ଦୈତ୍ୟାରୀ ୧୫ ଲକ୍ଷ ଟଙ୍କା ଅଗ୍ରିମ ନେଇ ଆଖଡ଼ାକୁ ଆସୁନାହାନ୍ତି, ଆମକୁ ଠକିଦେଇଛନ୍ତି : ପାର୍ବତୀ ଗଣନାଟ୍ୟ

ଭୁବନେଶ୍ୱର: ‘ଜୁନ ୨୧ ତାରିଖରୁ ପାର୍ବତୀ ଗଣନାଟ୍ୟର ଅଖାଡାକୁ ଦୈତ୍ୟାରୀ ପଣ୍ଡା ଆସିବା କଥା | ଏଥିପାଇଁ ସେ ପାର୍ଟି ଠାରୁ ଅଗ୍ରିମ ଆକାରରେ ୧୫ ଲକ୍ଷ ଟଙ୍କା ମଧ୍ୟ ନେଇଛନ୍ତି | କିନ୍ତୁ ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ସେ ଆସୁନାହାନ୍ତି କିମ୍ବା ଫୋନ କଲେ ଉଠାଉନାହାନ୍ତି’ | ଓଡ଼ିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତ୍ୟାରୀ ପଣ୍ଡାଙ୍କ ବିରୋଧରେ କିଛି ଏଭଳି ଅଭିଯୋଗ ଆଣି ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପାର୍ବତୀ ଗଣନାଟ୍ୟ କର୍ତୃପକ୍ଷ | ପାର୍ବତୀ ଗଣନାଟ୍ୟ ପକ୍ଷରୁ ଆଜି ଏହାର ମୁଖ୍ୟ ପରିଚାଳନା ଅଧିକାରୀ ହର ବାରିକ ଅନଲାଇନ ଅଭିଯୋଗ କରିଛନ୍ତି | ଏହି ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ପାର୍ବତୀ ଗଣନାଟ୍ୟ ସହ ୨୦୨୨-୨୩ ଯାତ୍ରା ସିଜିନ ପାଇଁ ବରିଷ୍ଠ ଯାତ୍ରା ଅଭିନେତା ଦୈତ୍ୟାରୀ ପଣ୍ଡା ଚୁକ୍ତି କରିଥିଲେ |

ଆଉ ଅଗ୍ରିମ ଆକାରରେ ସେ ନିଜ ଦରମାର ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୧୫ ଲକ୍ଷ ଟଙ୍କା ନେଇସାରିଛନ୍ତି | ଚୁକ୍ତିନାମା ଅନୁସାରେ ସେ ଜୁନ ୨୧ ତାରିଖରୁ ଆସି ଆଖଡ଼ାରେ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତି କରିବା କଥା | କିନ୍ତୁ ସେ ଆଖଡ଼ାକୁ ନ ଆସିବା ସହ ତାଙ୍କୁ ଯୋଗାଯୋଗ କରାଯାଇପାରୁନାହିଁ | ଯେହେତୁ ବିଭିନ୍ନ ଯାତ୍ରା କମିଟିଠାରୁ ପାର୍ବତୀ ଗଣନାଟ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାର ଅଗ୍ରିମ ନେଇସାରିଛି, ତେଣୁ ଦୈତ୍ୟାରୀଙ୍କୁ ଖୋଜିବାରେ ପୁଲିସ ସାହାଯ୍ୟ କରୁ ବୋଲି ସେ ଏତଲାରେ ଦର୍ଶାଇଛନ୍ତି |

ଦୈତ୍ୟାରୀ ନ ଆସିଲେ ପାର୍ବତୀ ଗଣନାଟ୍ୟକୁ ଏକ ବଡ ଆର୍ଥିକ କ୍ଷତି ହେବ ବୋଲି ହର ବାରିକ କହିଛନ୍ତି | ହରଙ୍କ କହିବା କଥା ଯେ ଗଣନାଟ୍ୟ ପକ୍ଷରୁ ତାଙ୍କର ବାଲେଶ୍ୱରସ୍ଥିତ ଔପଦା ଘର ଓ ଭୁବନେଶ୍ବରର ପଟିଆ ଘରେ ବି ଖୋଜାଖୋଜି କରାଯାଇଥିଲେ ବି ସନ୍ଧାନ ମିଳୁନାହିଁ | ତେଣୁ ବାଧ୍ୟ ହୋଇ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି | ତେବେ ଏନେଇ ଦୈତ୍ୟାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

ସମ୍ବନ୍ଧିତ ଖବର