ଆନ୍ଦୋଳନକୁ ତୀବ୍ର କଲେ ପାରାମେଡିକାଲ୍ କର୍ମଚାରୀ

ନବୀନ ନିବାସକୁ ବାହାରିଥିବା ଶୋଭାଯାତ୍ରାକୁ ଅଟକାଇଲା ପୁଲିସ
ମୁଖ୍ୟମନ୍ତ୍ରୀ ଆଲୋଚନା ନ କରିବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁନି

ଭୁବନେଶ୍ବର : ସ୍ଥାୟୀ ସରକାରୀ ନିଯୁକ୍ତି ଦାବି ନେଇ ଦୀର୍ଘ ୨୫ ଦିନ ହେବ ଲୋୟର୍ ପିଏମ୍‌ଜିରେ ଧାରଣାରେ ବସିଥିବା ଓଡ଼ିଶା କୋଭିଡ୍-୧୯ ପାରାମେଡିକାଲ୍ କର୍ମଚାରୀ ସଂଘ ଆଜି ଆନ୍ଦୋଳନକୁ ତୀବ୍ର କରିଛି। ଦିନ ପ୍ରାୟ ୧୧ଟା ୧୫ ବେଳକୁ ସଂଘର ପ୍ରାୟ ଶତାଧିକ ମହିଳା ଓ ପୁରୁଷ କର୍ମୀ ପିପିଇ କିଟ୍ ପିନ୍ଧି, ହାତରେ ପ୍ଲାକାର୍ଡ ଧରି, ଗାନ୍ଧୀମାର୍ଗରୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ମାଷ୍ଟରକ୍ୟାଣ୍ଟିନ୍ ଛକରେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଫଳରେ ପାରାମେଡିକାଲ୍ କର୍ମଚାରୀମାନେ ସେହି ରାସ୍ତାରେ ଧାରଣାରେ ବସିବା ସହ ନାରାବାଜି କରିଥିଲେ। ପ୍ରାୟ ଏକ ଘଣ୍ଟା କାଳ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବସି ପ୍ରତିବାଦ କରିବା ପରେ ପୁଲିସ୍ ସେମାନଙ୍କୁ ବୁଝାସୁଝା କରିଥିଲା। ସେଠାରେ ୧୪୪ ଧାରା ଜାରି ହୋଇଥିବା କହିବା ସହ ରାସ୍ତାରୁ ଉଠିଯିବା ପାଇଁ ନିବେଦନ କରିବା ପରେ ପାରାମେଡିକାଲ୍‌ କର୍ମୀ ରାସ୍ତାରୁ ଉଠି ଧାରଣାସ୍ଥଳକୁ ଫେରିଥିଲେ।

ତେବେ ଏ ନେଇ ସଂଘର ସଭାପତି ପୂର୍ଣ୍ଣେନ୍ଦୁ ବିକାଶ ମହାନ୍ତ କହିଛନ୍ତି, ଦୀର୍ଘ ୯ମାସ କାଳ ମହାମାରୀ କରୋନା ସହିତ ଆମେ ଲଢ଼ିବା ପରେ ସରକାର ଅନାବଶ୍ୟକ ମନେ କରି ଆମକୁ ଚାକିରି ହଟେଇଦେଲେ। କୌଣସି ପୂର୍ବ ସୂଚନା ମଧ୍ୟ ଦେଲେ ନାହିଁ। ଫଳରେ ବର୍ତ୍ତମାନ ଚାକିରି ହରାଇଥିବା ପ୍ରାୟ ୮ ହଜାରରୁ ଅଧିକ ପାରାମେଡିକାଲ୍ କର୍ମଚାରୀଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ କୌଣସି ପଦକ୍ଷେପ ନେଇ ଆମ ସହିତ ଆଲୋଚନା ନ କରିବା ପର୍ଯ୍ୟନ୍ତ ଆମେ ଧାରଣାସ୍ଥଳରୁ ହଟିବୁ ନାହିଁ ବୋଲି ଶ୍ରୀ ମହାନ୍ତ କହିଛନ୍ତି। ସଂଘର ମୁଖ୍ୟ ପରାମର୍ଶଦାତା ଅଧିର କୁମାର ଜେନା, ସଂପାଦକ ଭାଗବତ ସାହୁ, ଅବିନାଶ ସ୍ବାଇଁ ଓ ଶୁଭ୍ରାଂଶୁ ସାମଲ, ମହିଳା କର୍ମୀ ବିଷ୍ଣୁପ୍ରିୟା ଧଳ, ବର୍ଷା ଦାସ, ଆଶାଲତା ଘଡ଼ାଇ ପ୍ରମୁଖ ଆଜି ଶୋଭାଯାତ୍ରାରେ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର