ପୁରୀ : ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ  ମାତ୍ର ତିନି ଘଣ୍ଟାର ବ୍ୟବସ୍ଥା କରାଯାଇଥିଲା। ଏହି ତିନି ଘଣ୍ଟା ମଧ୍ୟରୁ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଦିଆଯାଇଥିବା ବେଳେ ଦୁଇ ଘଣ୍ଟା ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ଏକ ଘଣ୍ଟା ମଧ୍ୟରେ ପରିମାଣିକ ଦର୍ଶନ ପାଇଁ ପ୍ରାୟ ୭ ହଜାର ଟିକେଟ୍‌ ବ୍ୟବସ୍ଥା କରାଯାଇଥିଲା। ଏହି ପରିମାଣିକ ଟିକେଟ୍‌ ପାଇଁ ଶ୍ରଦ୍ଧାଳୁମାନେ ପୂର୍ବରୁ ଏକ ଶହ ଟଙ୍କା ଦେଇ କିଣି ଆଜି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Advertisment

ପରିମାଣିକ ଦର୍ଶନ କରିବା ପାଇଁ ଦର୍ଶନାର୍ଥୀମାନଙ୍କୁ ଦକ୍ଷିଣଦ୍ବାର ଦେଇ ପ୍ରବେଶ କରିବାକୁ ଅନୁମତି ରହିଥିଲା। ତେଣୁ ସୋମବାର ପୂର୍ବାହ୍ନ ୬ଟା ସମୟରୁ ଦକ୍ଷିଣଦ୍ବାର ପଟେ ଭକ୍ତମାନଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ପୁଲିସ ଏହି ଧାଡ଼ିକୁ ପରିଚାଳନା କରୁଥିବା ବେଳେ ଅନେକ ଶ୍ରଦ୍ଧାଳୁ ବିନା ଧାଡ଼ିରେ ଦକ୍ଷିଣଦ୍ବାର ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଏହି ସମୟରେ ଏଠାରେ ଠେଲାପେଲା ପରିସ୍ଥିତି ଦେଖାଯାଇଥିଲା। ପରିମାଣିକ ଦର୍ଶନାର୍ଥୀମାନେ ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ରୋଷ ଘର ପାଇଁ ଯୋଗାଣିଆମାନେ କାଠ ଆଦି ନେଉଥିଲେ। ଦକ୍ଷିଣଦ୍ବାର ସମ୍ମୁଖରେ ଏହି ଠେଲ‌ାପେଲା ସମୟରେ ବୋଝିଆ ଓ ଯୋଗାଣିଆମାନଙ୍କ ଝୁଡ଼ି, କାଠ ବାଜି ଶ୍ରଦ୍ଧାଳୁମାନେ ଆହତ ହୋଇଥିଲେ। ସେହିପରି ପୁଲିସର ଠେଲାପେଲାରେ ମଧ୍ୟ କେତେକ ଶ୍ରଦ୍ଧାଳୁ ଆହତ ହୋଇଥିବା ଦେଖିବାକୁ ମିଳିଥିଲା।

ପରିମାଣିକ ଟିକେଟ୍‌ ଦେଢ଼ହଜାର ଟଙ୍କାରେ ବିକ୍ରି

ପୁରୀ : ସୋମବାର ଦକ୍ଷିଣଦ୍ବାର ନିକଟରେ ପରିମାଣିକ ଟିକେଟ୍‌ ଦେଢ଼ ହଜାର ଟଙ୍କାରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା। ବଙ୍ଗୀୟ ଶ୍ରଦ୍ଧାଳୁମାନଙ୍କୁ ବିକ୍ରି କରି କେତେକ ଦଲାଲ ବେଶ୍‌ ଲାଭବାନ ହୋଇଥିଲେ। ପୁଲିସ ସମ୍ମୁଖରେ ଏହି ଦଲାଲମାନେ କଳାବଜାରରେ ପରିମାଣିକ ଟିକେଟ୍‌ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କେ‌ହିକେହି ପରିମାଣିକ ଟିକେଟ୍‌ ୫ଶହ ଟଙ୍କାରେ ବିକ୍ରି କରୁଥିଲେ ତ ଅନ୍ୟ କେହି ଏକ ହଜାର ଟଙ୍କାରେ ମଧ୍ୟ ବିକ୍ରି କରୁଥିଲେ। ତେବେ ସର୍ବାଧିକ ଦେଢ଼ ହଜାର ଟଙ୍କାରେ ପରିମାଣିକ ଟିକେଟ୍‌ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ନଥିଲା।