ସମ୍ଭବତଃ ରାଜ୍ୟରେ ଦଶନ୍ଧିର ସବୁଠୁ ବଡ଼ ଅପରାଧ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ୨୮ ତାରିଖ ପ୍ରକାଶ ପାଇବ। ସାରା ରାଜ୍ୟର ଆଇନ ବିଶାରଦ ଏବଂ ଜନତାଙ୍କ ନଜର ଏହି ରାୟ ଉପରେ ରହିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏଡିଜେ ଅଦାଲତରେ ଏହି ବହୁ ଚର୍ଚ୍ଚିତ ମାମଲାର ଫଇସଲା ହେବ। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଭାଗ୍ୟର ଫଇସଲା କରିବେ ବିଚାରପତି। ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ ହେବ ତ? କୋର୍ଟ ରାୟ କ’ଣ ରହିବ? ଏସବୁ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ଉଭୟ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀଙ୍କ ହୃଦ୍ସ୍ପନ୍ଦନ ବି ବଢ଼ି ଯାଇଛି। କାରଣ, ଏହି ମାମଲାର ରାୟ ଆଇନଜ୍ଞମାନଙ୍କ ପାଇଁ ଏକ ସର୍ବକାଳୀନ ଉଦାହରଣ ଭାବେ ପରିଗଣିତ ହେବ। ଗତ ୧୪ ତାରିଖ ଉଭୟ ପକ୍ଷର ଓକିଲଙ୍କ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ବିତର୍କ ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ କୋର୍ଟ ରାୟକୁ ୨୮ ତାରିଖ ଯାଏଁ ସଂରକ୍ଷିତ ରଖିଥିଲେ।
ପ୍ରସ୍ତୁତି: ଅଞ୍ଜନ ପ୍ରଧାନ ଓ ଶିରୀଷ ଖମାରୀ
ଘଟଣାର ପୃଷ୍ଠଭୂମି
୨୦୧୮ ବ୍ରୁଆରି ୨୩ ତାରିଖ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା। ମାମଲାର ଖୋଳତାଡ଼ କରି ପୁଲିସ ବି ଝାଳନାଳ ହୋଇଥିଲା। ୟୁଟ୍ୟୁବ୍ରୁ ପାର୍ସଲ ବୋମା ତିଆରି କରିବାର କୌଶଳ, ତାକୁ ଠିକଣା ସ୍ଥାନକୁ ପଠାଇବା ଏବଂ ବୋମା ସଫଳ ଭାବେ ବିସ୍ଫୋରଣ ହେବା ଏସବୁ ଘଟଣାବଳୀ ସମସ୍ତଙ୍କୁ ତାଜୁବ୍ କରି ଦେଇଥିଲା। ମୋଟାମୋଟି ଭାବେ ବୃତ୍ତିଗତ ଶତ୍ରୁତା କାରଣରୁ ହିଁ ଏହି ଜଘନ୍ୟ କାଣ୍ଡ ପୁଞ୍ଜିଲାଲ ଭିଆଇଥିବା କୁହାଯାଉଛି।
୭ ବର୍ଷ ପରେ ଫଇସଲା
୭ ବର୍ଷର ତଦନ୍ତ ଏବଂ ଆଇନଗତ କସରତ ପରେ ପାର୍ସଲ ବୋମା ବିସ୍ଫୋରଣର ରାୟ ପ୍ରକାଶ ପାଇବ। ଏହି ଅବଧି ମଧ୍ୟରେ ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। କ୍ରାଇମ୍ବ୍ରାଞ୍ଚ ୨ ହଜାର ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି। ତତ୍କାଳୀନ କ୍ରାଇମ୍ବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ତଦନ୍ତରେ ସଂପୃକ୍ତ ଥିଲେ। ଏପରିକି ତାଙ୍କ ସାକ୍ଷ୍ୟ ବହୁ ଗୁରୁତ୍ବବହନ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣ ପରେ ମାସେ କାଳ ବଲାଙ୍ଗୀର ପୁଲିସ ମାମଲାର ତଦନ୍ତ ଚଳାଇଥିଲା। ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ମାମଲାର ଖୋଳତାଡ଼ର ମାସେ ପରେ କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲକୁ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା।
ଦଣ୍ଡ ବିଧାନ ଉପରେ ନଜର
