ଦବିଗଲା ହରିଦାସପୁର-ପାରାଦୀପ ରେଳପଥ : ମାର୍ଶାଘାଇରେ ମାଟି ଧସିଲା; କାନ୍ଥ ଫାଟିଲା, କ୍ଷତିପୂରଣ ଦାବି କଲେ କ୍ଷତିଗ୍ରସ୍ତ ପରିବାର

କେନ୍ଦ୍ରାପଡ଼ା/ମାର୍ଶାଘାଇ : ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥ ପ୍ରକଳ୍ପକୁ ଝଟ୍‌କା ଲାଗିଛି। ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ଜମ୍ବୁ-ମାର୍ଶାଘାଇ କେନାଲ ବ୍ରିଜ୍‌ ଉତ୍ତର ପାର୍ଶ୍ବ ଗୋସେଇଁବନ୍ଧ(ଦୁମୁକା)ରେ ମାଟି ଦବିଯିବା ସହ ରେଳପଥରେ ବିରାଟ ଫାଟ ସୃଷ୍ଟି ହୋଇଛି। ରେଳପଥ ପାର୍ଶ୍ବରେ ଥିବା ‌ଲୋକଙ୍କ ଘର କାନ୍ଥ ଫାଟି ଯିବା ସହ କେତେକଙ୍କ ଘର ଉପରରେ ମାଟି ଧସିଛି। ଗଛ, ବିଦ୍ୟୁତ୍ ଖୁଣ୍ଟ ବି ଭୁଶୁଡ଼ି ପଡ଼ିଛି। ମାଟି ଧସିବାକୁ ନେଇ ସ୍ଥାନୀୟ ଲୋକେ ଏକପ୍ରକାର ଆତଙ୍କିତ ହୋଇପଡ଼ିବା ସହ ଘର ଭିତରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ଏଭଳି ସ୍ଥିତିରେ ଗୋଟିଏ ପଟେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଥିବା ବେଳେ ଆଜି ଏ ପ୍ରକାର ଅଘଟଣ କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି।

ସୂଚନାନୁଯାୟୀ, ହରିଦାସପୁର-ପାରାଦୀପ ରେଳପଥ କାମ ଗଲା ୨୧ ବର୍ଷ ହେଲା ଚାଲିଛି। ୮୨ କିଲୋମିଟର ଦୀର୍ଘ ଏହି ରେଳ ପ୍ରକଳ୍ପ କାମ ୧୯୯୯, ଏପ୍ରିଲ୍‌ ୪ରୁ ଆରମ୍ଭ ହୋଇଥିଲା। କିନ୍ତୁ ନିର୍ମାଣ କାମରେ ଅହେତୁକ ବିଳମ୍ବକୁ ନେଇ ବିଭିନ୍ନ ସମୟରେ ଏହି ରେଳପଥ ଚର୍ଚ୍ଚ‌ାରେ ରହି ଆସିଛି। କେତେବେଳେ ଜମି ଅଧିଗ୍ରହଣ ବାଧକ ସାଜୁଛି ତ କେତେବେଳେ ବିନା ପରିବେଶ ମଂଜୁରିରେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଅଡ଼ୁଆରେ ପଡ଼ିଛନ୍ତି ବିଭାଗୀୟ କର୍ତୃପକ୍ଷ। ଖାସ୍‌ ଏ ସବୁ କାରଣ ପାଇଁ ଗଲା ଦୁଇ ଦଶନ୍ଧି ମଧ୍ୟରେ ପ୍ରକଳ୍ପ ମୂଲ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି। ୩୦୧ କୋଟି ୪ଲକ୍ଷ ଟଙ୍କା ବ୍ୟୟବରାଦରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ମୂଲ୍ୟ ସଂପ୍ରତି ବଢ଼ି ୭୦୦‌ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଲାଣି। ଅଥଚ କାମ ସରୁନାହିଁ। ତେବେ, ଗୋଟିଏ ପଟେ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ରେଳବଜେଟ୍‌ରେ ଉଲ୍ଲେଖ କରାଯାଇଥିବାବେଳେ ଅନ୍ୟପଟେ ମାର୍ଶାଘାଇ ଗୋସେଇଁ ବନ୍ଧ ନିକଟରେ ତ୍ରୁଟିପୂର୍ଣ୍ଣ କାମ ଯୋଗୁ ମାଟି ଦବିବା ଘଟଣା କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ମାଟି ଧସିବା ଯୋଗୁଁ ରେଳପଥ ପାର୍ଶ୍ବରେ ଥିବା ରବୀନ୍ଦ୍ର ଦାସ ଓ ଅରୁଣ ଦାସଙ୍କ ଘର କାନ୍ଥ ଫାଟି ଯିବା ସହ ଅଗଣା ମାଟିରେ ପୋତି ହୋଇପଡ଼ିଛି। ସେହିପରି ରାସ୍ତା ଅପର ପାର୍ଶ୍ବରେ ଥିବା ଭାବଗ୍ରାହୀ ନାୟକ, ବିଜୟ ସ୍ୱାଇଁଙ୍କ ଘର ଉପରକୁ ମାଟି ଚଢ଼ିଯାଇଥିବାରୁ ବିପଦ ଆଶଙ୍କା ଦେଖାଦେଇଛି। କେବଳ ସେତିକି ନୁହେଁ, ରେଳପଥ ଉଭୟ ପାର୍ଶ୍ବରେ ଥିବା ଗଛ, ବିଦ୍ୟୁତ୍ ଖୁଣ୍ଟ ଭୁଶୁଡ଼ି ପଡ଼ିଛି। ତେବେ ଭୁଶୁଡ଼ି ପଡ଼ିଥିବା ସ୍ଥାନ ନିକଟରେ ଏକ ପୋଖରୀ ଥିବାବେଳେ ମାଟି ପାଇଲିଙ୍ଗ୍ କରାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଆଶଙ୍କା କରାଯାଉଛି। ରେଳବାଇ ଅଧିକାରୀ କିନ୍ତୁ ଏ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି।

ସେପଟେ ରେଳବାଇର ଏପ୍ରକାର ବେପରୱା କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କ୍ଷତିଗ୍ରସ୍ତ ଲୋକମାନେ କ୍ଷତିପୂରଣ ଦାବି କରିଥିବା ବେଳେ ମାର୍ଶାଘାଇ ତହସିଲଦାର ନିରଂଜନ ସାହୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ, ଘଟଣାର ଅନୁଧ୍ୟାନ କରାଯାଇଛି। କ୍ଷୟକ୍ଷତି ଆକଳନ କରାଯିବା ପରେ ଆଇନ ଅନୁଯାୟୀ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର