦେଶରେ ମାଛ ରପ୍ତାନୀ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାରାଦୀପ ମାଛଧରା ବନ୍ଦର ପୁଣି ଚଳଚଂଚଳ ହୋଇ ଉଠିବ। ସେଥିପାଇଁ ମତ୍ସ୍ୟଜୀବୀ ଏବଂ ମାଛଧରା ଟ୍ରଲର ମାଲିକମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସମୁଦ୍ର ଦେବତା ବରୁଣଙ୍କୁ ଖୁସି କରିବା ପାଇଁ ମଙ୍ଗଳବାରଠାରୁ ଯଜ୍ଞ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମହାନଦୀ ମୁହାଣ ଖୋଳା ନ ହେବା ଘଟଣା ପୁଣି ସମସ୍ତଙ୍କୁ ଅଡ଼ୁଆରେ ପକାଇଛି। ପ୍ରତ୍ୟେକ ବର୍ଷ ଅପ୍ରେଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଥାଏ। ଫଳରେ ଘରେ ହାତ ବାନ୍ଧି ବସିଥିବା ମତ୍ସ୍ୟଜୀବୀମାନେ ଚାତକ ଭଳି ଆଜିର ଦିନକୁ ଚାହିଁ ବସିଥାନ୍ତି। ବର୍ତ୍ତମାନ ମାଛ ଧରା ବନ୍ଦରରେ ୬୪୩ ଟ୍ରଲର କାରବାର କରୁଛି। ସେଥିରୁ ୩୩୬ ଯନ୍ତ୍ର ଚାଳିତ ଡଙ୍ଗି ରହିଛି। ୧୯୯୯–୨୦୦୦ ମସିହାରେ ଶେଷ ଥର ପାଇଁ ବନ୍ଦର ନ୍ୟାସ ପକ୍ଷରୁ ମହାନଦୀ ମୁହାଣ ଖୋଳା ଯାଇଥିଲା। ମହାନଦୀ ମୁହାଣ ପୋତି ହୋଇଯିବା ଯୋଗୁଁ ଏତେ ସଂଖ୍ୟାରେ ଟ୍ରଲର କାରବାର କରିବାରେ ମୁସ୍କିଲ ହେଉଛି। ଗୋଟିଏ ପଟେ ଏହି ମାଛ ଧରା ବନ୍ଦରକୁ ‘ଆନ୍ତର୍ଜାତିକ ମାଛ ଧରା ବନ୍ଦର’ର ମାନ୍ୟତା ମିଳିବା ପରେ ବିଦେଶକୁ ଏଠାରୁ ମାଛ ରପ୍ତାନୀ ଆରମ୍ଭ ହୋଇଛି। କିନ୍ତୁ ମହାନଦୀ ମୁହାଣ ଖୋଳା ନଗଲେ ସ୍ଥିତି ସୁଧୁରିବ ନାହିଁ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର