ଜଗତସିଂହପୁର: କୋଇଲା, ତେଲ ଓ କ୍ରୋମାଇଟ୍ ମାଫିଆଙ୍କ ସୁରକ୍ଷିତ ଅଞ୍ଚଳ ପାଲଟିଛି ପାରାଦୀପ। ଅନ୍ତଃରାଜ୍ୟ ମାଫିଆଙ୍କ ସଂପୃକ୍ତିରେ ବର୍ଷକୁ ୧୦୦ କୋଟିରୁ ଅଧିକ ଟଙ୍କାର ଚୋରା କାରବାର କରୁଥିବା ବେଳେ ପୁଲିସ, ପ୍ରଶାସନ ଓ ଖଣି ବିଭାଗ ଏକପ୍ରକାର ନିରବଦ୍ରଷ୍ଟା ସାଜିଛି। ଏହି କାରବାର ପାରାଦୀପରୁ ଆରମ୍ଭ କରି କଟକର ଜଗତପୁର, ମଙ୍ଗୁଳି, ଯାଜପୁର, ପାଣିକୋଇଲି ହୋଇ ରାଜ୍ୟ ବାହାରକୁ ଲମ୍ବିଛି। ବିଭିନ୍ନ ସମୟରେ ଚଢ଼ଉରେ ଡ୍ରାଇଭର, ଦଲାଲ ଧରା ପଡ଼ିଥିବା ବେଳେ ପରଦା ପଛରେ ରହି ରୢାକେଟ୍ ଚଳାଉଥିବା ମାଫିଆ କିନ୍ତୁ ଧରାପଡ଼ୁ ନାହାନ୍ତି। ପାରାଦୀପରୁ ଚୋରି ହେଉଥିବା କୋଇଲା, ଡିଜେଲ୍ ଜଗତପୁର ଓ ମଙ୍ଗୁଳିକୁ ଚାଲାଣ କରାଯାଉଛି। ସେଠାରେ ନିୟନ୍ତ୍ରଣ କରୁଥିବା ମାଫିଆ ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପ, ଟ୍ରକ୍, ଭାରୀଯାନକୁ ବିକ୍ରି କରୁଥିବା ମଧ୍ୟ ଜଣାପଡ଼ିଛି। ପାରାଦୀପରୁ ଚୋରି ହେବା ପରେ ସ୍ବତନ୍ତ୍ର ରୢାକେଟ୍ ଜରିଆରେ ଗାଡ଼ିଗୁଡ଼ିକୁ ପହଞ୍ଚାଇ ଦେଉଛନ୍ତି।
ତଥ୍ୟ ଅନୁସାରେ, ଗଲା ୭ ତାରିଖରେ ପାରାଦୀପ ଆଦର୍ଶ ଥାନା ପୁଲିସ ଗୋଟିଏ ଟ୍ୟାଙ୍କରରୁ ଅନ୍ୟ ଏକ ଟ୍ୟାଙ୍କରକୁ ତେଲ ଚାଲାଣ ଚାଲିଥିବା ବେଳେ ଦୁଇଟି ଯାକ ଗାଡ଼ିକୁ ଜବତ କରିଥିଲା। ଗୋଟିଏ ଗାଡ଼ିର ଡ୍ରାଇଭର ଧରାପଡ଼ିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ଏହା ପଛରେ କେଉଁମାନେ ରହିଛନ୍ତି ତାହାର କିନ୍ତୁ ପର୍ଦ୍ଦାଫାସ୍ ହୋଇପାରିଲାନି। ପୁଲିସ ଚଢ଼ଉ କରି ଧରିବା ବେଳକୁ ୮୦୦ ଲିଟର ତେଲ ବିକ୍ରି ସରିଥିଲା। ଏଭଳି ଢଙ୍ଗରେ ହାରାହାରି ଦୈନିକ ହଜାର ହଜାର ଲିଟର ତେଲ ଚୋରା କାରବାର ହେଉଛି।
ଜଗତପୁର, ମଙ୍ଗୁଳି, ପାଣିକୋଇଲି ଓ ରାଜ୍ୟ ବାହାରକୁ ଲମ୍ବିଛି ଚେର
ସେହିଭଳି ଯାଜପୁର ଜିଲ୍ଲାରୁ ମାଟି ମିଶା କ୍ରୋମାଇଟ୍ ପାରାଦୀପରେ ପହଞ୍ଚିବା ପରେ ଜାହାଜ ଯୋଗେ ଗୁଜରାଟ ଚାଲାଣ ଯୋଜନା ବେଳେ ଆଦର୍ଶ ଥାନା ପୁଲିସ ୪ଟି ଟ୍ରକ୍ ଧରିବାରେ ସଫଳ ହେଲା। ଯାଜପୁରରୁ ଗୁଜରାଟ ପର୍ଯ୍ୟନ୍ତ ଏହି କ୍ରୋମାଇଟ୍ କାରବାର ଚେର ଲମ୍ବିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ ପାରାଦୀପ ସିଜୁ ଷ୍ଟେସନ୍ରେ ଚଳନ୍ତା ଟ୍ରେନରୁ କୋଇଲା ଚୋରି ମାମଲାର ତଦନ୍ତଭାର ଆରପିଏଫ୍(ରେଳ ସୁରକ୍ଷା ବଳ)ର କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ଯାଇଥିଲା। ଏହି ଘଟଣାରେ ଆରପିଏଫ୍ କ୍ରାଇମ୍ବ୍ରାଞ୍ଚ ୩୦ ହଜାର କିଲୋ କୋଇଲା, ୨୨୦୦ ଲିଟର ଡିଜେଲ୍ ଓ ୨୦୦ ଲିଟର ତେଲ ଜବତ କରିଥିଲା। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ, ମାଫିଆ ଓ ମାଷ୍ଟର୍ମାଇଣ୍ଡ ଏବେ ବି ଫେରାର ଅଛନ୍ତି।
ସବୁଠୁ ବଡ଼ ଘଟଣା ହେଲା ବନ୍ଦରରୁ କୋଇଲା ଚୋରି ଘଟଣାରେ ୨୦୨୪ ମେ ୧ରେ ପାରାଦୀପ ଆଦର୍ଶ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୨ଟି କାର୍, ୧ ଲକ୍ଷ ୯୮ ହଜାର ୫ ଶହ ଟଙ୍କା, ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ଏପରିକି ବନ୍ଦର ସୁରକ୍ଷା ଦାୟିତ୍ବରେ ଥିବା ଜଣେ ସିଆଇଏସ୍ଏଫ୍ ଯବାନଙ୍କର ଏଥିରେ ହାତଥିବା ଜଣାପଡ଼ିଥିଲା। ଏହି ଘଟଣାରେ ଆହୁରି ଦୁଇଟି ଟ୍ରକ୍ ଓ ଅଭିଯୁକ୍ତ ଫେରାର ଅଛନ୍ତି। ୨୦୨୪ ମେରେ ମେରାଇନ୍ ଥାନା ପୁଲିସ ପ୍ରଥମେ ୧୮୦୦ ଲିଟର ଚୋରା ଡିଜେଲ୍ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ମାଛଧରା ବୋଟ୍କୁ ଚୋରା ଡିଜେଲ୍ ବିକ୍ରି ବେଳେ ଅଭିଯୁକ୍ତ ଧରାପଡ଼ିଥିଲେ। ସେମାନଙ୍କ ସୂଚନା ଆଧାରରେ ଲକ୍ ଥାନା ଅଧୀନ ଦୋଛକି ନିକଟରେ ଥିବା ଗୋଦାମ୍ରେ ଚଢ଼ଉ କରି ୫ହଜାର ଲିଟର ଡିଜେଲ୍ ଜବତ କରିଥିଲା। ଏହି ଘଟଣାରେ ମଧ୍ୟ ଅନେକ ଅଭିଯୁକ୍ତ, ମାଷ୍ଟର୍ମାଇଣ୍ଡ ଓ ମାଫିଆ ଫେରାର ଅଛନ୍ତି। କୋଟିକୋଟି ଟଙ୍କାର ଏହି ଚୋରା କାରବାରର ପର୍ଦ୍ଦାଫାସ ପାଇଁ ତଦନ୍ତ ଦାୟିତ୍ବ କ୍ରାଇମ୍ବ୍ରାଞ୍ଚ, ଏସ୍ଟିଏଫ୍ କିମ୍ବା ସିବିଆଇ ହାତକୁ ଗଲେ ହୁଏତ ରୢାକେଟର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/omc-mining.jpg)