ସ୍ୱାଧୀନତା ପୂର୍ବବର୍ତୀ କାଳରେ ଏମିତି ବି କିଛି ଲୋକ ଥିଲେ ନିଜର ସଂପତ୍ତି ସେମାନଙ୍କୁ ବୋଝ ଭଳି ଲାଗେ। ପର ପାଇଁ ପ୍ରାଣ କାନ୍ଦେ। ପରମ୍ପରାର ନିଗଡ଼ ଭାଙ୍ଗି ପରାର୍ଥ ହୋଇଯାଆନ୍ତି ସେମାନେ। ପରପ୍ରାଣ ହୋଇ ଜୀବନ କାଟନ୍ତି । ସେହିଭଳି ଜଣେ ଥିଲେ ରାୟଗଡ଼ା ମାଟିର ବକ୍ସିପାତ୍ର କୁଳ-ତିଳକ ହରିଶ୍ଚନ୍ଦ୍ର ବକ୍ସିପାତ୍ର। ପିତା ଗୋପୀନାଥ ଓ ମାତା ଶଶିରେଖାଙ୍କ କୋଳ ମଣ୍ଡନ କରି ମାମୁଁଘର ପାରଳାଖେମୁଣ୍ଡିରେ ସେ ଭୂମିଷ୍ଠ ହୁଅନ୍ତି ନଭେମ୍ବର ୧୭, ୧୯୩୩ରେ। ସ୍କୁଲ ପାଠପଢ଼ା ରାୟଗଡ଼ାରେ, ମାତ୍ର କଲେଜ ପଢ଼ା ପାରଳାଖେମୁଣ୍ଡିରେ। ସେଇଠୁ ଆରମ୍ଭ ହୁଏ ପରାର୍ଥ ଜୀବନର ଯାତ୍ରା। ଗରିବ, ଶ୍ରମିକ, ଖଟିଖୁଙ୍କ ଦଳ ତାଙ୍କୁ ଆକୃଷ୍ଟ କରେ। ସାମ୍ୟବାଦୀମାନଙ୍କ ସହ ଛାତ୍ରାବସ୍ଥାରୁ ସେ ସାମିଲ ହୋଇଯାଆନ୍ତି। ଅଞ୍ଛଳ ଭାରତୀୟ ଛାତ୍ରସଂଘ ଓ ଛାତ୍ର ଫେଡେରେସନ୍‌ର ସକ୍ରିୟ ଭୂମିକା ନିର୍ବାହ କରନ୍ତି । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ହୋଇ ନେତୃତ୍ବ ନିଅନ୍ତି ।

Advertisment

କଟକ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତର ପାଠ ପଢ଼ିବାକୁ ଆସି ନିଜର ଏହି ପରାର୍ଥ ତଥା ସମୂହପ୍ରାଣତା ପାଇଁ ପୁଣି ସେ ଛାତ୍ର ସଂସଦର ସଭାପତି ହୁଅନ୍ତି । ସେତେବେଳକୁ ସନ ୧୯୫୪। ଅକ୍ଟୋବର ୨୮-୨୯ରେ ତେଜି ଉଠୁଥିବା ଓଡ଼ିଆ ଆନ୍ଦୋଳନ ମୁଖ୍ୟ ଭୂମିକା ନିର୍ବାହ କରନ୍ତି। ଏତିକିବେଳେ ଆସେ ଓଡ଼ିଶା ଉପକୂଳର ଭୟାବହ ବନ୍ୟା। ଦଳେଇ ଘାଇ ଭାଙ୍ଗି ଶହ ଶହ ଗାଆଁଗଣ୍ଡା ବିପଦଗ୍ରସ୍ତ ହୁଅନ୍ତି। ମାତ୍ର ଛାତ୍ରନେତା ହରିଶ୍ଚନ୍ଦ୍ର ଛାତ୍ରସଂଘର ସ୍ୱେଚ୍ଛାସେବୀଙ୍କୁ ଧରି ବନ୍ୟା ପ୍ରପୀଡ଼ିତଙ୍କ ଉଦ୍ଧାର ପାଇଁ ଲମ୍ଫ ପ୍ରଦାନ କରନ୍ତି। ତା’ ପରେ ପରେ ବିଖ୍ୟାତ ରେଭେନ୍ସା କଲେଜର ଛାତ୍ର