ଗଜପତି: ବଞ୍ଚିଥିବା ଝିଅର ଆଜି ଶୁଦ୍ଧିକ୍ରିୟା ଦଶାହ କାର୍ଯ୍ୟ କରୁଛନ୍ତି ପରିବାର ଲୋକେ । ହଁ, ଆଜ୍ଞା କଥାଟା ଶୁଣିବାକୁ ଆପଣଙ୍କୁ ଅଡ଼ୁଆ ଲାଗୁଥାଇ ପାରେ କିନ୍ତୁ ଘଟଣାଟି ସତ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଏହି ଘଟଣା ଘଟିଛି | ଆଜି ଦିପାଞ୍ଜଳି-୨ ଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଏହି ଗାଁରେ ରହୁଥିବା ସଞ୍ଜୁ ସାହୁ ଓ ସହଦେବ ସାହୁଙ୍କ ସାନ ଝିଅ ଚାନ୍ଦିନୀ ସାହୁ ଘରୁ କୁଆଡେ ଚାଲି ଯାଇଥିଲେ । ବହୁ ଖୋଜାଖୋଜି ପରେ ସୋସିଆଲ ମିଡିଆରେ ନିଜ ଝିଅ କୌଣସି ଏକ ପୁଅ ସହ ବିବାହ କରିଥିବା ଜାଣିବାକୁ ପାଇଲେ । ଏହି ଖବର ଜାଣି ସହଦେବଙ୍କ ପାଦ ତଳୁ ମାଟି ଖସିଯାଇଥିଲା | ସହଦେବ ଜଣେ ଛୋଟ ଜଳଖିଆ ବେପାରୀ । ଅନେକ କଷ୍ଟ ସହି ନିଜ ପରିବାର ପୋଷଣ କରି ଆସୁଥିଲେ ।

Advertisment

ଯେଉଁ ଝିଅକୁ ସ୍ନେହ ଆଦର ଦେଇ ଓ ଅନେକ ସ୍ଵପ୍ନ ଦେଖି ନିଜ ଝିଅକୁ ବଢାଇଥିଲେ, ସେହି ଝିଅ ବାପା-ମାଙ୍କ ସ୍ବପ୍ନକୁ ନିଜ ପାଦରେ ଦଳି ପ୍ରେମିକଙ୍କୁ ବିବାହ କରିଥିବାରୁ ବାପା-ମା ଏହି ପଦକ୍ଷେପ ନେଇଛନ୍ତି | କୋର୍ଟରେ ବିବାହ କରିଥିବାର ଜାଣି ବାପା ପରିବାର ବର୍ଗ ଓ ସମ୍ପର୍କୀୟଙ୍କୁ ଡାକି ଘରେ ପୁରୋହିତଙ୍କ ଦ୍ଵାରା ନିଜ ଝିଅର ଶୁଦ୍ଧିକ୍ରିୟା ସହ ଦଶାହ କାର୍ଯ୍ୟ କରୁଛନ୍ତି । ବଡ ଭଉଣୀ ନନ୍ଦିନୀ ନିଜ କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦି ଭଉଣୀର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହ କହିଛନ୍ତି ଯେ ଘରେ ରୋଗୀଣା ମା କଥା ନଭାବି ସେ କିପରି ଚାଲିଗଲା | ଉଲ୍ଲେଖ ଥାଉ କି କିଛିଦିନ ତଳେ କେନ୍ଦ୍ରପଡ଼ା ଜିଲ୍ଲା ଆଳି ସଦର ଅଂଚଳରେ ଦିପାଞ୍ଜଳି ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତାଙ୍କ ବାହା ହେବା ପାଇଁ ଜିଦ୍ କରି ଆସୁଥିଲେ । ହେଲେ ଏଥିରେ ପରିବାର ଲୋକ ରାଜି ହୋଇନଥିଲେ । ଶେଷରେ ଝିଅଟି ଘର ଛାଡ଼ି ଆସି ନିଜ ପ୍ରେମିକଙ୍କୁ ବାହା ହୋଇଯାଇଥିଲେ । ଆଉ ଏହାପରେ ତାଙ୍କ ପରିବାର ଝିଅର ଶୁଦ୍ଧିକ୍ରିୟା କରିଦେଇଥିଲେ |