ଡାବୁଗାଁ: ଗୋଟିଏ ସପ୍ତାହ ପରେ ପିଲାଙ୍କ ବାର୍ଷିକ ବୋର୍ଡ ପରୀକ୍ଷା। ପରୀକ୍ଷା ପାଇଁ ପିଲାଙ୍କ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ କରାଯିବା ପରେ ତାତି ଛନ୍ତି ଗ୍ରାମବାସୀ। ଶିକ୍ଷକ ପଦବି ପୂରଣ ନ ହେବା ଯାଏଁ ବିଦ୍ୟାଳୟ ରେ ତାଲା ଠୁଙ୍କିବା ସହ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ସାନ ଓଲମା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ସୂଚନା ଅନୁଯାୟୀ ସାନ ଓଲମା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୪ ପିଲା ଅଧ୍ୟୟନ କରୁଛନ୍ତି। ଏହି ବିଦ୍ୟାଳୟରେ ୫ ଶିକ୍ଷକଙ୍କ ଆବଶ୍ୟକ ଥିବା ବେଳେ ବର୍ତମାନ ୩ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। କିନ୍ତୁ ବାର୍ଷିକ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ବ୍ଲକ ଶିକ୍ଷା ବିଭାଗ ତରଫରୁ ୩ ଶିକ୍ଷକ ମଧ୍ୟରୁ ଜଣେ ଗଣିତ ଶିକ୍ଷକଙ୍କୁ ବ୍ଲକର ଘୋଡା ଖୁଣ୍ଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ କରିଛନ୍ତି, ଯାହା ଦ୍ଵାରା ପିଲାଙ୍କ ପାଠପଢ଼ାରେ ସମସ୍ୟା ଦେଖା ଦେବା ସ୍ଵାଭାବିକ। ଶିକ୍ଷା ବିଭାଗର ଏପରି ଅବାନ୍ତର ନିଷ୍ପତ୍ତି ପରେ ସାନ ଓଲମା ଗ୍ରାମବାସୀ ଶିକ୍ଷା ବିଭାଗ ଉପରେ ବର୍ଷିବା ସହ ଆଜି ବିଦ୍ୟାଳୟରେ ତାଲା ଠୁଙ୍କିଛନ୍ତି। ଆବଶ୍ୟକ ଶିକ୍ଷକ ପଦ ପୂରଣ ସହ ଡେପୁଟେସନରେ ଏଠାରୁ ଘୋଡା ଖୁଣ୍ଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ନେଇଥିବା ଗଣିତ ଶିକ୍ଷକ କମଳା କାନ୍ତ ସାହୁଙ୍କ ଡେପୁଟେସନ ପ୍ରତ୍ୟାହାର ପାଇଁ ଦାବୀ ରଖିଛନ୍ତି। ବିଦ୍ୟାଳୟ ଫାଟକରେ ଗ୍ରାମବାସୀ ତାଲା ପକାଇବା ପରେ ଛାତ୍ରଛାତ୍ରୀ ଫାଟକ ସମ୍ମୁଖରେ ଅଭିଭାବକ ମାନଙ୍କ ସହ ଧାରଣାରେ ବସିଥିଲେ। ଆଜି ମଧ୍ୟାହ୍ନ ଭୋଜନରୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିବା ବେଳେ ଗାଁ ରାସ୍ତା ଫାଟକ ସମ୍ମୁଖରେ ବସି ପାଠ ପଡିଛନ୍ତି।
ଆସନ୍ତା ୧୫ ତାରିଖରୁ ବାର୍ଷିକ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଶିକ୍ଷା ବିଭାଗର ଏପରି ବାଚଳାମି ବୁଦ୍ଧି ପଦାରେ ପଡ଼ିଛି। ଯଥାଶୀଘ୍ର ଡେପୁଟେସନ କରାଯାଇଥିବା ସହକାରୀ ଗଣିତ ଶିକ୍ଷକଙ୍କୁ ପ୍ରତ୍ୟାହାର କରିବା ସହ ଆବଶ୍ୟକ ଶିକ୍ଷକ ପ୍ରଦାନ କରିବାକୁ ଗ୍ରାମର ଡମୁ ସିଂ ଜାନି, ଉଦ୍ଧବ ଜାନି, ବୁଦୁରାମ ଜାନି, ଚିତ୍ତରଞ୍ଜନ ପାଢୀ, ଈଶ୍ୱର ଭତରା, ସୁକ୍ରୁ ହରିଜନ, ଶୁବା ହରିଜନ, ଅର୍ଶୁ ଜାନି, ବନ ସିଂ ଭତରା ଓ ଭରତ ଗଣ୍ଡା ପ୍ରମୁଖ ଦାବୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/d35ff2be-4d7b-4389-8e2d-bb2ffdd67b96.jpeg)