ୟୁନିୟନ ସଭାପତି ଭାବେ ନିର୍ବାଚିତ ହୁଅନ୍ତି । ଅନେକ କହନ୍ତି, ହରିଶ୍ଚନ୍ଦ୍ର ଜଣେ ସ୍ୱାଭାବିକ ନେତା। ୧୯୬୩ ଫେବୃଆରୀରେ ପୁରୀର ବିଖ୍ୟାତ୍ ଆଇନ୍‌ଜୀବୀ ତଥା ବାମପନ୍ଥୀ ନେତା ରାମଚନ୍ଦ୍ର ମିଶ୍ରଙ୍କର ଏକମାତ୍ର କନ୍ୟା ବନଲତାଙ୍କ ସହ ବିବାହ ବନ୍ଧନରେ ଛନ୍ଦି ହୁଅନ୍ତି ସେ। ଲୋକଙ୍କ ସମସ୍ୟା, ଲୋକଭାଷା ଆଧାରରେ ଗଣଙ୍କ ନିକଟରେ ପହଞ୍ଚାଇବା ଲାଗି ୧୯୬୫ରେ ପାକ୍ଷିକ ଓଡ଼ିଆ ପତ୍ରିକା ‘ଲୋକନୀତି’ର ଶୁଭାରମ୍ଭ କରନ୍ତି ।

ବକ୍ସିପାତ୍ର ଯୁବାକାଳରୁ ଥିଲେ କମ୍ୟୁନିଷ୍ଟ ପାର୍ଟି ଆଦର୍ଶରେ ଅନୁପ୍ରାଣୀତ। ହେଲେ ଏଇ ସମୟରେ ଭାରତରେ କମ୍ୟୁନିଷ୍ଟ ପାର୍ଟିର ବିଭାଜନ ହୋଇ ତା’ର ଅସ୍ତିତ୍ୱ ଉପରେ ଗଭୀର ପ୍ରଭାବ ପଡ଼େ । ସେ ପାର୍ଟିରୁ ଇସ୍ତଫା ଦିଅନ୍ତି ସତ, ହେଲେ ଚାଷୀ ଆନ୍ଦୋଳନକୁ ତ୍ବରାନ୍ବିତ କରିବା ପାଇଁ ‘ରୟତ ସଭା’ ପ୍ରତିଷ୍ଠା କରନ୍ତି ଏବଂ ଜୟପୁର ବିଧାନସଭା ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଭାଗ ନିଅନ୍ତି। ପରେ ପରେ ଯୋଗ ଦିଅନ୍ତି କଂଗ୍ରେସ ଦଳରେ। ୧୯୭୩ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜୁ ପଟ୍ଟନାୟକଙ୍କ ଉତ୍କଳ କଂଗ୍ରେସରେ ଯୋଗ ଦିଅନ୍ତି । ରାଜ୍ୟସାରା କେତେ କେତେ ଶ୍ରମିକ ସଂଘ ସହ ସମ୍ପୃକ୍ତ ହୋଇପଡ଼ନ୍ତି, ନେତୃତ୍ୱ ନିଅନ୍ତି। ରାଜ୍ୟ ପରିବହନ ସଂଘ, ଖଣି ନିଗମ ଶ୍ରମିକ ସଂଘ, ଓ.ଟି.ଏମ୍. ଶ୍ରମିକ ସଂଘ, ବେଲପାହାଡ଼ ରିଫାକ୍ଟରିଜ୍ ଶ୍ରମିକ ସଂଘ ପୁଣି ଆଇ.ଡି.ସି. ଶ୍ରମିକ ସଂଘ।

ଲୋକେ କହନ୍ତି- “ ଶ୍ରମିକ ସମସ୍ୟା ଯେଉଁଠି, ହରିଶ୍ଚନ୍ଦ୍ର ବକ୍ସିପାତ୍ର ସେଇଠି।”
୧୯୭୪ରୁ ସେ ବ୍ୟବସ୍ଥାପନା ସଫଳତା ହାସଲ କରନ୍ତି । ନବଗଠିତ କୋରାପୁଟ ନିର୍ବାଚନ ମଣ୍ଡଳୀରୁ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୁଅନ୍ତି। ୧୯୭୪ରେ ସାରା ଭାରତରେ ଆରମ୍ଭ ହୋଇଯାଏ ଜୟପ୍ରକାଶ ନାରାୟଣଙ୍କର ସମ୍ପୂର୍ଣ୍ଣ କ୍ରାନ୍ତି। ୧୯୭୫ରେ ଶାସକ କଂଗ୍ରେସ ଦଳ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସବୁ ବିରୋଧ ଦଳର ଛାମୁଆ ନେତାମାନଙ୍କୁ ଜେଲରେ ପୂରାଏ। ବକ୍ସିପାତ୍ର ଛାଡ଼ ପାଇବେ କେମିତି? ହରିଶ୍ଚନ୍ଦ୍ର ବଲାଙ୍ଗୀର, କୋରାପୁଟ, ଭବାନୀପାଟଣା କାରାଗାରରେ କ୍ରମାନ୍ୱୟରେ ସ୍ଥାନାନ୍ତରିତ ହୋଇ ୧୯ ମାସ ଜେଲ୍ ଜୀବନ ଭୋଗ କରନ୍ତି। ୧୯୭୭ରେ ବକ୍ସିପାତ୍ର ମହାଶୟ କୋରାପୁଟ ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟି ଟିକେଟ୍‌ରେ ଜିଣି ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ହୁଅନ୍ତି। ୧୯୮୦ରୁ ୧୯୯୦ ପୂରା ଗୋଟାଏ ଦଶନ୍ଧୀ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗରିବ, ଚାଷୀ, ଖଟିଖୁ, ମୂଲିଆଙ୍କ ସମସ୍ୟା ନେଇ ନିଜକୁ ନିଉଛାଳି ଦିଅନ୍ତି ପରାର୍ଥମଣିଷ ହରିଶ୍ଚନ୍ଦ୍ର ।
୧୯୯୦ରେ କୋରାପୁଟରୁ ଜନତା ଦଳ ସଭ୍ୟ ଭାବେ ବିଧାନସଭାକୁ ଆସି ସେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ରୂପେ ଜଙ୍ଗଲ, ପରିବେଶ ବିଭାଗର ଦାୟିତ୍ୱ ନିଅନ୍ତି। ନଭେମ୍ବର ୧୭, ୧୯୩୩ରୁ ଜଳୁଥିବା ଦୀପଟି ହଠାତ୍ ଫୁତ୍‌କରି ଲିଭିଗଲା ଅକ୍ଟୋବର ୨୭, ୨୦୦୦ ମସିହାରେ। ମାତ୍ର ୬୭ ବର୍ଷର ଜୀବନ। ଜୀବନର ଦୈର୍ଘ୍ୟ ଠାରୁ ଗଭୀରତା କାହିଁ କେତେ ଅଧୂକ। ତିନି ଝିଅରେ ଗୋଟିଏ ପୁଅ ଭୃଗୁ। ନେତୃତ୍ବର ବଟନ୍ ସେ ଧରେଇଦେଇ ଯାଇଛନ୍ତି ପୁଅକୁ। ଜୀବନ ଥିଲେ ତ ସଂଘର୍ଷ ଅଛି, ସଂଗ୍ରାମ ଅଛି । ସଂଗ୍ରାମ ଥଲେ ସଂଗ୍ରାମୀ ତଥା ପରାର୍ଥ ହରିଶ୍ଚନ୍ଦ୍ର ବକ୍ସିପାତ୍ରମାନଙ୍କର ମୃତ୍ୟୁ କାହିଁ । ସେମାନେ ସ୍ମୃତିସିଦ୍ଧ, ପ୍ରତି ନିୟତ ଆବାହନର ଅପେକ୍ଷାରେ । ଓଁ ଶାନ୍ତି ।