ସ୍ବାଧୀନତା ଦିବସ ଗଣ ପରେଡ୍‌ ବନ୍ଦ ନେଇ ବିବାଦ

ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲା ବିଜେପି, ଜାତୀୟ ଢାଞ୍ଚାକୁ ଅନୁକରଣ କରୁଛୁ : ବିଜେଡି

ଭୁବନେଶ୍ବର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନର ସ୍ଥାନ ପରିବର୍ତ୍ତନ ଓ ଗଣ ପରେଡ୍‌ ବନ୍ଦ ହେବା ନେଇ ବିବାଦ ଦେଖାଦେଇଛି। ବିଜେପି ଏହାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି। ଅପର ପକ୍ଷରେ ବିଜେଡି ଏହି ପରିବର୍ତ୍ତନକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ସହ ବିଜେପି ନେତାଙ୍କ ଅଜ୍ଞତାକୁ ସମାଲୋଚନା କରିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜଧାନୀରେ ପ୍ରତି ବର୍ଷ ସ୍ବାଧୀନତା ଦିବସ ପାଳନ କରାଯିବା ସହ ପୁଲିସ୍‌, ସିଭିଲ୍‌ ଡିଫେନ୍ସ ଓ ବିଭିନ୍ନ ସ୍କୁଲ୍‌, କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ଗଣ ପରେଡ୍‌ ପ୍ରଦର୍ଶନ କରାଯାଇଥାଏ। ଏହି ଅବସରରେ ସ୍ବାଧୀନତା ସମ୍ପର୍କିତ ଯୋଜନା ଓ ଅନେକ ବିକାଶମୂଳକ ଯୋଜନାକୁ ପ୍ରଦର୍ଶିତ କରାଯାଏ। ପୂର୍ବରୁ ବିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରୁଥିଲେ। ୧୯୭୩ ମସିହାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପତାକା ଉତ୍ତୋଳନ ଅଭିବାଦନ ଗ୍ରହଣ କରୁଛନ୍ତି। କିନ୍ତୁ ଚଳିତ ବର୍ଷ କୌଣସି କାରଣ ନ ଥାଇ ଗଣ ପରେଡ୍‌କୁ ରାଜ୍ୟ ସରକାର ବନ୍ଦ କରିବା ନିନ୍ଦନୀୟ। ବିଗତ ୭୨ ବର୍ଷ ଧରି ଚାଲୁଥିବା ପରମ୍ପରାକୁ ସରକାର ଭାଙ୍ଗିଛନ୍ତି। କେଉଁ କାରଣ ପାଇଁ ଏହାକୁ ବନ୍ଦ କରାଯାଇଛି, ତାହାର ଉତ୍ତର ସରକାର ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ସମୟ ଛିଡ଼ା ହୋଇପାରିବେନି ବୋଲି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି କି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ବିଜେପି ଅଭିଯୋଗର ଜବାବ ଦେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଯେ କୌଣସି ଜାତୀୟ ଦିବସ ପାଳନ ବେଳେ ରାଜ୍ୟ ସବୁବେଳେ ଜାତୀୟ ଢାଞ୍ଚାକୁ ଅନୁକରଣ କରିବା ଉଚିତ। ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ରା‌ଷ୍ଟ୍ରପତି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରୁଥିଲା ବେଳେ ସ୍ବାଧୀନତା ଦିବସ ଉତ୍ସବ‌େର ପ୍ରଧାନମନ୍ତ୍ରୀ ବକ୍ତବ୍ୟ ପ୍ରଦାନ କରନ୍ତି। ଓଡ଼ିଶା ସେହି ଢାଞ୍ଚାକୁ ଗ୍ରହଣ କରିଛି। ଚଳିତ ବର୍ଷଠାରୁ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ କେବଳ ଭାଷଣ ପ୍ରଦାନ କରିବେ। ରାଜ୍ୟ ବିଜେପି ଓ ଏହାର ‌େନତା ସ୍ବାଧୀନତା ଦିବସ ପାଳନର ଜାତୀୟ ଢାଞ୍ଚା ସମ୍ପର୍କରେ ଅଜ୍ଞ ଥିବା ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ସ୍ବାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଓ ଓଡ଼ିଶାର ଅବଦାନ ନେଇ ଏକ ବଡ଼ ଧରଣର ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଛି। ତେଣୁ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଓ ଏହି ପ୍ରଦର୍ଶନୀ ପାଇଁ ପ୍ରଦର୍ଶନୀ ପଡ଼ିଆ ହିଁ ଶ୍ରେଷ୍ଠ ସ୍ଥାନ। ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ହୀନ ରାଜନୀତି କରିବା ଦୁର୍ଭାଗ୍ୟଜନକ। ରାଜନୀତି କରିବା ପରିବର୍ତ୍ତେ ଅହିଂସାକୁ ଭାରତର ସମ୍ବିଧାନର ମୁଖବନ୍ଧରେ ସାମିଲ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବକୁ ବିଜେପି ନେତା ସମର୍ଥନ କରିବା ପାଇଁ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର