ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପ୍ରସଙ୍ଗ : ପ୍ରକଳ୍ପ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ଇଣ୍ଡିଆନ୍ ଅଏଲ୍ ଓ ଇଡ୍‌କୋ ପକ୍ଷରୁ ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ୍ ପାର୍କ ପ୍ରତିଷ୍ଠା ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଦର୍ଶାଇଛନ୍ତି, ଆସନ୍ତା ୨୦୧୯ ଫେବ୍ରୁଆରି ସୁଦ୍ଧା ପାରାଦୀପ ତୈଳ ବିଶୋଧନାଗାରର ପଲିପ୍ରପିଲିନ୍ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ। ଏହା ସହ ପାରାଦୀପ ପ୍ଲାଷ୍ଟିକ୍ ପାର୍କ ଏହି ପ୍ରକଳ୍ପରୁ କଞ୍ଚା ମାଲ ପାଇପାରିବ। ମାତ୍ର ଏହି ସମୟ ସୁଦ୍ଧା ପ୍ଲ‌ାଷ୍ଟିକ୍ ପାର୍କ ପ୍ରତିଷ୍ଠା ନ ହେଲେ ପୁଞ୍ଜିନିବେଶ ପ୍ରଭାବିତ ହେବାର ଆଶଙ୍କା ରହିଛି। ଇଣ୍ଡିଆନ୍ ଅଏଲ୍‌ ଓ ଇଡ୍‌କୋର ଜଏଣ୍ଟ୍ ଭେଞ୍ଚର୍ ତୁରନ୍ତ ପ୍ରସ୍ତୁତ ହେଲେ ହିଁ ପୁଞ୍ଜିନିବେଶକାରୀମାନଙ୍କର ଆବଶ୍ୟକତାକୁ ପୂରଣ କରାଯାଇପାରିବ ଓ ଏହି କାମକୁ ତ୍ବରାନ୍ବିତ କରାଯାଇପାରିବ।

ଶ୍ରୀ ପ୍ରଧାନ ଆହୁରି ଜଣାଇଛନ୍ତି, ଇତି ମଧ୍ୟରେ ଇଣ୍ଡିଆନ୍ ଅଏଲ୍‌ ଓଡ଼ିଶା ସରକାରଙ୍କୁ ସାମିଲ କରି ଚେନ୍ନା‌ଇ, କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ବର ଆଦି ସ୍ଥାନରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ‌ରୋଡ୍‌ ‌େସା’ ଆୟୋଜିତ କରିଛି। ଏହା ଦ୍ବାରା ଅନେକ ପୁଞ୍ଜିନିବେଶକାରୀ ପାରାଦୀପ ପ୍ଲାଷ୍ଟିକ୍ ପାର୍କରେ ପୁଞ୍ଜିନିବେଶ ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୬ଟି ପୁଞ୍ଜିନିବେଶକାରୀ କମ୍ପାନି ପ୍ରକଳ୍ପ ପାଇଁ ଭୂମି ଯୋଗାଇଦେବାକୁ ଆବେଦନ କରିଛନ୍ତି। ଇଣ୍ଡିଆନ୍ ଅଏଲ୍‌ ୨୦୧୮ ଅଗଷ୍ଟରୁ ଇଡ୍‌କୋ ସହ ଜଏଣ୍ଟ୍ ଭେଞ୍ଚର୍ ପାଇଁ ନୀତି ଆୟୋଗର ଏନ୍‌ଓସି ଲାଭ କରିସାରିଛି। ଏହାର ନାମ ପାରାଦୀପ ପ୍ଲାଷ୍ଟିକ୍ ପାର୍କ ଲିମିଟେଡ୍ ରହିବ ଏବଂ ସାର ଓ ରସାୟନ ମନ୍ତ୍ରଣାଳୟ ଭିତ୍ତିଭୂମି ନିର୍ମାଣ ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରିସାରିଛି। ଏହି ପ୍ରକଳ୍ପ ପାଇଁ ଜଏଣ୍ଟ୍ ଭେଞ୍ଚର୍ ସ୍ବାକ୍ଷର ନିମନ୍ତେ ଓଡ଼ିଶା ସରକାର ଅନୁମତି ଦେବା ମାତ୍ରେ ଆଇଓସିଏଲ୍ ୩୨.୭୨ କୋଟି ଟଙ୍କା ଇକ୍ୟୁଟି ରାଶି ପ୍ରଦାନ କରିବ। ଇଣ୍ଡିଆନ୍ ଅଏଲ୍‌ ପକ୍ଷରୁ ବିଭିନ୍ନ ପୁଞ୍ଜିିନିବେଶ ସମ୍ମିଳନୀରେ ଇଡ୍‌କୋକୁ ସାମିଲ୍ କରାଯାଇଛି। ଗତ ସେ‌େପ୍ଟମ୍ବର ମାସରେ ସୁରଟ ଠାରେ ଇଡ୍‌କୋ ଓ ଇପିକଲ୍‌କୁ ଅଂଶଗ୍ରହଣ ପାଇଁ ମଧ୍ୟ ନିମନ୍ତ୍ରିତ କରାଯାଇଥିଲା। ତେଣୁ ପ୍ଲାଷ୍ଟିକ୍ ପାର୍କ ପ୍ରତିଷ୍ଠାକୁ ତ୍ବରାନ୍ବିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର