ଈଶ୍ୱରଙ୍କ କୃପା ଅପେକ୍ଷାରେ ପରମେଶ୍ୱର : କରୋନା ଛଡ଼ାଇନେଲା ଜୀବିକା, ଅଗ୍ନିକାଣ୍ଡରେ ଜୀବନ ଦୁର୍ବିସହ

ଭଞ୍ଜନଗର : ହାତରେ କୌଳିକ ବଢ଼େଇ ବୃତ୍ତି। ମୁଣ୍ଡ ଉପରେ ପରିବାରର ୫ସଦସ୍ୟଙ୍କ ପ୍ରତିପୋଷଣର ଦାୟିତ୍ବ। ତାସାଙ୍ଗକୁ ଦିବ୍ୟାଙ୍ଗ ପୁଅର ଚିନ୍ତା। ତଥାପି କଷ୍ଟେମ‌ଷ୍ଟେ ଗଡ଼ୁଥିଲା ଜୀବନର ରଥ। ସମୟଚକ୍ରରେ ଦୁଇପୁଅ ମଧ୍ୟ ରୋଜଗାର ଆରମ୍ଭ କଲେ। ହେଲେ କରୋନା ସବୁ କିଛି ଉଜାଡ଼ି ନେଇଛି। ଗୋଟିଏ ପଟେ ଜୀବିକା ଓ ରୋଜଗାର ବନ୍ଦ ହୋଇଯାଇଥିବା ବେଳେ ଅନ୍ୟପଟେ ହଠାତ୍ ଘରେ ନିଆଁ ଲାଗିବା ପରେ ପରମେଶ୍ବରଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଆଉ ପାରିବାରିକ ଯନ୍ତ୍ରଣାକୁ ବଳିଯାଇଛି ପେଟର ଭୋକ। କାରଣ ପାଖରେ ଟଙ୍କାଏ ବି ନାହିଁ। ଏବେ କେବଳ ଈଶ୍ବରଙ୍କ କୃପାକୁ ଚାହିଁ ବସିଛି ବୋଲି ପରମେଶ୍ବର କୋହଭରା କଣ୍ଠରେ କହିଛନ୍ତି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅଧୀନ କାଦପଡ଼ା ଗ୍ରାମର ମୂଳବାସିନ୍ଦା ପରମେଶ୍ବର ମହାରଣା (୫୨)। ସେ ଭୁବନେଶ୍ବର ଧଉଳି ପଞ୍ଚାୟତ ସରଦେଇପୁରଠାରେ ସପରିବାର ରହୁଛନ୍ତି। କାଠ କାମ କଲେ ପରିବାର ଚଳେ। ପରିବାର କହିଲେ ପତ୍ନୀ କୁନି ଓ ତିନି ପୁଅ ଏବଂ ଗୋଟିଏ ଝିଅ। ବଡ଼ପୁଅ ଦୀନକୃଷ୍ଣ ଦୁଇ ମାସ ହେଲା ଦାଦନ ଖଟିବାକୁ ଚେନ୍ନାଇ ପଳାଇଛି। ସେହିପରି ମଝିଆପୁଅ ରଶ୍ମିରଂଜନ ଭୁବନେଶ୍ବରର ଗୋଟିଏ ଗ୍ୟାରେଜ୍‌ରେ କାମ କରୁଛି। ଝିଅ ରାଜଲକ୍ଷ୍ମୀ ୭ମ ଓ ସାନପୁଅ ରଞ୍ଜନ ୮ମ ଶ୍ରେଣୀରେ ପଢ଼ୁଛନ୍ତି। କିନ୍ତୁ ରଞ୍ଜନର ଗୋଡ଼ଟି ହଠାତ୍ ଅଚଳ ହୋଇଯିବାରୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାଠୁ ଆରମ୍ଭ କରି କଟକ ବଡ଼ ଡାକ୍ତରଖାନାରେ ଦେଖାଇଥିଲେ ବି କୌଣସି ସୁଫଳ ମିଳିଥିଲା। ଆୟୁର୍ବେଦିକ ଚିକିତ୍ସା ଦ୍ବାରା ଜ୍ଞାନର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ରୋଜଗାର ସହ ପୁଅର ଚିକିତ୍ସା ପାଇଁ ତିନିବର୍ଷ ହେଲା ପରମେଶ୍ବର ଭୁବନେଶ୍ବର ଆସି ସରଦେଇପୁର ଗ୍ରାମରେ ଗୋଟିଏ ବଖରା ଘରେ ଭଡ଼ାରେ ରହିଆସୁଛନ୍ତି। ବିଭିନ୍ନ ଘରେ କାଠ କାମ କଲେ ପରିବାର ପ୍ରତିପୋଷଣ ହେଉଥିଲା।

କିନ୍ତୁ କରୋନା କଟକଣା ପରେ ତାଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ପରମେଶ୍ବର ଓ ତାଙ୍କର ଦୁଇପୁଅ ‌ରୋଜଗାର ହରାଇଥିଲେ। ଏଭଳି ପରିସ୍ଥିତିରେ ଗତ ୩୧ ତାରିଖରେ ହଠାତ୍ ଗ୍ୟାସ୍ ବର୍ନଲ୍ ଫାଟି ନିଆଁ ଲାଗିଯିବାରୁ ଘରେ ଗଚ୍ଛିତ ଥିବା ସମସ୍ତ ସାମଗ୍ରୀ ଓ ଆସବାବପତ୍ର ପୋଡ଼ିଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କୁ ସରକାରୀସ୍ତରରେ କୌଣସି ସହାୟତା ଓ ସୁବିଧା ମିଳି ନଥିବା ପରମେଶ୍ବର କହିଛନ୍ତି। ଅଗ୍ନିକାଣ୍ଡ ପରେ ସେ ଘର ମାଲିକଙ୍କ ସମେତ ଆଖପାଖର ଲୋକଙ୍କଠୁ ଧାର ଆଣି ବହୁ କଷ୍ଟରେ ପରିବାର ଚଳାଉଛନ୍ତି। କଟକଣା ଲାଗି ନିଜ ଭିଟାମାଟିକୁ ମଧ୍ୟ ଆସିପାରୁନାହାନ୍ତି। କରୋନାର ତାଡ଼ନା ସାଙ୍ଗକୁ ଅଗ୍ନିକାଣ୍ଡ ତାଙ୍କ ପରିବାରକୁ ଦୁଃଖର ମୁହଁକୁ ଠେଲି ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର