ସମ୍ବଲପୁର: କ୍ଷେତରେ ଘାସ ମାରିବା ପାଇଁ ବ୍ୟବହୃତ ତୃଣନାଶକ ‘ପାରାକ୍ବେଟ୍‌’ ବିକ୍ରି ନିଷେଧ ଉପରେ ଏଯାଏଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସହମତି ହୋଇ ପାରିନାହିଁ। ଓଡ଼ିଶା ବଜାରରେ ଏହି ଉତ୍କଟ ବିଷ ବିକ୍ରି ପାଇଁ ବିକ୍ରେତାଙ୍କୁ ଆଉ ଲାଇସେନ୍ସ ଦିଆଯାଉ ନ ଥିବା କୃଷି ବିଭାଗ ସୂତ୍ରରୁ ଜଣାଯାଇଛି। ଏହା ସତ୍ତ୍ବେ ହୀରାକୁଦ ଜଳସେଚିତ ଅଞ୍ଚଳରେ ଚାଷ ନିମନ୍ତେ ବହୁଳ ଭାବେ ‘ପାରାକ୍ବେଟ୍‌’ ଚୋରାରେ ବିକ୍ରି ହେଉଛି। ସ୍ଥିତି ଏଭଳି ହୋଇଛି ଯେ ୧ ଲିଟର ‘ପାରାକ୍ବେଟ୍‌’ ପୂର୍ବରୁ ପ୍ରାୟ ୨୫୦ ଟଙ୍କାରେ ଉପଲବ୍‌ଧ ହେଉଥିଲାବେଳେ ଏବେ ଏହା ପ୍ରାୟ ୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ତଥାପି ଚାଷୀ ଏହାକୁ କିଣିବା ପାଇଁ ପଶ୍ଚାତ୍‌ପଦ ହେଉନାହାନ୍ତି। ଚାଷୀଙ୍କ କହିବା ଅନୁସାରେ ‘ପାରାକ୍ବେଟ୍‌’ ବିକ୍ରି ନିଷେଧ ଯଥେଷ୍ଟ ନୁହେଁ। ଘାସ କାଟିବା ପାଇଁ ବ୍ୟବହୃତ ବ୍ୟୟବହୁଳ କଟର୍‌ ମେସିନ୍‌କୁ ସରକାର ରିହାତି ଦରରେ ଯୋଗାଇ ଦେବା ଦରକାର। ଅନ୍ୟଥା ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ।
ଉଲ୍ଲେଖଯୋଗ୍ୟ, ‘ପାରାକ୍ବେଟ୍‌’ ହେଉଛି ଏକ ଘାତକ ତୃଣନାଶକ। ଚାଷୀ ପରିବାରରେ ଘରେ ଘରେ ଏହା ଉପଲବ୍‌ଧ। ହାତପାଆନ୍ତାରେ ଥିବାରୁ ଅନେକ ସମୟରେ ଲୋକେ, ବିଶେଷ କରି ଯୁବକଯୁବତୀ ସାମାନ୍ୟ କଥାରେ ଏହାକୁ ପିଇ ଦେଇଥାଆନ୍ତି। ଅନ୍ୟ ବିଷକ୍ରିୟାରୁ ରୋଗୀକୁ ବଞ୍ଚାଇବା ସମ୍ଭବ ହୋଇଥାଏ। 
କିନ୍ତୁ ‘ପାରାକ୍ବେଟ୍‌’ ସେବନ କରୁଥିବା ଲୋକଙ୍କ ବଞ୍ଚିବା ସମ୍ଭାବନା ଅତି କ୍ଷୀଣ। ବିଷ ପିଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ଅଧିକାଂଶ ରୋଗୀ ‘ପାରାକ୍ବେଟ୍‌’ ସେବନ କରିଥିବା ରେକର୍ଡରୁ ଜଣାପଡ଼ିଛି। ୨୦୨୩ ମସିହାରେ ‘ଭିମସାର’ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ମୁତାବକ ‘ପାରାକ୍ବେଟ୍‌’ ପିଇ ଆସିଥିବା ୧୪୯ ବ୍ୟକ୍ତିଙ୍କ ମଧ୍ୟରୁ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏହିଭଳି ସ୍ଥିତି ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୩ ମସିହା ଅକ୍ଟୋବର ମାସରେ କୃଷିବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ଯାହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ। ରାଜ୍ୟ ସରକାର କୌଣସି ତୃଣ ବା କୀଟନାଶକକୁ ସର୍ବାଧିକ ୩ ମାସ ନିଷେଧ କରିପାରିବେ। ଓଡ଼ିଶା ସରକାର ଦୁଇଟି ପର୍ଯ୍ୟାୟରେ ଦୁଇଥର ‘ପାରାକ୍ବେଟ୍‌’ ନିଷେଧ କରିଛନ୍ତି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିବା କ୍ଷମତା କେବଳ କେନ୍ଦ୍ର ସରକାରଙ୍କ ପାଖରେ ରହିଛି। କେନ୍ଦ୍ର କିନ୍ତୁ ‘ପାରାକ୍ବେଟ୍‌’କୁ ସମ୍ପୂର୍ଣ୍ଣ ନିଷେଧ କରୁ ନାହିଁ। ରାଜ୍ୟ ସରକାର ‘ପାରାକ୍ବେଟ୍‌’କୁ
 ନିଷେଧ କରି ପାରୁନଥିବାରୁ ଖୋଲାରେ ବିକ୍ରି ପାଇଁ କୌଣସି କମ୍ପାନିକୁ ଲାଇସେନ୍ସ ଦେଉ ନାହାନ୍ତି। କିନ୍ତୁ ଯେଉଁଠି ଚୋରାରେ ‘ପାରାକ୍ବେଟ୍‌’ ବିକ୍ରି ହେଉଛି, ତାକୁ ମଧ୍ୟ ରୋକା ଯାଉନାହିଁ। ଫଳରେ ପୂର୍ବରୁ ଲୁଚାଛପାରେ ଯେଉଁ ‘ପାରାକ୍ବେଟ୍‌’ ବିକ୍ରି ହେଉଥିଲା, ବର୍ତ୍ତମାନ ଅଧିକ ଦରରେ ଖୋଲାଖୋଲି ବିକ୍ରି ହେବା ଆରମ୍ଭ ହେଲାଣି। 
ଖରିଫ୍‌ରେ ସମ୍ବଲପୁର ଜିଲ୍ଲାରେ କେବଳ ୧୦ରୁ ୧୫ ହଜାର ଲିଟର ‘ପାରାକ୍ବେଟ୍‌’ ବିକ୍ରି ହେଉଥିଲା। ରାଜ୍ୟ ସରକାରଙ୍କ ନିଷେଧ ପରେ ଏହାର ବିକ୍ରି ପରିମାଣ କେତେ ପ୍ରଭାବିତ ହୋଇଛି ତାହା ଜଣାପଡ଼ୁ ନଥିଲେ ବି ଏହାର ବ୍ୟବସାୟ ପରିମାଣ ବିଶେଷ ପ୍ରଭାବିତ ହେଉ ନଥିବା ଜଣାଯାଇଛି। ଚାଷୀଙ୍କ ଅନୁସାରେ, ପୂର୍ବରୁ ଜମିରେ ଘାସ କିମ୍ବା ଅଦରକାରୀ ଲତାକୁ ଗୋରୁଗାଈ ଖାଇ ଯାଉଥିଲେ। ଏବେ ଗୋପାଳନ ହେଉ ନାହିଁ। ତେଣୁ ଘାସ ଓ ଲତାମାରିବା ପାଇଁ ‘ପାରାକ୍ବେଟ୍‌’ ବ୍ୟବହାର ହେଉଛି। ପ୍ରକାଶଥାଉକି, ‘ଭିମ୍‌ସାର୍‌’ରେ ‘ପାରାକ୍ବେଟ୍’ ମୃତ୍ୟୁର ପରିସଂଖ୍ୟାନ ଅନୁଶୀଳନ ପରେ ଅନୁଷ୍ଠାନର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ବରେ କିଛି ଯୁବ ଡାକ୍ତର ଏହି ଘାତକ ତୃଣନାଶକକୁ ରାଜ୍ୟରେ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ସରକାରଙ୍କଠାରେ ଦାବି କରି ଆସୁଛନ୍ତି।