ଦିବ୍ୟାଙ୍ଗ ବୋଲି ବାପ‌ା-ମା’ ପଚାରିଲେନି, ବୃଦ୍ଧା ଜେଜେଙ୍କ ଭରସାରେ ଆସମାନ

ସମ୍ବଲପୁର : ଦିବ୍ୟାଙ୍ଗ ବୋଲି ୨ ବର୍ଷ ବୟସରୁ ବାପା-ମା’ ଛାଡ଼ି ଅନ୍ୟତ୍ର ଚାଲିଗଲେ। ହେଲେ ନିଜ ନାତିକୁ ଛାଡ଼ିପାରିଲେନି ବୃଦ୍ଧା ଜେଜେ। କାମ କରି ଦି’ ପଇସା ରୋଜଗାର କରିବାକୁ ବି ଆଉ ଗୋଡ଼ହାତରେ ବଳ ନାହିଁ। ତଥାପି ବି ନାତିକୁ ଭଲ କରିବା ସହ ପାଠ ପଢ଼ାଇ ବଡ଼ ମଣିଷ କରିବାର ଇଚ୍ଛା ରଖିଛନ୍ତି। କୌଣସି ମତେ ଶ୍ରମିକ ଭାବେ କାମ କରି ନାତିର ଫିଜିଓଥେରାପି ପାଇଁ ଟଙ୍କା ଯୋଗାଡ଼ ବି କରୁଛନ୍ତି। ଫିଜିଓଥେରାପି ପାଇଁ ମାସିକ ଫି’ ଦେବା ପରେ ଦିବ୍ୟାଙ୍ଗ ନାତିକୁ ସୁଷମ ଖାଦ୍ୟ ବି ପ୍ରଦାନ କରାଯାଇପାରୁନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସହର ଉପକଣ୍ଠସ୍ଥ ଠେମରା ଗ୍ରାମରେ। ହେଲେ ଉଚ୍ଚତର ଚିକିତ୍ସା ପାଇଁ କୌଣସି ସହା‌ୟତା ମିଳୁନି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ନାତି ଆସମାନର ଚିକିତ୍ସା କରାଇବାକୁ ଜେଜେ ନୀର ଛୁରିଆ ଅନୁରୋଧ କରିଛନ୍ତି।

ନୀରଙ୍କ କହିବାନୁସାରେ, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଅ ୬ ବର୍ଷ ତଳେ ବିବାହ କରିଥିଲେ। ପୁଅ ବୋହୂଙ୍କର ଏକ ଶିଶୁ ପୂତ୍ର ମଧ୍ୟ ଜନ୍ମ ହୋଇଥିଲା। ନା’ ଦେଇଥିଲେ ଆସମାନ। ହେଲେ ଜନ୍ମରୁ ଆସମାନର ଗୋଡ଼ ବଙ୍କା ରହିଥିବାରୁ ସେ ଚାଲିବାକୁ ଅକ୍ଷମ। ଠିକ୍‌ରେ ସେ କଥା ମଧ୍ୟ କହିପାରୁନାହିଁ। ବାପା-ମା’ ଚେଷ୍ଟା କରି ପୁଅ ଠିକ୍‌ ନହେବାରୁ ବାପ ଯାଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ଘରୁ ବାହାରକୁ ଚାଲି ଯାଇଥିଲା। ଏହା ପରେ ଆସମାନର ମା’ ମଧ୍ୟ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରି ଅନ୍ୟତ୍ର ରହିଥିଲା। କିନ୍ତୁ ଆସମାନ କଥା କେହି ଭାବି ନଥିଲେ। ନିଜ ନାତିକୁ ବା କେମିତି ଅନ୍ୟ କାହା ହାତରେ ଟେକି ଦେବେ ଭାବି ନୀର ଉକ୍ତ ୨ ବର୍ଷର ଶିଶୁପୁତ୍ରକୁ ପାଖରେ ରଖିଥିଲେ। ଭତ୍ତା ଟଙ୍କା ଯାହା ମିଳୁଛି ସେଥିରେ ବା ୨ ପ୍ରାଣୀ କେମିତି ଚଳିବେ। ବାଧ୍ୟହୋଇ ଶ୍ରମିକ ଭାବେ ଏଣେତେଣେ କାମ କରି ଆସମାନର ଫିଜିଓଥେରାପି ପାଇଁ ମାସକୁ ୩୫୦୦ ଟଙ୍କା ଯୋଗାଡ଼ କରୁଛନ୍ତି। କେବଳ ସେତିକି ନୁହେଁ ବରଂ ନାତିକୁ ଫିଜିଓଥେରାପି ସେଣ୍ଟର ଆଣିବାକୁ ଟଙ୍କା ନଥିବାରୁ ନିତିଦିନ ୬ କିମି ରାସ୍ତା ଚାଲିଚାଲି ନାତିକୁ କାଖେଇ ସମ୍ବଲପୁର ସାକ୍ଷୀପଡ଼ାକୁ ଆସୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର