ବରଗଡ଼ : କିଛି ଦିନ ହେଲା ବରଗଡ଼ ଜିଲ୍ଲାର ଚର୍ଦ୍ଦାପାଲି ପଞ୍ଚାୟତ ଫୋକସ୍ରେ ରହିଥିଲା। ଏଠାକାର ଲୋକେ ମୌଳିକ ସୁବିଧା ପାଉନଥିବା ଅଭିଯୋଗ କରି ଛତିଶଗଡ଼ରେ ମିଶିବାକୁ ବିଧିବଦ୍ଧ ଦାବି କରିଛନ୍ତି। ଏନେଇ ଆଲୋଚନା ବି କିଛି ବାଟ ଆଗେଇଛି। ଚର୍ଦ୍ଦାପାଲିର ବିକାଶ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତିରେ ଲାଗିଥିବାବେଳେ ସୀମାନ୍ତ ଭଟଲି ବ୍ଲକ୍ରେ ମଧ୍ୟ ଅନୁରୂପ ସମସ୍ୟା ଦେଖିବାକୁ ମିଳିଛି। ବରଂ ଏଠାରେ ପୂର୍ବରୁ ହିଁ ଓଡ଼ିଶାବାସୀ ଛତିଶଗଡ଼ରୁ ସହାୟତା ପାଇ ଆସୁଛନ୍ତି। ଓଡ଼ିଶାରେ ଥାଇ ଛତିଶଗଡ଼ରୁ ବିଜୁଳି, ରାସନ, ପାଣି ଏବଂ ଅନ୍ୟ ସୁବିଧା ପାଉଛନ୍ତି। ବରଗଡ଼ ଜିଲ୍ଲା ଭଟଲି ବ୍ଳକ ନାରଙ୍ଗପୁର ପଞ୍ଚାୟତର କନ୍ଧପଡ଼ା। କାଶୀପାଲି ଗ୍ରାମର ୱାର୍ଡ ନମ୍ବର ୭ ଅନ୍ତର୍ଗତ କନ୍ଧପଡ଼ାରେ ୫୬ଟି ପରିବାର ରହୁଛନ୍ତି। ଅଧିକାଂଶ ହେଉଛନ୍ତି କୃଷି ଶ୍ରମିକ। ଏହି ଗାଁର ଲୋକେ ଘରୁ ଗୋଡ଼ କାଢ଼ିଲେ ଛତିଶଗଡ଼ରେ ପାଦ ଥାପିଥାନ୍ତି । କାରଣ କେବଳ ଗୋଟିଏ କଂକ୍ରିଟ ରାସ୍ତା ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ବିଭକ୍ତ କରୁଛି।
/sambad/media/post_attachments/wp-content/uploads/2021/04/baragarh2.jpg)
କନ୍ଧପଡ଼ାବାସୀ ଓଡ଼ିଶା ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ସେଠାକୁ ଏଯାଏଁ ବିଦ୍ୟୁତ ସେବା ନାହିଁ। ଗାଁରେ ସ୍କୁଲ ଟିଏ ମଧ୍ୟ ନାହିଁ । କିନ୍ତୁ ରାସ୍ତା ଆରପଟେ ଥିବା ଛତିଶଗଡ଼ର ଘୋଘରା ଗ୍ରାମରେ ସବୁ ସୁବିଧା ରହିଛି। ବିଜୁଳିଠାରୁ ଆରମ୍ଭ କରି ପାନୀୟ ଜଳ ପାଇଁ ଘୋଘରା ଉପରେ ସଂପୂର୍ଣ୍ଣ ଭାବେ କନ୍ଧପଡ଼ାବାସୀ ନିର୍ଭରଶୀଳ। ଘୋଘରାରେ ଥିବା ପ୍ରାଥମିକ ସ୍କୁଲରେ କନ୍ଧପଡ଼ାର ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି। ଉଚ୍ଚଶିକ୍ଷା ପାଇଁ ୧୦ କିଲୋମିଟର ଦୂର ଛତିଶଗଡ଼ର ଡୁଙ୍ଗୁରିପାଲିକୁ ଯାଇଥାନ୍ତି। ସ୍ବାସ୍ଥ୍ୟସେବା ପାଇଁ ମଧ୍ୟ ସେମାନେ ଡୁଂଗୁରିପାଲି ଉପରେ ନିର୍ଭରଶୀଳ। ସ୍କୁଲରେ ପାଠ ପଢ଼ାଇବା ପାଇଁ କନ୍ଧପଡ଼ାବାସୀ ନିଜ ପିଲାଛୁଆଙ୍କ ଆଧାର କାର୍ଡ ଛତିଶଗଡ଼ ରାଜ୍ୟର କରିଛନ୍ତି। ଫଳରେ ବାପା-ମାଆଙ୍କ ଆଧାର କାର୍ଡ ଓଡ଼ିଶାର, କିନ୍ତୁ ପିଲାଛୁଆଙ୍କ କାର୍ଡ ଛତିଶଗଡ଼ର। କିଛି ଲୋକ ଛତିଶଗଡ଼ର ରାସନ କାର୍ଡ କରି ଜଣପିଛା ୭ କିଲୋ ଚାଉଳ, କାର୍ଡ ପିଛା କିଲେ ଚିନି, ୨ କିଲୋ ଚଣା, ଲୁଣ, କିରୋସିିନ ପାଉଛନ୍ତି। ଓଡ଼ିଶାରେ କାମଧନ୍ଦା ନଥିବାରୁ ଲୋକେ ଛତିଶଗଡ଼କୁ ମୂଲ ଲାଗିବାକୁ ଯାଉଛନ୍ତି। ଦେଖିବାକୁ ଗଲେ, ସବୁ କ୍ଷେତ୍ରରେ କନ୍ଧପଡ଼ବାସୀ ଛତିଶଗଡ଼ ଭରସାରେ ହିଁ ରହିଛନ୍ତି। ମାନସିକ ଭାବେ ସେମାନେ ନିଜକୁ ଛତିଶଗଡ଼ବାସୀ ବୋଲି କହିବାକୁ କୁଣ୍ଠାବୋଧ କରୁନାହାନ୍ତି।
/sambad/media/post_attachments/wp-content/uploads/2021/04/baragarh3a.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/baragarh.jpg)