ପୀଡ଼ିତ ପରିବାର ଏବଂ ମାମଲା ପରିଚାଳନା କରୁଥିବା ଆଇନଜୀବୀମାନେ ଆଶାବାଦୀ ଅଛନ୍ତି ପୁଞ୍ଜିଲାଲକୁ କେବଳ ଫାଶୀ ଦଣ୍ଡ ମିଳିବ ବୋଲି। ପାର୍ସଲ ବୋମା ଫୁଟାଇ ଦୁଇ ଜଣଙ୍କୁ ହତ୍ୟା କରିବା ଭାରତରେ କ୍ବଚିତ୍ ଶୁଣିବାକୁ ମିଳିଛି। ଏହା ବିରଳରୁ ବିରଳତମ ଅପରାଧ ଭାବେ ପରିଗଣିତ ହେବ। ତେଣୁ ଏଭଳି ସ୍ଥିତିରେ ପୁଞ୍ଜିଲାଲକୁ ଫାଶୀ ହିଁ ମିଳିବ ବୋଲି କୁହାଯାଉଛି। ତେବେ ପ୍ରତିପକ୍ଷ ଓକିଲମାନେ ପୁଞ୍ଜିଲାଲକୁ ‘ବେନିଫିଟ୍ ଅଫ୍ ଡାଉଟ୍’ରେ ସଜାରେ ରିହାତି ମିଳିବ ବୋଲି ଆଶା କରୁଛନ୍ତି। କ୍ରାଇମ୍ବ୍ରାଞ୍ଚ ତଦନ୍ତ ବେଳେ ସବୁ ଦିଗକୁ ଛୁଇଁପାରି ନାହିଁ। ପୁଞ୍ଜିଲାଲ୍ ବୋମା ଭିଡ଼ିବା ଏବଂ ପାର୍ସଲ୍ ଜରିଆରେ ଏହାକୁ ବିସ୍ଫୋରଣ କରାଇବା କ୍ଷେତ୍ରରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ତେଣୁ ଏହି ଦିଗ ପୁଞ୍ଜିଲାଲ ସପକ୍ଷରେ ଯାଇପାରେ ବୋଲି ମଧ୍ୟ କୁହାଯାଉଛି।
ନ୍ୟାୟ ଅପେକ୍ଷାରେ ପୀଡ଼ିତ ପରିବାର
ଅଭିଯୁକ୍ତ ପୁଞ୍ଜିଲାଲକୁ କେବଳ ଫାଶୀଦଣ୍ଡ ମିଳୁ ବୋଲି ପୀଡ଼ିତ ପରିବାର ଦାବି କରୁଛନ୍ତି। ସୌମ୍ୟଶେଖରଙ୍କ ବିବାହର ଦୁଇ ଦିନ ପରେ ହିଁ ଏହି ଅଘଟଣ ଘଟିଥିଲା। ହସଖୁସିର ସଂସାର ଆଖି ପିଛୁଳାକେ ଧୂଳିସାତ୍ ହୋଇଯାଇଥିଲା। ରୀମାଙ୍କ ମଥାରୁ ସିନ୍ଦୂର ଲିଭି ଯାଇଥିଲା। ଏହି ଭୟଙ୍କର ଷଡ଼୍ଯନ୍ତ୍ରର ଖଳନାୟକ ପୁଞ୍ଜିଲାଲକୁ ଫାଶୀଠାରୁ ବି ଆଉ କିଛି ବଡ଼ ଦଣ୍ଡଥିଲେ ସେଥିରେ ଦଣ୍ଡିତ କରାଯାଉ ବୋଲି ପୀଡ଼ିତ ପରିବାର ଦାବି କରିଛନ୍ତି।
ମାଇଣ୍ଡ୍ଗେମ୍
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣର କାହାଣୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ମାଇଣ୍ଡ୍ଗେମ୍’। ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ/କୋଶଲି ଆଦି ଭାଷାରେ ନିର୍ମିତ ଏହି ଚର୍ଚ୍ଚିତ ତଥା ବିତର୍କିତ ସିନେମାରେ ମନୋଜ ମିଶ୍ର, ଅତୁଲ କୁଲକର୍ଣ୍ଣୀ, ଯଶପାଲ ଶର୍ମା, ଅନୁ ଚୌଧୁରୀ, ତନିକେଲା ଭରାନି ପ୍ରମୁଖ ଅଭିନୟ କରିଥିଲେ।
କୋର୍ଟ ପରିସରରେ କଡ଼ା ସୁରକ୍ଷା
ଏହି ଐତିହାସିକ ଶୁଣାଣି ପାଇଁ ପାଟଣାଗଡ଼ ଏଡିଜେ କୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଏସ୍ଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇଛନ୍ତି। ଶୁଣାଣି ପୂର୍ବରୁ କୋର୍ଟ ପରିସରରେ ସ୍ବାଭାବିକଠାରୁ ଅଧିକ ଫୋର୍ସ ମୁତୟନ ରହିବେ। ଉଭୟ ପକ୍ଷଙ୍କ ସମ୍ପର୍କୀୟଙ୍କୁ କଡ଼ା ଯାଞ୍ଚ ପରେ ହିଁ ଶୁଣାଣି ପ୍ରକୋଷ୍ଠକୁ ଛଡ଼ାଯିବ। ଉକ୍ତ ପ୍ରକୋଷ୍ଠରେ ୫୦-୬୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିଛି। ତେଣୁ ସ୍ବାଭାବିକ ଭାବେ କୋର୍ଟ ପରିସରରେ ମାତ୍ରାଧିକ ଭିଡ଼ ରହିବ। ଏହାକୁ ନଜରରେ ରଖି ଅତିରିକ୍ତ ଫୋର୍ସ ମୁତୟନ ରହିବେ। ସକାଳ ୮ଟାରୁ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇପାରେ। ଅଧଘଣ୍ଟା ଭିତରେ ଫଇସଲା ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଛି।