ପାରଳା ସଶସ୍ତ୍ର ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ: ଅନୁଧ୍ୟାନ କରିବ ଭାରତୀୟ ଇତିହାସ ଗବେଷଣା ପରିଷଦ

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଚିଠି ଲେଖିଲା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ ହୋଇଥିବା ବ୍ରିଟିସ୍‌ଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗରେ ଅନୁଧ୍ୟାନ ଓ ଗବେଷଣା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତୀୟ ଇତିହାସ ଗବେଷଣା ପରିଷଦକୁ ବିଧିବଦ୍ଧ ଚିଠି କରିଛି। ଭାରତର ଉପରାଷ୍ଟ୍ରପତିଙ୍କ ଏକ ଚିଠି ଆଧାରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଚିଠି ନମ୍ବର ସିଏମ-୨୨୦୧୪/୬/୨୨-ସି ଆଣ୍ଡ ଏମ୍‌ (ପାର୍ଟ ୧) ତାରିଖ ୧୫/୯/୨୨ ଦ୍ବାରା ଭାରତୀୟ ଇତିହାସ ଗବେଷଣା ପରିଷଦକୁ ଏ ବାବଦରେ ଅନୁରୋଧ କରାଯାଇଛି। ଏଥିପୂର୍ବରୁ ଏହି ପ୍ରସଙ୍ଗରେ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶା ସରକାରଙ୍କୁ ପତ୍ର ଆସିଥିଲା। ଯାହା ଉପରେ ରାଜ୍ୟ ସଂସ୍କୃତି ବିଭାଗରେ ବିଚାର ଓ ଆଲୋଚନା ଚାଲିଥିବା ଜଣାଯାଏ।

ବିଶିଷ୍ଟ ଐତିହାସିକ ତଥା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କ ଲିଖିତ ‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକରେ ଦର୍ଶାଇଛନ୍ତି, ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ (୧୭୩୬-୧୭୭୦) ଇଂରେଜମାନଙ୍କୁ ପ୍ରଥମେ ଗଞ୍ଜାମ ସୀମାରେ ସଶସ୍ତ୍ର ପ୍ରତିରୋଧ କରିଥିଲେ। ଏହି ପ୍ରତିରୋଧକୁ ତାଙ୍କ ଦାୟାଦ, ସାମନ୍ତ(ବିଶୋଇ), ଦୋରା, ଶବର ତଥା ପ୍ରଜାମାନେ ୧୮୩୪ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ୬୭ବର୍ଷ ଯାଏ ଚଳାଇ ରଖିଥିଲେ। ଏହିସମୟ ମଧ୍ୟରେ ପାରଳା ରାଜ୍ୟର ଦକ୍ଷିଣ ପଶ୍ଚିମାଞ୍ଚଳକୁ ସ୍ବାଧୀନ କରାଯିବା ସହ ବିଶାଖାପାଟଣାରେ ଏକ ସିପାହୀ ବିଦ୍ରୋହର ସୂତ୍ରପାତ କରାଯାଇ ପାରିଥିଲା। ଦେଶୀୟ ବିଦ୍ରୋହୀ ସିପାହୀଙ୍କ ଗୁଳିରେ ୬ଜଣ ଇଂରେଜ ଉଚ୍ଚସେନା ଅଧିକାରୀ ପ୍ରାଣ ହରାଇଥିଲେ। ସେଠାକାର ଗଭର୍ଣ୍ଣର କାସମାଜର୍‌ଙ୍କୁ ବନ୍ଦୀ କରି ଟ୍ରେଜେରି ଲୁଟ କରାଯାଇଥିଲା। ଏତେସବୁ କାଣ୍ଡ କରି ବିଦ୍ରୋହୀମାନେ ପାରଳାଖେମୁଣ୍ଡିକୁ ନିରାପଦରେ ଫେରି ଆସିଥିଲେ। ସଂଗ୍ରାମର ପରବର୍ତ୍ତୀ ଅବସ୍ଥାରେ ୟୁରୋପୀୟ ଲେଫ୍ଟନାଣ୍ଟ୍‌ ୟଙ୍ଗ୍‌ସନ୍‌ଙ୍କୁ ବନ୍ଦୀ, ଅନ୍ୟଜଣେ ଲେଫ୍ଟନାଣ୍ଟ୍‌ ସିରାଜ ଏବଂ ସେନାର ନେତୃତ୍ୱ ନେଉଥିବା ମେଜର୍‌ ବକ୍ସରଙ୍କୁ ପାରଳାର ବିଦ୍ରୋହୀମାନେ ହତ୍ୟା କରିଥିଲେ। ଅନେକ ଲୋକ ଯୁଦ୍ଧରେ ପ୍ରାଣବଳି ଦେବାସହ ୧୮ଜଣଙ୍କୁ ଫାଶୀଦଣ୍ଡ, ୨୫ଜଣଙ୍କୁ କଳାପାଣି ସଜା, ୧୦୩ ଜଣଙ୍କୁ ରାଜବନ୍ଦୀ କରା ଯାଇଥିବା ବିଷୟ ଗବେଷକ ଶ୍ରୀ ମହାପାତ୍ର ଉକ୍ତ ପୁସ୍ତକରେ ପ୍ରମାଣ ସହ ଉପସ୍ଥାପନ କରିଛନ୍ତି। ପାରଳାର ଏହି ଦୀର୍ଘକାଳୀନ ସଂଗ୍ରାମକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ଏବଂ ସହିଦମାନଙ୍କ ସ୍ମୃତିରକ୍ଷା କରିବା ଦିଗରେ ପଦକ୍ଷେପ ନେବାକୁ ପାରଳାର ବୃଦ୍ଧିଜୀବୀ ଦାବି କରି ଆସୁଛନ୍ତି।

କେନ୍ଦ୍ର ତଥା ରାଜ୍ୟରେ ସରକାରୀ ସ୍ତରରେ ଏଥିପାଇଁ ବିଚାର ବିମର୍ଶ ହେଉଥିବା ଜାଣି ଏଠାରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର