‘ପାରଳା ବିଦ୍ରୋହ ହିଁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’: ଗଜପତି ଜିଲ୍ଲା ଅଧ୍ୟାପକ ସମ୍ମିଳନୀରେ ସର୍ବସମ୍ମତ ମତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି  ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ସ୍ଵାମୀ ବିବେକାନନ୍ଦ ଲୋକସଂସଦ, ଗଜପତି ଜିଲ୍ଲା ଶାଖା ପକ୍ଷରୁ ‘ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଓ ପାରଳାଖେମୁଣ୍ଡି’ ପ୍ରସଙ୍ଗ ଉପରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକାଙ୍କୁ ନେଇ ଦାବି ଉପସ୍ଥାପନା କ୍ଷେତ୍ରରେ ସହଯୋଗ ପାଇଁ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଲୋକସଂସଦର ଜିଲ୍ଲା ଶାଖା ସଭାପତି ତଥା କାର୍ଯ୍ୟକ୍ରମର ଆଲୋଚକ ଐତିହାସିକ ଓ ଗବେଷକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ.ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଆଲୋଚନାଚକ୍ରରେ ସର୍ବସମ୍ମତ ମତ ଥିଲା, ବ୍ରିଟିସ୍‌ଙ୍କ ବିରୋଧରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ପ୍ରଥମ କରି

ପାରଳାଖେମୁଣ୍ଡିରେ ହୋଇଥିଲା। ଅତୀତରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ସେତେଟା ବିସ୍ତୃତ ବା ପ୍ରଭାବଶାଳୀ ନଥିବା ଯୋଗୁଁ ତାହା ଲୋକଲୋଚନ ଅନ୍ତରାଳେ ରହିଗଲା। ପାରଳା ମାଟିରେ ହିଁ ଯେଉଁ ସଂଗ୍ରାମ ହୋଇଥିଲା, ତାହା ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ପାଇବାରେ ପୂର୍ଣ୍ଣ ହକ୍‌ଦାର ବୋଲି ଏଥିରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ସ୍ଵାଧୀନତା ସଂଗ୍ରାମକୁ ଜାତୀୟ ସ୍ତରରେ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ନିମନ୍ତେ ଦୃଢ଼ ଦାବି କରାଯିବା ସହ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏ ସମ୍ପର୍କରେ ଐତିହାସିକ ତଥା ‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକର ରଚୟିତା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସବିଶେଷ ତଥ୍ୟ ରଖି ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସଂସଦର ସମ୍ପାଦିକା ସସ୍ମିତା ଦାସ, ଓଡ଼ିଶା ସାହିତ୍ୟ ଏକାଡେମି ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍‌ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେବା ସହ ପୁସ୍ତକ ପ୍ରସଙ୍ଗ ଉପରେ ରହିଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରଶ୍ନ ଉପସ୍ଥାପିତ କରି ପୁସ୍ତକର ସ୍ରଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଠାରୁ ଉପଯୁକ୍ତ ଉତ୍ତର ପାଇ ସନ୍ଦେହ ଦୂର କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଭାରତ ଭୂଷଣ ମହାନ୍ତି, ମୁରଲୀଧର ପରିଚ୍ଛା, ବିଷ୍ଣୁଚରଣ ପଣ୍ଡା, ତ୍ରିପତି ପଣ୍ଡା ଏବଂ ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର