ରାୟଗଡ଼ା: ଶୁଣିବାକୁ ଅଜବ ଲାଗୁଥିଲେ ବି ସତ। ୮୦ବର୍ଷ ବୟସରେ ପୁନର୍ଜନ୍ମ ପାଇଁ ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ରାୟଗଡ଼ା ସହରର କେ. ପାର୍ବତୀ। ପରିଣତ ବୟସରେ ପାର୍ବତୀଙ୍କ ଏହି ନିଷ୍ପତ୍ତି ପଛର କାହାଣୀ ଚିନ୍ତାଜନକ ଓ ପୀଡ଼ାଦାୟକ। କାରଣ ବିଭିନ୍ନ ସରକାରୀ ରେକର୍ଡ, ପରିବାର, ପଡ଼ୋଶୀ ଓ ସଂପର୍କୀୟଙ୍କ ପାଇଁ ସେ ଜୀବିତ। ସଶରୀରରେ ଚଲାବୁଲା କରୁଛନ୍ତି। ଅଥଚ ରାୟଗଡ଼ା ତହସିଲଦାରଙ୍କ ପାଇଁ ହୋଇଯାଇଛନ୍ତି ମୃତ ତଥା ଅଦୃଶ୍ୟ। ଗତ ୧୩ଦିନ ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜୀବିତ ଥିବା ପ୍ରମାଣ ଦେବାକୁ ଧାରଣା ଦେଉଛନ୍ତି। ତହସିଲଦାରଙ୍କ ସହ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମଧ୍ୟ ତାଙ୍କୁ ଦେଖୁଛନ୍ତି। ତଥାପି ବଞ୍ଚି ଥାଉଥାଉ ତାଙ୍କୁ ମାରି ଦେଇଛନ୍ତି ଏହି ସରକାରୀ କର୍ମଚାରୀ।
ରାୟଗଡ଼ା ସହରର କେ.ଗୋବିନ୍ଦ ପଟ୍ଟନାୟକ ପୈତୃକ ସଂପତ୍ତିର ପଟ୍ଟା ନିଜ ନାଁରେ କରାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହି ଆବେଦନ ଆଧାରରେ ଉତ୍ତରାଧିକାରୀ ଏବଂ ପରିବାର ସଦସ୍ୟଙ୍କ ସଂପୂର୍ଣ୍ଣ ତଥ୍ୟ ଉପଲବ୍ଧ କରିବାକୁ ରାୟଗଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ମିଳିଥିଲା। ରାୟଗଡ଼ା ରାଜସ୍ବ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ଦାଖଲ କଲେ। ତେବେ ଏହି ରିପୋର୍ଟ ସନ୍ତୋଷଜନକ ହୋଇନଥିଲା। ଏଥିପାଇଁ ପୁନର୍ବାର ଆବେଦନ କରିବାରୁ ରାଜସ୍ୱ ସୁପରଭାଇଜର୍ ତଦନ୍ତ କଲେ। ରାୟଗଡା ସହରର ପିଟଲାସାହି ଓ ନୂଆସାହିକୁ ଯାଇ ଗୋବିନ୍ଦ ପଟ୍ଟନାୟକଙ୍କ ବଂଶଧରଙ୍କ ତଥ୍ୟ ସଂଗ୍ରହ କଲେ। କିନ୍ତୁ ଯେଉଁ ରିପୋର୍ଟ ଦାଖଲ କଲେ ସେଥିରେ ଜୀବିତ ଥିବା ଗୋବିନ୍ଦଙ୍କ ମା’ କେ. ପାର୍ବତୀ ପଟ୍ଟନାୟକଙ୍କୁ ମୃତ ଦର୍ଶାଇଲେ। ଯାହାଫଳରେ ଜୀବିତ ଥିବା ସତ୍ତ୍ବେ ସରକାରୀ କାଗଜରେ ମରିଗଲେ ପାର୍ବତୀ।
ପାର୍ବତୀ କହିଛନ୍ତି, ଏହାକୁ ସାମାନ୍ୟ ତ୍ରୁଟି ବୋଲି କୁହାଯିବନି। ଅକ୍ଷମଣୀୟ ଷଡ଼୍ଯନ୍ତ୍ର। ଜୀବିତ ଥିବାରୁ ପରିଣତ ବୟସରେ ପ୍ରମାଣ ଦେବାକୁ ପଡ଼ୁଛି। ଏହାଠାରୁ ଅଧିକ ବିଡ଼ମ୍ବନା କ’ଣ ହୋଇପାରେ। ୧୩ଦିନ ହେଲା ଧାରଣା ଦେଉଛି। କିନ୍ତୁ ପ୍ରଶାସନ ଅନ୍ଧ, ମୁକ ଏବଂ ବଧିର ହୋଇଯାଇଛି। ଯେଉଁ କାଗଜରେ ମୋତେ ମୃତ ଦର୍ଶାଇଲେ ତାହାକୁ କାହିଁକି ସଂଶୋଧନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେ ଜୀବିତ ଥିବା ଆଇନଗତ ଭାବେ ଦର୍ଶାଇବାକୁ ତାଙ୍କୁ ବାରମ୍ବାର କୁହାଯାଉଛି। ସରକାରୀ କାଗଜରେ ସେ ମୃତ। ସରକାରୀ କାଗଜ ହିଁ ତାଙ୍କୁ ପୁନର୍ଜନ୍ମ ଦେବ। ଏଥିପାଇଁ କାଗଜ ଯୋଗାଡ଼ କରିବାକୁ କୁହାଯାଉଛି। ତ୍ରୁଟି ସୁଧାରିବା ବଦଳରେ ହୁଏତ ତାଙ୍କ ମୃତ୍ୟୁକୁ ପ୍ରଶାସନ ଅପେକ୍ଷା କରିଛି ବୋଲି କହିଛନ୍ତି ପାର୍ବତୀ।