ଭୁବନେଶ୍ୱର: ଗରିବ ପିଲାମାନଙ୍କ ଘରୋଇ ସ୍କୁଲରେ ମାଗଣାରେ ନାମଲେଖା ପାଇଁ ଉଦ୍ଦିଷ୍ଟ ପାରଦର୍ଶୀ ପୋର୍ଟାଲ୍‌କୁ ତୁରନ୍ତ ଖୋଲିବା ଦାବିରେ ଓଡ଼ିଶା ଅଭିଭା‌ବକ ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ପୋର୍ଟାଲ୍‌ରେ ଆବେଦନ ପ୍ରକ୍ରିୟାକୁ ଏକ ମାସ ଘୁଞ୍ଚାଇ ଦିଆଯାଇଛି। ଘରୋଇ ସ୍କୁଲଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ମହାସଂଘ ଅଭିଯୋଗ କରିଛି। ପ୍ରଥମେ ଘରୋଇ ସ୍କୁଲମାନଙ୍କୁ ଜାନୁଆରି ୨୨ରୁ ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ପରେ ମାର୍ଚ୍ଚ ୧ ତାରିଖରୁ ଛାତ୍ରଛାତ୍ରୀମାନଙ୍କ କାଗଜପତ୍ର ଯାଞ୍ଚ ଓ ଲଟେରି ଉଠାଣ ପରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୦ ମଧ୍ୟରେ ନାମଲେଖା ପାଇଁ ଦିନ ଧାର୍ଯ୍ୟ ହୋଇଛି। ମେ’ ୧ ତାରିଖ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଓ ସେହିମାସ ୧୫ ତାରିଖ ସୁଦ୍ଧା ଅନ୍ତିମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ବ୍ୟବସ୍ଥା ଥିଲା।

Advertisment

ନୂତନ ମାର୍ଗଦର୍ଶିକାରେ ଘରୋଇ ସ୍କୁଲମାନଙ୍କ ପଞ୍ଜୀକରଣ ମାର୍ଚ୍ଚ ୩୧କୁ ବୃଦ୍ଧି କରାଯାଇଥିଲା ବେଳେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍‌ ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କିନ୍ତୁ ଏପ୍ରିଲ ୧ ତାରିଖରୁ ଶିକ୍ଷାବର୍ଷ ଆରମ୍ଭ ହୋଇଯାଉଛି। ପୂର୍ବ ନିଦ୍ଦେର୍ଶନାମାରେ ପିଲାମାନେ ଟିକେ ଡେରିରେ ହେଲେ ବି ଗ୍ରୀଷ୍ମ ଛୁଟି ଭିତରେ ପାଠ ପଢ଼ିଥାନ୍ତେ। ନୂତନ ପ୍ରକ୍ରିୟାରେ ନାମଲେଖା ପ୍ରକ୍ରିୟା ଶେଷ ହେବା ବେଳକୁ ଜୁନ ମାସ ସରିଯିବ। ଫଳରେ ପିଲାଙ୍କ ତିନି ମାସ ସମୟ ନଷ୍ଟ ହେବ। ତେଣୁ ତୁରନ୍ତ ପୋର୍ଟାଲ୍‌ ଖୋଲି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ସଂଘ ଦାବି କରିଛି। ଏହି ବିକ୍ଷୋଭରେ ମହାସଂଘର ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ, ସତ୍ୟବ୍ରତ ପରିଜା, ପଦ୍ମନାଭ ସାହୁ, ସଦାନନ୍ଦ ଗଣ୍ଡ, ମୀନାରାଣୀ ଦାସ, ମିଲି ସାହୁ, ତପନ ରାଉତରାୟ, ପ୍ରଫୁଲ୍ଲ ବଡ଼ସେଟ, ଆସିତା ମହାନ୍ତି, ସୁନିତା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।