ପରଲୋକରେ ପାରଳା ମହାରାଜା ଗୋପୀନାଥ ଗଜପତି

ଭୁବନେଶ୍ୱର/ଗଜପତି : ପାରଳା ମହାରାଜା ତଥା ପ୍ରାକ୍ତନ ସାଂସଦ ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଆଜି ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘ ୩ ବର୍ଷ ହେଲା ସେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ଓ ପକ୍ଷଘାତ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ‌ବେଳେ ହୃଦଘାତ ଯୋଗୁଁ ଶୁକ୍ରବାର ଭୋର୍‌ ୪ଟା ୧ ମିନିଟ୍‌ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଜନ୍ମମାଟି ପାରଳା ସମେତ ରାଜ୍ୟର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଗୋପୀନାଥ ଗଜପତିଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକବର୍ଦ୍ଧନ ସିଂହଦେଓ, ସାଂସଦ ସଂଗୀତା ସିଂହଦେଓ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

୧୯୪୩ ମସିହା ମାର୍ଚ ୬ ତାରିଖରେ ଜନ୍ମିତ ଗୋପୀନାଥ ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସ୍ବାଧୀନତା ପୂର୍ବର ଭାଷା ଆନ୍ଦୋଳନର ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପରେ ୧୯୭୪ ମସିହା ମେ ୨୬ ତାରିଖରେ ୧୪ତମ ରାଜା ଭାବେ ଅଭିଷିକ୍ତ ହୋଇଥିଲେ। କଂଗ୍ରେସର କିଛି ନେତାଙ୍କ ଅନୁରୋଧ ରଖି ସେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ। କଂଗ୍ରେସ ଦଳ ପକ୍ଷରୁ ସେ ୧୯୮୯ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ପରେ ୧୯୯୧ ମସିହାରେ ପୁନର୍ବାର କଂଗ୍ରେସରୁ ପ୍ରାର୍ଥୀ ହୋଇ ୧୦ମ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ୧୯୯୮ ମସିହାରେ ଦ୍ବାଦଶ ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନକୁ ଓହ୍ଲାଇଥିଲେ ହେଁ ପରାଜୟ ବରଣ କରିଥିଲେ। କିଛି ବର୍ଷ ରାଜନୀତିରୁ ଦୂରେଇ ରହିବା ପରେ ସେ ବିଜେଡିକୁ ଫେରିଥିଲେ। ୨୦୧୬ରେ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଅଭିଯୋଗ ଆସିବା ପରେ ଏହା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ‌ସେବେଠାରୁ ଚିକିତ୍ସା ବ୍ୟବସ୍ଥା‌ କରାଯାଇଥିଲା। ପ୍ରଥମେ ଚେନ୍ନାଇର ଆପୋଲୋରେ ଚିକିତ୍ସିତ ହେବା ପରେ ୨୦୧୭ ମସିହା ଜାନୁଆରି ୬ ତାରିଖରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥି‌ଲେ। ସେବେଠାରୁ ସେ ହସ୍ପିଟାଲ୍‌ର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ବି.ଆର୍‌ ଦାସଙ୍କ ନେତୃତ୍ବରେ ଗଠିତ ଏକ ଡାକ୍ତରୀ ଦଳ ଦ୍ବାରା ଚିକିତ୍ସିତ ହେଉଥିଲେ। ପ୍ରାୟ ଅଢ଼େଇ ବର୍ଷ ହେଲା ସେ କାହା ସହ କଥାବାର୍ତା ମଧ୍ୟ କରୁନଥିଲେ। ମୃତ୍ୟୁ ବେଳକୁ ତାଙ୍କ ଝିଅ ତଥା ରାଜକୁମାରୀ କଲ୍ୟାଣୀ ଦେବୀ ଏବଂ ଗଜପତିଙ୍କ ମ୍ୟାନେଜର ତାଙ୍କ ନିକଟରେ ଉପସ୍ଥିତ ଥିଲେ।

ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଶେଷଦର୍ଶନ ଲାଗି ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମସିଂହ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ତିରୁପତି ପାଣିଗ୍ରାହୀ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ। ପୂର୍ବାହ୍ନରେ ହସ୍ପିଟାଲ୍‌ରୁ ତାଙ୍କ ମରଶରୀରକୁ ପାରଳା ରାଜନଅର ଅଭିମୁଖେ ନିଆଯାଇଥିଲା। ଅପରାହ୍‌ଣ ୪ଟା ୩୦ରେ ମରଶରୀର ରାଜ ନଅରରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ସତୀର୍ଥ ଓ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ସେଠାରେ ଦେଢ଼ ଘଣ୍ଟା ରହିବା ପରେ ମରଶରୀରକୁ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧିସ୍ଥଳ ନିକଟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ରାଜକୀୟ ସମ୍ମାନ ସହ ତୋପ ସଲାମୀ ଦିଆଯିବା ପରେ ମୃତ ଶରୀର ଦାହ କରାଯାଇଥିଲା। ଏଥିସହ ସନ୍ଧ୍ୟାରେ ତାଙ୍କ ଝିଅ କଲ୍ୟାଣୀ ଦେବୀଙ୍କ ଅଭିଷେକ କରାଯାଇଥିଲା। ଗଜପତିଙ୍କ ବିୟୋଗରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶୋକ ବ୍ୟକ୍ତ କରିବା ସହ ଭୁବନେଶ୍ବରସ୍ଥିତ ପାରଳା ବିକାଶ ମଞ୍ଚ ତରଫରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର