ବିଶ୍ବସ୍ତରୀୟ ବନ୍ଦର ହେବ ପାରାଦୀପ

୩ ହଜାର ୪ କୋଟି ବ୍ୟୟ ବରାଦ ଲାଗି କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି
ପିପିପି ମୋଡ୍‌ରେ ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପର ବିକାଶ ହେବ
ବଡ଼ ଜାହାଜ ଆସିବା ରାସ୍ତା ଖୋଲିବ, ୧ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ
ଦେଶରେ ପ୍ରଥମ ଜେନେରେସନ ଇଥାନଲ ଉତ୍ପାଦନ ବୃଦ୍ଧି କରାଯିବ

ଭୁବନେଶ୍ବର : ପାରାଦୀପ ହେବ ବିଶ୍ବସ୍ତରୀୟ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ େକନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୩ ହଜାର ୪ କୋଟି ୬୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କରାଯିବା ସହିତ ଏହାକୁ ‘ବିଶ୍ୱର ବିଜିନେସ ହବ’ରେ ପରିଣତ କରାଯିବ। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, କ୍ୟାବିନେଟ୍ ବୈଠକରେ ପାରାଦୀପରେ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କିତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ। ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ମହତ୍ୱପୂର୍ଣ୍ଣ ଭୂମିକା ନେବ। ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୮୦୦ ଲୋକ ଏବଂ ପରିଚାଳନା ପର୍ଯ୍ୟାୟରେ ୨୦୦ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ। ଆସନ୍ତା ୫ ବର୍ଷ ମଧ୍ୟରେ ବନ୍ଦର ମାଧ୍ୟମରେ କାରବାର ବାର୍ଷିକ ୧୭୦ ମିଲିୟନ ଟନ୍ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ବନ୍ଦରର ପାରିପାର୍ଶ୍ବିକ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାର୍ଷିକ ୨୫ ମିଲିୟନ ଟନ୍‌ କ୍ଷମତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ ଭଳି ମୁଖ୍ୟ ବନ୍ଦର ଗୁଡ଼ିକରେ ବଡ଼ ବଡ଼ ଜାହାଜ ଗୁଡିକର ପରିଚାଳନା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ। ବଡ଼ ବଡ଼ ଜାହାଜ ଗୁଡ଼ିକ ପାରାଦୀପ ବନ୍ଦରରେ ଥିବା ଡ଼କ ଭିତରକୁ ଆସିପାରୁନାହିଁ। ଫଳରେ ସେଗୁଡିକ କଲମ୍ବୋ/ ସିଙ୍ଗାପୁର ଯାଉଛନ୍ତି। ପ୍ରସ୍ତାବିତ ୱେଷ୍ଟନ୍ ଡକ୍ ନିର୍ମାଣ ହେଲେ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ସହଜରେ ଆସିପାରିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଡ଼ ବଡ଼ ଜାହାଜରୁ କୋଇଲା ସହଜରେ ଅନଲୋଡ୍‌ ହୋଇପାରିବ, ସମୁଦ୍ରରେ ମାଲ ପରିବହନ ମୂଲ୍ୟ ହ୍ରାସ ହେବ ଏବଂ ବନ୍ଦରରେ ଶିଳ୍ପ ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ। ମନ୍ତ୍ରୀ କହିଛନ୍ତି, ମୋଦୀ ସରକାରଙ୍କ ପୂର୍ବରୁ ପାରାଦୀପ ବନ୍ଦରରେ ବାଣିଜ୍ୟିକ କାରବାର ୬୦ ମିଲିୟନ ମେଟ୍ରିକ୍ ଟନ(ଏମଏମଟି) ଥିବା ବେଳେ ଏବେ ତାହା ବଢ଼ି ୧୧୨ ମିଲିୟନ ମେଟ୍ରିକ ଟନରେ ପହଁଚିଛି। ସେହିପରି ଦେଶରେ ପ୍ରଥମ ଜେନେରେସନ ଇଥାନଲ ଉତ୍ପାଦନ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। ବିକଳ୍ପ ଇନ୍ଧନର ବ୍ୟାବସାୟିକ ମଡେଲ ଇଥାନଲ ହେବ। ଏଥିପାଇଁ ସଂଶୋଧିତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଥିବା ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପ୍ରାୟତଃ ଦେଶରେ ବଳକା ଚାଉଳ, ଗହମ, ବାର୍ଲି, ମକାରୁ ବର୍ଜ୍ୟ, ଆଖୁ ଛେଦାରୁ ଇଥାନଲ ଉତ୍ପାଦନ ହୋଇଥାଏ। ଆଜି କ୍ୟାବିନେଟର ଅନୁମୋଦନ ଦ୍ୱାରା ଏହି ଶସ୍ୟ ଉତ୍ପାଦନ କରୁଥିବା ଚାଷୀଙ୍କ ଆୟ ବଢିବ। ଅନେକ ଚାଷୀଙ୍କୁ ଲାଭ ଦେବା ପାଇଁ ସରକାର ଉପଲବ୍ଧ ମକା ଏବଂ ବଳକା ଚାଉଳରୁ ଇଥାନଲ ଉତ୍ପାଦନ କରିବା ପାଇଁ ଭାରତର ଖାଦ୍ୟ ଉଦ୍ୟୋଗ(ଏଫସିଆଇ) ସହ ଡିଷ୍ଟିଲାରି ଗୁଡିକୁ ପ୍ରୋତ୍ସାହନ ଦେଉଛନ୍ତି। ୨୦୨୨ ସୁଦ୍ଧା ପେଟ୍ରୋଲରେ ଇଥାନଲର ୧୦ ଭାଗ ମିଶାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୨୬ ସୁଦ୍ଧା ୧୫ ପ୍ରତିଶତ ଇଥାନଲ ଓ ୨୦୩୦ ସୁଦ୍ଧା ୨୦ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶାଇବାର ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ସହ ସେମାନଙ୍କ ଜୀବନରେ ପରିବର୍ତନ ଆଣିବ। ଗତ ୬ ବର୍ଷ ମଧ୍ୟରେ ଆଖୁ ଚାଷୀମାନେ ଉପକୃତ ହୋଇଛନ୍ତି। କାରଣ ଡିଷ୍ଟିଲାରିର କ୍ଷମତା ଦ୍ୱିଗୁଣିତ ହୋଇ ବର୍ତମାନ ୪୨୬ କୋଟି ଲିଟରରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର