ହରଭଙ୍ଗା : ଲକଡାଉନ ସମୟରେ ହରଭଙ୍ଗା ଗ୍ରାମର ଅର୍ଜୁନ ନାଏକ(୬୧) ନାମକ ଜୈନିକ ପକ୍ଷାଘାତ ରୋଗରେ ପୀଡିତ ବୃଦ୍ଧ ଓ ତାଙ୍କର ପତ୍ନୀ ଅର୍ଥଭାବ ଯୋଗୁଁ ଅତି ଦୟନୀୟ ଭାବେ ଦିନକଟୁଥିବା ଦେଖାଯାଇଛି। ଜଣେ ଦିନ ମଜୁରିଆ ଭାବେ ଅର୍ଜୁନ ଯାହା ଦି ପଇସା ରୋଜଗାର କରୁଥିଲେ ସେଥିରେ ପରିବାର ପ୍ରତି ପୋଷଣ କରୁଥିଲେ।ହଠାତ ସେ ପକ୍ଷାଘାତ ରୋଗର ଶିକାର ହେବା ପରଠାରୁ କୌଣସି କାମଧନ୍ଦା କରିପାରୁ ନାହାନ୍ତି। ପରିସ୍ଥିତିରେ ପଡି ଅନ୍ୟର କାମ ପାଇଟି କରି ତାଙ୍କ ସ୍ତ୍ରୀ ଯାହା ପାଉଛନ୍ତି ସେଥିରେ ଚୁଲି ଜଳୁଛି। ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି। ଭତ୍ତା ଖଣ୍ଡେ ପାଇବାକୁ ସେ ବାରମ୍ବାର ଆବେଦନ କରି ମଧ୍ୟ ନିରାଶ ହେବାପରେ ଗତବର୍ଷ ସେପ୍ଟେମ୍ବର ମାସରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ନିଜର ସ୍ୱାସ୍ଥ୍ୟବସ୍ଥା ଜଣାଇ ଭତ୍ତାମଞ୍ଜୁର ପାଇଁ ଗୁହାରି କରିଥିଲେ। ଜିଲ୍ଲାପାଳ ତାଙ୍କ ଦରଖାସ୍ତଟିକୁ ହରଭଙ୍ଗା ବିଡ଼ିଓଙ୍କ ନିକଟକୁ ରେଫର କରି ବିହୀତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଆଜକୁ ୭ମାସ ବିତିଯାଇଥିଲେ ବି ତାଙ୍କୁ ଏଯାଏଁ ଭତ୍ତା ମିଳିପାରି ନଥିବା ଜଣାପଡିଛି। ସମ୍ପ୍ରତି ଲକଡାଉନ ବେଳେ କାମପାଇଟି ଅଭାବରୁ ଉଭୟ ସ୍ୱାମୀ ସ୍ତ୍ରୀ ପାଇଥିବା ୩୦କେଜି ଚାଉଳ ଓ ୧ହଜାର ଟଙ୍କା ହିଁ ତାଙ୍କର ବଞ୍ଚିବାକୁ ଏକମାତ୍ର ସହାରା ସାଜିଛି। ଏସମ୍ପର୍କରେ ବ୍ଲକର ଏସଇଓ ବିରଞ୍ଚି ନାରାୟଣ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିବା ଭତ୍ତା ତାଲିକାରେ ତାଙ୍କ ନାଁ ଯାଇଛି। ସେଠାରୁ ମଞ୍ଜୁର ହୋଇ ଆସିଲେ ଦିଆଯିବ ବୋଲି କହିଥିଲେ। ଜିଲ୍ଲାପାଳ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଜିଲ୍ଲାପାଳଙ୍କ ସୁପାରିଶ ସତ୍ତ୍ୱେ ମିଳିଲାନି ଭତ୍ତା, ବଞ୍ଚିବାକୁ ରାହା ଖୋଜୁଛନ୍ତି ପକ୍ଷାଘାତ ରୋଗୀ ଅର୍ଜୁନ
/sambad/media/post_attachments/wp-content/uploads/2020/05/harabhanga.jpg)